ନୂଆଦିଲ୍ଲୀ: ବଢିଲା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସୁରକ୍ଷା। ଅପରେସନ ସିନ୍ଦୂର ପରେ, ଏସ ଜୟଶଙ୍କରଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ତାଙ୍କ କାରକେଡରେ ଏକ ବୁଲେଟପ୍ରୁଫ୍ ଗାଡ଼ି ସାମିଲ କରାଯାଇଛି। ବିଦେଶ ମନ୍ତ୍ରୀ ଜୟଶଙ୍କର ଅପରେସନ ସିନ୍ଦୂରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଏବଂ ପରେ ସେ ନିରନ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରୁଥିଲେ। ଅପରେସନ ସିନ୍ଦୂର ପରେ ପାକିସ୍ତାନ ଭାରତର ଅନେକ ସ୍ଥାନରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏସ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।
ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ତା’ପରେ ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପ୍ରତିଶୋଧ ନେଲା। ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁତ ଉତ୍ତେଜନା ରହିଛି । ହେଲେ ଏବେ ଉଭୟଙ୍କ ମଧ୍ୟରେ ଯୁଦ୍ଧବିରତି ପାଇଁ ଚୁକ୍ତି ହୋଇଛି।ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଏସ ଜୟଶଙ୍କରଙ୍କ ଘର ବାହାରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି ଏବଂ ତାଙ୍କୁ ଏକ ବୁଲେଟପ୍ରୁଫ୍ କାର ଦିଆଯାଇଛି।
ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଦିଆଯିବାକୁ ଥିବା ବୁଲେଟପ୍ରୁଫ୍ କାର ସୁରକ୍ଷା ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ପ୍ରକାରର କାରର କାଚ ବହୁତ ମୋଟା ଏବଂ ଲାମିନେଟେଡ୍ ମଧ୍ୟ ହୋଇଥାଏ। ଏଗୁଡ଼ିକ ଗୁଳିକୁ ଭିତରକୁ ପ୍ରବେଶ କରିବାକୁ ଦେଇନଥାଏ । ଯଦି ଗାଡ଼ିର ଟାୟାର ପଙ୍କଚର ହୋଇଯାଏ, ତେବେ ଏହା ୫୦ କିଲୋମିଟରରୁ ଅଧିକ ଚାଲିପାରିବ। ଏହି ଗାଡି ପ୍ରତ୍ୟେକ ପ୍ରକାରର ଆକ୍ରମଣକୁ ରୋକିବାରେ ସାହାଯ୍ୟ କରିବ ।