ନୂଆଦିଲ୍ଲୀ/ଭୁବନେଶ୍ଵର, ୧୯। ୧୧ : ଗତ ୧୪ ତାରିଖ ଠାରୁ ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’। ଏହାର ଷଷ୍ଠ ଦିବସରେ ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓଡ଼ିଶା ପାଭିଲିୟନ ପରିଦର୍ଶନ କରିଛନ୍ତି। ମଣ୍ଡପରେ ପ୍ରଦର୍ଶିତ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟ ସହିତ ବିକାଶର ପ୍ରତିଛବିକୁ ପ୍ରଶଂସା କରିଥିଲେ ।
ମନ୍ତ୍ରୀ ଶ୍ରୀ ପାତ୍ର ଓଡ଼ିଶା ପାଭିଲିୟନର ବିଭିନ୍ନ ଷ୍ଟଲ ପରିଦର୍ଶନ କରି ପ୍ରଦର୍ଶନୀ ମେଳାରେ ଅଂଶଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ମିଶନ ଶକ୍ତିର ସଦସ୍ୟା, ନବ-ଉଦ୍ୟୋଗୀ ଓ ଶିଳ୍ପୀ ଆଦିଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ତତସହିତ, ନିଜନିଜର ସୁବିଧା ଅସୁବିଧା ଏବଂ ଓଡିଶା ମଣ୍ଡପକୁ ଆସୁଥିବା ଦେଶବିଦେଶର ଜନସାଧାରଣଙ୍କ ମଧ୍ୟରେ ଆମ ଉତ୍ପାଦର ଚାହିଦା ଓ ବିକ୍ରିବଟା ଆଦି ସମ୍ପର୍କରେ ପଚାରି ବୁଝିବା ସହିତ ନିଜନିଜ ଅଞ୍ଚଳର ହସ୍ତଶିଳ୍ପ ମାଧ୍ୟମରେ ବିଶ୍ଵ ବଜାରରେ ଓଡିଶାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଧନ୍ୟବାଦ ଦେଇଥିଲେ ।
ଓଡ଼ିଶା ମଣ୍ଡପରେ ବିଭିନ୍ନ ଉତ୍ପାଦର ଭଲ ଚାହିଦା ରହିଛି । ଦେଶ ବିଦେଶରୁ ଆସୁଥିବା ଦର୍ଶକମାନେ ଏହାକୁ କିଣିବା ପାଇଁ ବିଶେଷ ଆଗ୍ରହ ଦେଖାଉଛନ୍ତି । ଏହାସହ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବାରେ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପ୍ରମୁଖ ମାଧ୍ୟମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।
ପଶ୍ଚିମବଙ୍ଗର ସାଂସଦ ଡୋଲା ସେନଙ୍କ ଅଧ୍ୟକ୍ଷତାରେ ଗଠିତ ବିଭାଗ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନଙ୍କ ମଧ୍ୟରୁ ଓଡିଶା ପାଭିଲିୟନ ଦାୟିତ୍ଵରେ ଥିବା ସଦସ୍ୟ ତଥା ପୂର୍ବତନ କ୍ରିକେଟର ଓ ପଶ୍ଚିମବଙ୍ଗ ବହରମପୁରର ସାଂସଦ ୟୁସୁଫ ପଠାନ ଏବଂ ଆସ୍କାର ସାଂସଦ ଅନିତା ଶୁଭଦର୍ଶିନୀ ମଙ୍ଗଳବାର ଓଡ଼ିଶା ମଣ୍ଡପର ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ଶିଳ୍ପୀ ଓ ବୁଣାକାରଙ୍କ ସହ ଭାବ ବିନିମୟ କରିଥିଲେ ।
ଓଡ଼ିଶା ମଣ୍ଡପ ବେଶ୍ ଆକର୍ଷଣୀୟ ହୋଇଛି । ଏଠାରେ ପ୍ରଦର୍ଶିତ ଓଡିଶାର ଅନନ୍ୟ ହସ୍ତତନ୍ତ, ହସ୍ତଶିଳ୍ପ ତଥା ଗ୍ରାମୀଣ ଉତ୍ପାଦ ସହିତ ଲାଇଭ୍ ଡେମନଷ୍ଟ୍ରେସନ ଅନ୍ୟତମ ଆକର୍ଷଣ ପାଲଟିଛି । ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଥିମକୁ ଓଡ଼ିଶା ମଣ୍ଡପରେ ଅତି ନିଖୁଣ ଭାବେ ପ୍ରଦର୍ଶନ କରାଯାଇଛି ବୋଲି ସାଂସଦ ୟୁସୁଫ ପଠାନ କହିଥିବା ବେଳେ, ଓଡ଼ିଶା ମଣ୍ଡପର ଅଧିକାଂଶ ଷ୍ଟଲରେ ମହିଳାମାନଙ୍କ ନେତୃତ୍ୱ, ଓଡିଶାରେ ନାରୀ ସଶକ୍ତିକରଣର ଏକ ସୁନ୍ଦର ବାର୍ତ୍ତା ଦେଉଛି ବୋଲି ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ କହିଥିଲେ । ଆଜିଠାରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଥିବାରୁ, ଓଡ଼ିଶା ପାଭିଲିୟନରେ କ୍ରମଶଃ ଜନଗହଳି ବୃଦ୍ଧିପାଇବା ସହିତ, ବିକ୍ରୀରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳୁଛି ।