ବ୍ରହ୍ମପୁର, ୩୧/୩(ବ୍ୟୁରୋ): ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଟ୍ୟାଙ୍କ୍‌ ରୋଡ୍‌ ସ୍ଥିତ ଫୁଡ୍‌ ହବ୍‌କୁ ‘ଇଟ୍‌ ରାଇଟ୍‌ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌’ ମାନ୍ୟତା ମିଳିଛି। ଏହି ମାନ୍ୟତା ୨୮ ମାର୍ଚ୍ଚ ୨୦୨୫ରୁ ୨୭ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଦୁଇ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ବୋଲି ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଜାରି ପ୍ରମାଣପତ୍ରରେ ଦର୍ଶାଯାଇଛି। ରାମଲିଙ୍ଗେଶ୍ୱର ଟ୍ୟାଙ୍କ ରୋଡ୍‌ ସ୍ଥିତ ଫୁଡ୍‌ ହବ୍‌ରେ ପ୍ରତିଦିନ ହଜାର ହଜାର ଲୋକ ଷ୍ଟ୍ରିଟ୍‌ ଫୁଡ୍‌ ଖାଇଥାନ୍ତି। ତେବେ ଏଠାରେ ପ୍ରସ୍ତୁତ ଖାଦ୍ୟ ଏଫ୍‌ଏସ୍‌ଏସ୍‌ଏଆଇର କଠୋର ସୁରକ୍ଷା ନିୟମକୁ ଅନୁସରଣ କରି ପ୍ରସ୍ତୁତି ଓ ପରିବେଷଣ କରାଯାଉଛି। ଏଥିସହ ବ୍ୟବସାୟୀମାନେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି। ଖାଦ୍ୟ ସୁରକ୍ଷା ଦିଗରେ ପ୍ରତିବଦ୍ଧତା ସ୍ୱରୂପ ଫୁଡ୍‌ ଷ୍ଟଲ୍‌ ମାଲିକ ଓ କର୍ମଚାରୀମାନେ ସଫଳତାର ସହ ଏଫ୍‌ଏସ୍‌ଏସ୍‌ଏଆଇର ତାଲିମ ଏବଂ ପ୍ରମାଣପତ୍ର(ଏଫ୍‌ଓଏସ୍‌ଟିଏସି) କାର୍ଯ୍ୟକ୍ରମ ସାରିଛନ୍ତି। ଏହା ସେମାନଙ୍କୁ ମୌଳିକ କ୍ୟାଟରିଂ ବା ଖାଦ୍ୟ ପ୍ରସ୍ତୁତି ଓ ବିତରଣ ଅଭ୍ୟାସରେ ଅତ୍ୟାବଶ୍ୟକ ଜ୍ଞାନ ଏବଂ ଦକ୍ଷତା ପ୍ରଦାନ କରିଛି। 

‘ଇଟ୍‌ ରାଇଟ୍‌ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌’ ପଦକ୍ଷେପର ଉଦ୍ଦେଶ୍ୟ ରାସ୍ତାପାର୍ଶ୍ୱ ଓ ମୁକ୍ତାକାଶ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା ଏବଂ କଲ୍ୟାଣର ସଂସ୍କୃତିକୁ ପ୍ରୋତ୍ସାହିତ କରିବା। ରାମଲିଙ୍ଗେଶ୍ୱର ଟ୍ୟାଙ୍କ୍‌ ରୋଡ୍‌ ସ୍ଥିତ ଫୁଡ୍‌ ହବ୍‌ ଏଫ୍‌ଏସ୍‌ଏସ୍‌ଏଆଇର କଠୋର ମୂଲ୍ୟାଙ୍କନ ମାନଦଣ୍ଡ ପାଳନ କରି ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଛି। ଏକ ପ୍ୟାନେଲ୍‌ଭୁକ୍ତ ଏଜେନ୍‌ସି ଦ୍ୱାରା ପରିଚାଳିତ ବ୍ୟାପକ ଅଡିଟ୍‌ ମୌଳିକ ସ୍ୱଚ୍ଛତା, ଖାଦ୍ୟ ପ୍ରସ୍ତୁତି ଅଭ୍ୟାସ ଏବଂ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖାଦ୍ୟ ସାରଣୀ ଅନୁଯାୟୀ ପୁଷ୍ଟିକର ଖାଦ୍ୟର ବ୍ୟବସ୍ଥା ସମେତ ଅତ୍ୟାବଶ୍ୟକ ପରିମାପକ ସହିତ ଫୁଡ୍‌ ହବ୍‌ର ଅନୁପାଳନକୁ ମୂଲ୍ୟାଙ୍କନ କରିଥିଲା। ଗତ ଫେବ୍ରୁଆରୀ ମାସରେ ଏଫ୍‌ଏସ୍‌ଏସ୍‌ଏଆଇର ୩ ଜଣିଆ ଟିମ୍‌ ଆସିଥିଲେ। ରାମଲିଙ୍ଗେଶ୍ୱର ଟ୍ୟାଙ୍କ ରୋଡ୍‌ ସ୍ଥିତ ଫୁଡ୍‌ ହବ୍‌ରେ ବିଭିନ୍ନ ବ୍ୟବସ୍ଥା ସହ ନିଜସ୍ୱ ସାମଗ୍ରୀ, ବ୍ୟବହାର ହେଉଥିବା ଉପକରଣ ଓ ପ୍ରସ୍ତୁତି ସ୍ଥାନ ବୁଲି ଦେଖିଥିଲେ। ଦୁଇ ଦିନ ପୂର୍ବରୁ ରାମଲିଙ୍ଗେଶ୍ୱର ଟ୍ୟାଙ୍କ ରୋଡ୍‌ ସ୍ଥିତ ଫୁଡ୍‌ ହବ୍‌କୁ ‘ଇଟ୍‌ ରାଇଟ୍‌ ଷ୍ଟ୍ରିଟ୍‌ ଫୁଡ୍‌ ହବ୍‌’ ମାନ୍ୟତା ପ୍ରଦାନ କରିଛନ୍ତି।