ମାଲକାନଗିରି, ୧୮।୮: ପ୍ରବଳ ବର୍ଷାରେ ମାଲକାନଗିରି ଜିଲ୍ଲାର ହାଲ ବେହାଲ । ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଅଧିକାଂଶ ସ୍ଥାନ ଜଳମଗ୍ନ ହୋଇଯାଇଛି । ବର୍ଷାରେ ମାଲକାନଗିରି ବିମାନ ବନ୍ଦରର ପ୍ରାୟ ୨୦ ଫୁଟ୍ରୁ ଲମ୍ବର ମୁଖ୍ୟ ପାଚେରୀ ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ରନ୍ୱେରେ ପାଣି ପ୍ରବେଶ କରିଛି । ଏହି ବିମାନ ବନ୍ଦର ନିର୍ମାଣ କାମ ନିମ୍ନମାନର ହୋଇଥିବାରୁ ଗତ ୨ ବର୍ଷ ମଧ୍ୟରେ ତିନି ତିନି ଥର ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି । ପାଚେରୀ ଭାଙ୍ଗିବା ଖବର ପାଇ ଆଜି ବିମାନ ବନ୍ଦର ନିକଟରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ରବିନ୍ଦ୍ର କୁମାର ବେହେରା ଓ ଅନ୍ୟାନ୍ୟ ଯନ୍ତ୍ରୀମାନେ ପହଁଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ବାରମ୍ବାର ବିମାନ ବନ୍ଦର ପାଚେରୀ ଭାଙ୍ଗିବା ସମ୍ପର୍କରେ ଗୃହ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ବିମାନ ବନ୍ଦରଟି ପାହାଡ଼ ତଳେ ଖାଲୁଆ ସ୍ଥାନରେ ହୋଇଛି, ବର୍ଷା ହେଲେ ରାସ୍ତା ଓ ପାଚେରୀ ନିକଟରେ ପ୍ରାୟ ୪ରୁ ୫ଫୁଟ୍ ପାଣି ଜମି ଯାଉଥିବାରୁ ଇଟା କାନ୍ଥ ପାଚେରୀ ଭାଙ୍ଗି ଯାଉଛି । କିନ୍ତୁ, ବିମାନ ବନ୍ଦରର ସେମିତି କିଛି କ୍ଷତି ଘଟିନାହିଁ ।
ତୁରନ୍ତ ଏହି ପାଚେରୀଗୁଡ଼ିକୁ ସୁଦୃଢ଼ ଭାବେ ନିର୍ମାଣ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ରବିନ୍ଦ୍ର କୁମାର ବେହେରା କହିଛନ୍ତି । କହିରଖୁ କି, ଓଡ଼ିଶାର ରାଜଧାନୀ ଭୁବନେଶ୍ଵରଠାରୁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ସବୁଠାରୁ ଦୀର୍ଘତମ ୬୫୫କିମି ଦୂର ହୋଇଥିବାରୁ ଏଠାକୁ ହଠାତ୍ କେହି ଜଣେ ମନ୍ତ୍ରୀ କିମ୍ୱା ଉଚ୍ଚଅଧିକାରୀ ଆସିବାକୁ ହେଲେ ଦୁଇ ଦିନ ସମୟ ଲାଗିଯାଇଥାଏ । ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱର କିମ୍ବା ବିଶାଖାପାଟଣା ହସ୍ପିଟାଲ ଯିବାକୁ ହେଲେ ଦୁଇଦିନ ସମୟ ଲାଗିଥାଏ । ବେଳେ ଯିବା ସମୟରେ ରୋଗୀଙ୍କ ମୃତ୍ୟୁ ହୋଇଥାଏ । ମନ୍ତ୍ରୀ ଓ ଉଚ୍ଚଅଧିକାରୀମାନେ ଆକାଶ ମାର୍ଗରେ ହେଲିକେପ୍ଟରରେ ଆସିଥାନ୍ତି । ସେମାନଙ୍କ ହେଲିକେପ୍ଟର ଅବଚରଣ ଓ ଉଡ଼ାଣ ପାଇଁ ବାରମ୍ବାର ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ ହୋଇଥାଏ । ଏହିସବୁ ଅସୁବିଧା, ଦୂରତା ଓ ମାଓଭୟକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଏକ ଏୟାରଷ୍ଟ୍ରିପ୍ଟିଏ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଗତ ୨୦୦୬ ନଭେମ୍ବର ୧୧ ତାରିଖରେ ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୫କିମି ଦୂର ଗୌଡଗୁଡ଼ା ପଞ୍ଚାୟତ ଅଧିନରେ ଥିବା ବାଟପାଲି ମୌଜା କଟେଲିଗୁଡ଼ା ଗାଁ ନିକଟରେ ଏୟାରଷ୍ଟ୍ରିପ୍ (ଉଡ଼ାଜାହାଜ ଉଡ଼ାଣ ଓ ଅବତରଣ ପଡ଼ିଆ) ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୧୯ ବର୍ଷ ଧରି ଏୟାର ପୋର୍ଟ ନିର୍ମାଣ କାମ ଚାଲିଛି । ଏହାରି ମଧ୍ୟରେ ୭୮ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି, ହେଲେ ଏପର୍ଯ୍ୟନ୍ତ ଏୟାଷ୍ଟ୍ରିପ୍ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ କି ନିୟମିତ ଭାବେ ବିମାନ ଚଳାଚଳ କରୁନାହିଁ । ଏହି ବିମାନ ବନ୍ଦରଟି କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ସାମିଲ ହୋଇ ନଥିବାରୁ ଘରୋଇ ବିମାନ ଉଡ଼ାଣ କିମ୍ବା ନିୟମିତ ଉଡ଼ାଣ ନେଇ କୌଣସି ନିର୍ଦ୍ଦେଶ ମିଳିନାହିଁ । ଏହି ବିମାନ ବନ୍ଦର ନିର୍ମାଣ ପାଇଁ ଗାଁ ଉଠିଗଲା ଲୋକଙ୍କୁ ଭିଟାମାଟି ଛାଡ଼ିବାକୁ ପଡ଼ିଲା । ହେଲେ ମାଲକାନଗିରିବାସୀଙ୍କ ଉଡ଼ାଜାହାଜରେ ବସିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।
ଏ ସମ୍ପର୍କରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଆର କେ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ମାଲକାନଗିରି ବିମାନ ବନ୍ଦର କାର୍ଯ୍ୟ ପ୍ରାୟ ସରିବାକୁ ବସିଲାଣି । ପରୀକ୍ଷାମୂଳକ ଭାବେ ପ୍ଲେନ୍ ଉଡ଼ିସାରିଛି, ଏୟାରଷ୍ଟ୍ରିପ୍ ନିର୍ମାଣ କାମ ପ୍ରାୟ ୯୫ ଭାଗ ସରିଯାଇଛି । ଉଡ଼ାଜାହାଜ ଉଡ଼ିବାରେ କିଛି ଅସୁବିଧା ନାହିଁ, ବାକି ସୁରକ୍ଷା ବାହିନୀଙ୍କ ପାଇଁ ଘର, ୱାଚ୍ ଟାୱାର, ଉଜ୍ୱଳ ଆଲୋକ, ଚିକିତ୍ସା କେନ୍ଦ୍ର, ବିମାନ ବନ୍ଦରଠାରୁ ମୁଖ୍ୟ ରାଜ୍ୟ ରାଜପଥକୁ ୮୫୦ମିଟର ୪ ଲାଇନ୍ ପିଚୁ ରାସ୍ତା ନିର୍ମାଣ କାମ ମଧ୍ୟ ଶେଷ ହୋଇଛି । କେବଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଲେ ବିମାନ ଚଲାଚଳ ଆରମ୍ଭ ହେବ । ମାଲକାନଗିରି ବିମାନ ବନ୍ଦରରୁ ନନ୍ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବାର ରହିଛି ଓ ଆରସିଏସ୍ ଉଡ଼ାଣ ଯୋଜନାରେ ସାମିଲ ଏହି ବିମାନ ବନ୍ଦରରେ ୧୬୦୦ ମିଟର୍ ରନୱେ ଥିବାରୁ ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହାପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ଏହି ବିମାନ ବନ୍ଦରକୁ କ୍ୟାଟେଗୋରୀ-୨ ବର୍ଗର ଏୟାରପୋର୍ଟ କରାଯିବ ବୋଲି ନେତା ମନ୍ତ୍ରୀ ଭାଷଣ ଦେଇଥିଲେ । ପରିବହନ ବିଭାଗ ବିଭିନ୍ନ ଏୟାରଲାଇନ୍ସ ସହିତ ଆଲୋଚନା କରିଛନ୍ତି । ଖୁବ୍ଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ତେବେ ଆଗକୁ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଲେ ସିଡ୍ୟୁଲ୍ ବିମାନ ଚଳାଚଳ ଆରମ୍ଭ ହେବ । ମାଲକାନଗିରି ଜିଲ୍ଲା ସୀମାନ୍ତକୁ ଲାଗି ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ରାଜ୍ୟ ରହିଛି । ବିମାନ ସେବା ଆରମ୍ଭ ହେଲେ ସେଠାରେ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବାର ବହୁତ ସମ୍ଭାବନା ରହିଛି । ଏହା ବ୍ୟତୀତ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର ବିଶାଖାପାଟଣା ହସ୍ପିଟାଲ ନେବାକୁ ସୁବିଧା ହେବ । କେନ୍ଦ୍ର ସରକାର ତୁରନ୍ତ ମାଲକାନଗିରି ବିମାନବନ୍ଦରଟିକୁ ଉଡ଼ାଣ ଯୋଜନାରେ ସାମିଲ କରି ଘରୋଇ ବିମାନ ଚଲାଚଳ କରିବା ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ହେଉଛି ।