ବାଲେଶ୍ୱର,୦୪/୦୭: ଫକୀରମୋହନ (ଏଫ୍‌ଏମ୍‌) ସ୍ୱୟଂଶାସିତ  ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ କ୍ରାଇମବ୍ରାଞ୍ଚ ରବିବାର ରାତିରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆତ୍ମାହୁତିର ୨୦ ଦିନ  ପରେ କ୍ରାଇମବ୍ରାଞ୍ଚ ଏହି କଲେଜ୍‌ର ୨ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ । ଛାତ୍ରୀଙ୍କୁ ଆତ୍ମାହୁତିରେ ସହଯୋଗ କରିଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଥିଲା। ପରେ ଏସ୍‌ଡିଜେଏମ୍‌ଙ୍କ ପାଖରେ ହାଜର କରାଯାଇଥିଲା`। ଉଭୟଙ୍କୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରୁଥିଲାବେଳେ ଜ୍ୟୋତିପ୍ରକାଶ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ଏଥିରେ ସେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ମେଡିକାଲ୍‌ରେ ଚିକିତ୍ସିତ ହେଉଥିଲେ । ଗତ  ୨୮ ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।  


ଗତ ଜୁଲାଇ ୧୨ ତାରିଖରେ ଏଫ୍‌ଏମ୍‌  ଛାତ୍ରୀ କ୍ୟାମ୍ପସ୍‌ ପରିସରରେ ଆତ୍ମାହୁତି  ଉଦ୍ୟମ କରି ଗୁରୁତର ହୋଇଥିଲେ । ସେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ  ହେଉଥିଲାବେଳେ ଦୁଇଦିନ ପରେ ପ୍ରାଣ ହରାଇଥିଲେ । ଏହାକୁ ନେଇ ସାରା  ରାଜ୍ୟରେ ତମ୍ବିତୋଫାନ ହୋଇଥିଲା । ଗତ ୧୬ ତାରିଖରୁ କ୍ରାଇମ୍‌ବ୍ରାଞ୍ଚର ମହିଳା ଓ  ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍‌ ସାଇନିଙ୍କ ନେତୃତ୍ୱରେ ଏକ ଟିମ୍‌  ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଟିମ୍‌ କଲେଜ କ୍ୟାମ୍ପସ, ପେଟ୍ରୋଲ୍‌  ପମ୍ପରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଜବତ କରିଥିଲା । ଟିମ୍‌ କଲେଜ୍‌ର  ୫୦ରୁ ଅଧିକ ଛାତ୍ରଙ୍କୁ ପଚରାଉଚରା କରିଥିଲା । ଗିରଫ ଜ୍ୟୋତିପ୍ରକାଶଙ୍କ  ମୋବାଇଲ୍‌ର ଆତ୍ମାହୁତି ବେଳର ୩୦ ମିନିଟ୍‌ର ଭିଡିଓ ମିଳିଥିଲା ।