ଭୁବନେଶ୍ୱର, ୦୮/୦୧ : ୨୦୨୫ର ପ୍ରଥମ ଦିନକୁ ସ୍ୱାଗତ କରିବେ । ସେଥିପାଇଁ ଡିସେମ୍ବର ଶେଷ ସପ୍ତାହରେ ଫୁଲ ତୋଡ଼ା ପାଇଁ ଦିଆଯାଇଥିଲା ବରାଦି । କିଏ ୧୫ ହଜାର ଟଙ୍କାର ବରାଦି ଦେଇଥିଲେ ତ କିଏ ୨୦ ହଜାରର । ହେଲେ ଠିକ୍‌ ନୂଆବର୍ଷର ପୂର୍ବଦିନ ଦେଇଥିବା ଅଧିକାଂଶ ଫୁଲକୁ ବାତିଲ କରିଦେଲେ ଗ୍ରାହକ । ଯାହା ଫୁଲ ବ୍ୟବସାୟୀଙ୍କ ପାଇଁ ସାଜିଲା କାଳ। ଚଳିତ ନୂଆବର୍ଷରେ ରାଜଧାନୀର ଫୁଲ ବ୍ୟବସାୟୀମାନେ ପ୍ରାୟ ସାଢ଼େ ୩ କୋଟିର କ୍ଷତି ସହିଛନ୍ତି। 

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶୋକ ସପ୍ତାହ ଚାଲିଥିବାରୁ ଫୁଲବଜାରରେ ଏପରି ଦୟନୀୟ ଅବସ୍ଥା ଦେଖାଯାଇଥିଲା । ନୂଆବର୍ଷରେ ଦୋକନ ଭିତରେ ଓ ବାହାରେ ଫୁଲ ତ ସଜେଇ ହୋଇଥିଲା । ହେଲେ ବେପାର ନଥିଲା । କିଛି ଲୋକ ଫୁଲ କିଣିଲେ ହେଲେ ସରକାରୀ ବାବୁ ଓ ନେତା ମନ୍ତ୍ରୀଙ୍କ ତରଫରୁ ଦିଆଯାଇଥିବା ସମସ୍ତ ବରାଦି ବାତିଲ ହୋଇଗଲା । ନା କେହି ଫୁଲ ନେଲେ ନା କେହି ଦେଲେ । ଯାହାଦ୍ୱାରା ମୁଖ୍ୟଫୁଲ ବେପାର ମାଡ଼ ଖାଇଲା । ୧୫ ହଜାର ଫୁଲ ବରାଦି ଦେଇଥିବା ଲୋକେ ୧୦୦୦ ଟଙ୍କା ଅଗ୍ରୀମ ଦେଇଥିଲେ। ପରବର୍ତ୍ତି ସମୟରେ ସେହି ଫୁଲକୁ ନେବାପାଇଁ ମନା କରିବାରୁ ସବୁତକ ଫୁଲର ଖର୍ଚ୍ଚ ଦୋକାନୀଙ୍କ ମୁଣ୍ଡରେ ହିଁ ପଡ଼ିଥିଲା। ତଥାପି ଫୁଲ ଦୋକାନୀ ଆଶା ରଖିଥିଲେ ଶୋକ ସପ୍ତାହ ପରେ ଅର୍ଥାତ ନୂଆ ବର୍ଷ ପରଦିନ ବେପାର ହେବ। ହେଲେ ସେମାନଙ୍କ ଆଶା ବାସ୍ତବ ରୂପ ନେଲାନାହିଁ । ଲୋକମାନେ ଆଉ ରାଜି ହୋଇନଥିଲେ ନୂଆବର୍ଷର ପରଦିନ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଦେବା ପାଇଁ। 

ବରାଦି ଅନୁଯାୟୀ ଦେକାନୀମାନେ ଫୁଲ ଡେମ୍ଫକୁ କାଟି ଚିକ୍‌ମିକ୍‌ ଜରି ଲଗେଇ ସଜେଇଦେଇଥିଲେ । କେତେକ ଫୁଲ ବ୍ୟବସାୟୀଙ୍କ କହିବା କଥା, ଲୋକମାନେ ଫୁଲ ନ ନେବାରୁ ଟ୍ରକ୍‌ ଟ୍ରକ୍‌ ଫୁଲକୁ ଆଜି ବିଏମ୍‌ସିର ସଫେଇ କର୍ମଚାରୀମାନେ ସଫା କରିଛନ୍ତି । ବୋଝ ଉପରେ ନଳିତା ବିଡ଼ା ଭଳି ଏହି ପଚା ଫୁଲକୁ ସଫା କରିବା ପାଇଁ ମଧ୍ୟ ଆମକୁ ସେଫେଇ କର୍ମଚାରୀମାନଙ୍କୁ ଜୋରିମାନା ଦେବାକୁ ପଡ଼ିଲା ।

ଏଭଳି କ୍ଷତି ଦୋକାନ କଲା ଦିନଠୁ ଦେଖିନି

ଏ ବର୍ଷରେ ଏମିତି କ୍ଷତି ଦୋକାନ କଲା ଦିନଠାରୁ ଦେଖିନଥିଲୁ । ସବୁତକ ସରକାରୀ ବରାଦି ବାତିଲ କରିଦେଲେ । ଚିହ୍ନାଜଣା ଭିତରେ ଯିଏ ୧୫ ହଜାର କିମ୍ବା ୨୦ ହଜାର ଟଙ୍କାର ଫୁଲ ବରାଦି ଦେଉଥିଲେ ସେମାନଙ୍କ ପାଖରୁ ହଜାରେ ଟଙ୍କା ଲେଖାଏଁ ଆଡଭାନ୍ସ ରଖିଥିଲୁ । ପରବର୍ତ୍ତି ସମୟରେ ସେମାନେ ଫୁଲ ନେବାକୁ ମନା କରିଦେଲେ ଯାହାଫଳରେ ଆମେ ଟ୍ରକ ଟ୍ରକ ଫୁଲ ଫୋପାଡ଼ିଲୁ । ମୋ ନିଜର ଲକ୍ଷେ ଟଙ୍କାର କେବଳ ଲିଲି ଫୁଲ ପଚିଗଲା । ମୂଳ ତ ଛାଡ଼ ଫୁଲର ଅଧା ଟଙ୍କାବି ଉଠିପାରିଲା ନାହିଁ। 

ବିଭୂତି ଭୁଷଣ ସ୍ୱାଇଁ, ଫୁଲ ବ୍ୟବସାୟୀ