ଭୁବନେଶ୍ୱର, ୧୫/୧୧ : ସାମଗ୍ରିକ ଯତ୍ନ, କାର୍ଯ୍ୟ କ୍ଷେତ୍ରରେ ସହଯୋଗାତ୍ମକ ପରିବେଶ ସୃଷ୍ଟି ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟ ପରିଚାଳନା ଦ୍ୱାରା ହିଁ ମଧୁମେହ ଭଳି ବ୍ୟାଧିକୁ ମୁକାବିଲା କରି ହେବ ବୋଲି ଶୁକ୍ରବାର ବିଶେଷଜ୍ଞ ମତ ଦେଇଛନ୍ତି । ବର୍ତ୍ତମାନ ମୋଟାପଣ ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଟାଇପ୍ ୨ଡାଇବେଟିସ୍ ସମସ୍ୟା ଦେଖାଦେଉଛି । ଏ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ ବୋଲି କଟକ ଏସସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲର ଏଣ୍ଡୋକ୍ରାଇନୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର (ଡାକ୍ତର) ମନୋଜ ବଳିୟାରସିଂହ କହିଛନ୍ତି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଯୋଗଦେଇ ପ୍ରଫେସର ବଳିୟାରସିଂହ କହିଥିଲେ ଯେ, ସାରା ବିଶ୍ୱରେ ପ୍ରାୟ ୫୮.୯ କୋଟି ମଧୁମେହ ରୋଗୀ ରହିଥିବାବେଳେ କେବଳ ଭାରତରେ ଅଛନ୍ତି ୧୦.୭ କୋଟି ରୋଗୀ । ସାରା ଭାରତରେ ମଧୁମେହ ରୋଗୀଙ୍କ ମଧ୍ୟରୁ ସହରାଞ୍ଚଳରେ ୧୦.୨ପ୍ରତିଶତ ରୋଗୀ ରହିଥିବାବେଳେ ଗ୍ରାମାଞ୍ଚଳରେ ୭ ପ୍ରତିଶତ ରୋଗୀ ଅଛନ୍ତି ବୋଲି ସେ କହିଛନ୍ତି ।
ବିଶ୍ୱ ମଧୁମେହ ଦିବସ ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ମଧୁମେହ ରୋଗର ନିରାକରଣ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏକ ୱାକାଥନ୍ର ଆୟୋଜନ କରାଯାଇଥିଲା । ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଏଣ୍ଡୋକ୍ରାଇନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଜୟଭାନୁ କନୱର, ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସମୀର ସାହୁ ଓ ମେଡିସିନ୍ ସ୍ପେଶିଆଲିଷ୍ଟ ପ୍ରଫେସର ଲଳିତ ମେହେର ବକ୍ତବ୍ୟ ରଖିଥିଲେ ।
ନଭେମ୍ବର ୧୪ତାରିଖ ଯାହାକି ନୋବେଲ ପୁରସ୍କାର ବିଜେତା ସାର ଫ୍ରେଡରିକ୍ ବ୍ୟାଂଟିକ୍ଙ୍କ ଜନ୍ମ ଦିବସ ସେହି ଦିବସ ପରିପ୍ରେକ୍ଷୀରେ ବିଶ୍ୱ ମଧୁମେହ ଦିବସ ପାଳନ କରାଯାଇଥାଏ । ସାର ଫ୍ରେଡରିକ୍ ବ୍ୟାଂଟିକ ମଧୁମେହ ରୋଗର ଚିକିତ୍ସା ପାଇଁ ଇନ୍ସ୍ୟୁଲିନ୍ ଆବିଷ୍କାର କରିଥିଲେ ଯେଉଁଥି ପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।