ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାକୁ ମାଡ଼ିଆସୁଛି ବଡ଼ ବିପଦ । ୨୦୧୭ ପରେ ଫ୍ଲୋରିଡାରେ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ହରିକେନ୍ ‘ମିଲଟନ୍’ କରାଳ ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଥିବା ବେଳେ ତାମ୍ପା ଏବଂ ଓର୍ଲାଣ୍ଡୋକୁ ଖାଲି କରିବାକୁ ପ୍ରଶାସନ ସବୁ ବଳ ଖଟାଇଦେଇଛି । ୨୦୧୭ରେ ଆସିଥିବା ହରିକେନ୍ ଇର୍ମା ଯୋଗୁଁ ଏହି ସବୁ ସ୍ଥାନରୁ ପ୍ରାୟ ୭୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା ।
ହରିକେନ୍ ପ୍ରୋଗ୍ରେସୋ ଏବଂ ମେକ୍ସିକୋରୁ ୩୫୪ କିଲୋମିଟର ଉତ୍ତରପଶ୍ଚିମରେ ଥିବା ବେଳେ ତାମ୍ପାରୁ ୧୨ କିଲୋମିଟର ଦୂରରେ ରହିଛି । ହରିକେନ୍ ମିଲଟନ୍ ୯ କିଲୋମିଟର ପ୍ରତି ଘଣ୍ଟା ବେଗରେ ସ୍ଥଳଭାଗ ଆଡ଼ୁକୁ ମୁହାଁଉଛି ବୋଲି ହରିକେନ୍ କେନ୍ଦ୍ରରୁ ସୂଚନା ମିଳିଛି । ମିଲଟନ୍ ହରିକେନ୍ ତାମ୍ପା ଉପକୂଳରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ମେକ୍ସିକୋ ଆଡ଼କୁ ମୁହାଁଇବ । ପରେ ଶକ୍ତି କମ୍ ହୋଇଯିବା ସହ ମିଲଟନ୍ ଅଟଲାଣ୍ଟିକ ମହାସାଗରରେ ପ୍ରବେଶ କରିବ ।
ଏହା ପୂର୍ବରୁ ହରିକେନ୍ ହେଲେନେ ପ୍ରଭାବରେ ଫ୍ଲୋରିଡାରେ ପ୍ରାୟ ୨୩୦ ଲୋକଙ୍କ ଜୀବନ ଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଆଉ ଏବେ ହରିକେନ୍ ମିଲଟନ୍ ପ୍ରଭାବରେ ଫ୍ଲୋରିଡାରେ ବର୍ଷା ଲାଗି ରହିଛି । ପରବର୍ତ୍ତୀ ସମୟରେ ଫ୍ଲୋରିଡାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିପାରେ ।
ସେପଟେ ହରିକେନ୍ର ଭୟାବହତାକୁ ଦେଖି ସ୍ଥାନୀୟ ପ୍ରଶାସନ ଜୋରଦାର ପ୍ରସ୍ତୁତି ଚଳାଇଛି । ୧୦ ଦିନ ପୂର୍ବରୁ ହେଲେନେ ତାଣ୍ଡବ ରଚିଥିବା ବେଳେ ଆଉ ଏକ ହରିକେନ୍କୁ କିଭଳି ପ୍ରଭାବୀ ଢ଼ଙ୍ଗରେ ମୁକାବିଲା କରିହେବ ଏବଂ କ୍ଷୟକ୍ଷତିକୁ ରୋକିହେବ ତାଉପରେ ଜୋର ଦିଆଯାଉଛି ବୋଲି ଫ୍ଲୋରିଡାର ଗଭର୍ଣ୍ଣର ରୋନ୍ ଡିସାଣ୍ଟିସ୍ କହିଛନ୍ତି ।