ଶିଶୁର କେବଳ ଶରୀର କୋମଳ ନୁହେଁ, ତା’ର ହଜମ ପ୍ରକ୍ରିୟା ମଧ୍ୟ ମାନ୍ଦା। ତେଣୁ ଶିଶୁକୁ ୫ ବର୍ଷ ନ ହେବା ଯାଏ ଏଣୁତେଣୁ ଅନେକ ଖାଦ୍ୟପାନୀୟ ଠାରୁ ଦୂରେଇ ରଖିବା ଜରୁରି । ଆଜିକାଲି ପ୍ରାୟ ପରିବାରରେ ପିଲାକୁ ଏଣୁତେଣୁ କିଛି ବି ଖୁଆଇବାକୁ ପଛଘୁଞ୍ଚା ହେଉ ନାହାନ୍ତି । ଯାହାର କୁପ୍ରଭାବ ଶିଶୁ ଶରୀର ଉପରେ ଦେଖିବାକୁ ମିଳିଥାଏ । ପିଲାକୁ ବିଭିନ୍ନ ସମସ୍ୟାଠାରୁ ଦୂରେଇ ରଖିବା ପାଇଁ ସବୁଠାରୁ ଭଲ ବିକଳ୍ପ ହେଉଛି ଏସବୁ ଖାଦ୍ୟଠାରୁ ଦୂରେଇ ରଖିବା । 

ଲଙ୍କା-ମସଲାଯୁକ୍ତ ଖାଦ୍ୟ: ପିଲାକୁ ୫ ବର୍ଷ ନ ହେବା ଯାଏ ରାଗ ଓ ମସଲାଯୁକ୍ତ ଖାଦ୍ୟ ଦେବା ଅନୁଚିତ୍‌ । ଏହା ପିଲାର ପାଚନତନ୍ତ୍ରରେ ସମସ୍ୟା ସୃଷ୍ଟି କରେ। ଯେପରିକି ପେଟ ଯନ୍ତ୍ରଣା,ବାନ୍ତି ଓ ନାଳଝାଡା ଆଦି ରୋଗରେ ପଡିପାରେ । 

ଚକୋଲେଟ୍‌ ଓ ଅନ୍ୟାନ୍ୟ ମିଠା: ଯଦି  ଆପଣ ପିଲାକୁ ଅଧିକ ମିଠା ଓ ଚକୋଲେଟ୍‌ ଖାଇବାକୁ ଦେଉଥାନ୍ତି। ତେବେ ସାବଧାନ ହୋଇଯାଆନ୍ତୁ । ନଚେତ୍‌ ପିଲାର ଦାନ୍ତ ଖରାପ ହେବା ସହ ମଧୁମେହ ଓ ମୋଟାପଣର ଆଶଙ୍କା ବଢିଥାଏ । 

କଞ୍ଚା ଅଣ୍ଡା ଓ ମାଂସ:  କଞ୍ଚା ଅଣ୍ଡା ଓ ମାଂସ ଖୁଆଇବା ଦ୍ୱାରା ପିଲାଙ୍କଠାରେ ସାଲମୋନେଲା ଏବଂ ଇ-କୋଲାଇ ପରି ଜୀବାଣୁ ସଂକ୍ରମିତ ହୋଇପାରେ, ଯାହା ସେମାନଙ୍କ ପାଇଁ କ୍ଷତିକାରକ। ଏହା ପିଲାଙ୍କ କିଡ୍‌ନୀ ପାଇଁ ଖୁବ୍‌ ଘାତକ । 

ପ୍ରୋସେସ୍‌ଡ ଫୁଡ୍‌:  ପ୍ରୋସେସ୍‌ଡ ଫୁଡ୍‌ ଯେପରିକି ଚିପ୍ସ, ପିଜା, ବର୍ଗର ପରି ଖାଦ୍ୟ ପିଲାଙ୍କଠାରୁ ଦୂରେଇ ରଖିବା ଆବଶ୍ୟକ । ନଚେତ୍‌ ପିଲା ମୋଟାପଣ, ମଧୁମେହ ଓ ହୃଦୟ ରୋଗ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କ୍ୟାଫିନ୍‌ଯୁକ୍ତ ପାନୀୟ:  କ୍ୟାଫିନ୍‌ଯୁକ୍ତ ପାନୀୟ ଯେପରିକି କଫି, ଚା’ଏନର୍ଜି ଡ୍ରିଙ୍କସ୍‌ ପିଲାଙ୍କୁ ଦେବା ଅନୁଚିତ୍‌ । ଅନେକ ବାପାମା’ପିଲାକୁ ମଜାରେ ଏସବୁ ଜିନିଷ ଦେଇଥାନ୍ତି, ପରେ ସେ ଅଭ୍ୟାସରେ ପଡିଯାଏ।ଏଥିସହ ଏହ ପିଲାକୁ ଅନିଦ୍ରା ସମସ୍ୟାରେ ମଧ୍ୟ ପକାଇଥାଏ ।