ବାଲେଶ୍ୱର,୦୫/୦୮: ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ରବିବାର ବିଳମ୍ବିତ ରାତିରେ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ୱାଳ ଓ ଅଣଛାତ୍ର ଶୁଭ୍ରସମ୍ବିତ ନାୟକ୍ରଙ୍କୁ ଗିରଫ କରିଛି । ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ୨ଜଣଙ୍କ ଗିରଫ ପରେ ଟିମ୍‌ ହାତରେ ଆହୁରି ଲମ୍ବା ତାଲିକା ଥିବା ଶୁଣିବାକୁ ମିଳୁଛି । ଆଗକୁ କେଉଁମାନଙ୍କ ପାଳି ପଡ଼ିବ ତା’ ଉପରେ ଏବେ ସମସ୍ତଙ୍କ ନଜର ।  

ଗିରଫ ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ସୋମବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ସହ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ । ସେମାନଙ୍କଠାରୁ ଜବତ କିଛି ନୂଆ ପ୍ରମାଣପତ୍ର, ଦସ୍ତାବିଜ୍‌କୁ କୋର୍ଟରେ ଦାଖଲ କରାଯାଇଛି । ଏହିସବୁ ପ୍ରମାଣପତ୍ର ଓ ଦସ୍ତାବିଜ୍‌ ଫରେନ୍‌ସିକ ଲ୍ୟାବ୍‌କୁ ପଠାଇବା ପାଇଁ କୋର୍ଟର ଅନୁମତି ମାଗିଥିଲେ । ଅଦାଲତ ପକ୍ଷରୁ ଉଭୟଙ୍କୁ ରିମାଣ୍ଡରେ ନେବା ପାଇଁ ଅନୁମତି ମିଳିଛି କି ନାହିଁ ତାହା କ୍ରାଇମବ୍ରାଞ୍ଚ୍ ସ୍ପଷ୍ଟ କରିନି । ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ପୂର୍ବରୁ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ, ଏଚ୍‌ଓଡି ସମୀର କୁମାର ସାହୁଙ୍କୁ ଗିରଫ କରିଥିଲା ।   

ସଦର ବ୍ଲକ ଅନ୍ତର୍ଗତ ଦୁବ୍‌ଲାଗଡ଼ି ଅଞ୍ଚଳର ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଥିଲେ । ସେହିଭଳି ଭଦ୍ରକ ଜିଲ୍ଲା ଚୁଡ଼ାମଣି ଅଞ୍ଚଳର ଶୁଭ୍ରସମ୍ବିତ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରୁଥିଲେ । ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ମଧ୍ୟ ଦେଉଥିଲେ । ଉଭୟଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ୧୦୮/୬, ୨-ଏ ବିଏନଏସ୍‌ ଭଳି ସଙ୍ଗିନ ଦଫା ଲଗାଇଛି । ଅର୍ଥାତ ଉଭୟ ଛାତ୍ରୀଙ୍କୁ ଆତ୍ମାହୁତି ପାଇଁ ଉସୁକାଇଥିବା ଏହି ଦଫା ପ୍ରମାଣିତ କରୁଛି ।   

ଛାତ୍ରୀଙ୍କ ଆତ୍ମାହୁତି ପରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଥିଲା । ଛାତ୍ରୀ କଲେଜ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ଏହି ଭିଡିଓ ସ୍ପଷ୍ଟ କରିଥିଲା । କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜି ଏସ୍‌ ସାଇନିଙ୍କ ତତ୍ତ୍ୱାବଧାନରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜ୍ୟୋତିପ୍ରକାଶ ଏସ୍‌ସିବିରେ ଚିକିତ୍ସିତ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ତାଙ୍କଠାରୁ ଛାତ୍ରୀଙ୍କ ଆତ୍ମାହୁତି ବେଳର ୩୦ ମିନିଟ୍‌ର ଭିଡିଓ ତାଙ୍କ ମୋବାଇଲରୁ ଜବତ କରାଯାଇଥିଲା ।  ଏହି ଭିଡିଓ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଅନେକ ସହାୟତା କରିଛି । ଏହି ଭିଡିଓକୁ ଆଧାର କରି  କ୍ରାଇମବ୍ରାଞ୍ଚ ଟିମ୍‌ ଘଟଣାର ଆଢ଼ୁଆଳରେ ଥିବା ଅନେକ ଲୋକଙ୍କୁ ଚିହ୍ନଟ କରିଛି । ସେମାନଙ୍କ ତାଲିକା ଲମ୍ବା । ଆଗାମୀ ଦିନରେ ଆହୁରି କିଛି ଛାତ୍ରଛାତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବାର ଆଶଙ୍କା କରାଯାଉଛି । ଏହାବ୍ୟତୀତ ଆଇସିସି ଟିମ୍‌ ଦେଇଥିବା ରିପୋର୍ଟ ବିଷୟରେ ଏଚ୍‌ଓଡି ଶ୍ରୀ ସାହୁ ପୂର୍ବରୁ ଜାଣିଥିଲେ । ଏହି ରିପୋର୍ଟ କେମିତି ଏଚ୍‌ଓଡି ଆଗୁଆ ଜାଣିଲେ ସେ ନେଇ କ୍ରାଇମବ୍ରାଞ୍ଚ କଲେଜ କର୍ତ୍ତୃପକ୍ଷଙ୍କ ସମେତ  କିଛି ଅଧ୍ୟାପକଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲେ।  ସେମାନେ ମଧ୍ୟ କ୍ରାଇମବ୍ରାଞ୍ଚ ସ୍କାନରରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଗିରଫ ହୋଇପାରନ୍ତି ବୋଲି ସୂଚନା ମିଳିଛି।