ପୁରୀ,୦୨/୦୧: କୁହୁଡି ପାଇଁ କଟକଣା । ଦିନ ୧୧ ଯାଏଁ ଚିଲିକାରେ ଡ଼ଙ୍ଗା ଚଳାଚଳ ବନ୍ଦ । ଛୋଟ ମଟର ବୋଟ, ମାଲବାହୀ ଡ଼ଙ୍ଗା ଓ ଭସାପୋଲ ସବୁକିଛିକୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ପ୍ରବଳ କୁହୁଡିରେ ଚିଲିକା ଅଞ୍ଚଳରେ ଦୃଶ୍ୟମାନତା କମୁଥିବାରୁ ଏଭଳି ଦୃଢ଼ ପଦକ୍ଷେପ ନେଇଛି ପ୍ରଶାସନ ।ଘନ କୁହୁଡି ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଘନ କୁହୁଡି ସମୟରେ କୌଣସି ବି ପରିବହନ ଯେପରି ନ ହୁଏ ତାକୁ ନଜରରେ ରଖିବେ ପୁଲିସ ଓ ସ୍ଥାନୀୟ ପ୍ରଶାସନ । ଏ ନେଇ ସ୍ଥାନୀୟ ଲୋକଙ୍କୁ ଡାକ ବାଜି ଯନ୍ତ୍ର ଦ୍ବାରା ସଚେତନ କରାଇବେ ସ୍ଥାନୀୟ ବିଡ଼ିଓ । ଗତକାଲି କୁହୁଡି ଯୋଗୁଁ ଏକ ଭସାପୋଲ ଚିଲିକା ମଝିରେ ଫସିଥିଲା ଓ ଜଣେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ତେବେ ଯଦି କେହି ଏହି ନିଷ୍ପତିକୁ ଅମାନ୍ୟ କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏ ନେଇ ପୁରୀ ଏସପି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଓ କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କୁ ଚିଠି ହୋଇଛି ।