ଭଞ୍ଜନଗର, ୩୧।୮: ଏକ ଆନ୍ତଃରାଜ୍ୟ ବାଘ ଛାଲ ଲୁଟେରା ଗ୍ୟାଙ୍ଗକୁ ମାଡ଼ି ବସିଲା ବନ ବିଭାଗ । ବିକ୍ରି ହେବା ପୂର୍ବରୁ ଏକ କଲରାପତରିଆ ଛାଲ ସହ ୫ଟି ମୋବାଇଲ ଓ କିଛି କଟୁରୀ ଜବତ କରାଯାଇଛି । ଏଥିରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଅବସରପ୍ରାପ୍ତ ପୁଲିସ ଏଏସଆଇଙ୍କ ସମେତ ମୋଟ୍ ୭ଜଣକୁ ଗିରଫ କରାଯାଇଛି ।

ସୂଚନାନୁସାରେ, ଏ ଘଟଣା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରେଞ୍ଜର ବେଲଗୁଣ୍ଠା ନିକଟ ଗୁଣ୍ଡୁରିବାଡ଼ି ଗ୍ରାମର । ବାବାଜୀ ସୁରେନ୍ଦ୍ର ପ୍ରଧାନ ଏହି କଲରାପତରିଆ ବାଘ ଛାଲକୁ ନିଜ ଘରେ ପୂଜା କରୁଥିବା ବେଳେ ବନ କର୍ମଚାରୀମାନେ ସେଠାରେ ଅତର୍କିତ ଚଢ଼ାଉ କରିଥିଲେ । ବାଘ ଛାଲ, କଟୁରୀ ଓ କିଛି ପୂଜା ସାମଗ୍ରୀ ଜବତ କରାଯିବା ସହ ବାବାଜୀ ସୁରେନ୍ଦ୍ର ପ୍ରଧାନ, ତାଙ୍କ ପୁଅ ଲକ୍ଷ୍ମଣ ପ୍ରଧାନ ଓ ପନ୍ତୀଖାରୀ ଗ୍ରାମର ସୁଶାନ୍ତ ଡାକୁଆ (ଚେଲା)ଙ୍କୁ ଧରିଥିଲେ । ସେମାନଙ୍କଠାରୁ ସୂଚନା ପାଇ ଭଞ୍ଜନଗର ସହରର ଲଡଜ୍ ରାଜ୍ ପ୍ୟାଲେସ୍‌ରେ ଥିବା ଘଟଣାର ମାଷ୍ଟର ମାଇଣ୍ଡ ଗଜପତି ଜିଲ୍ଲା ରାମଗିରି ବେଦିଙ୍ଗି ଗ୍ରାମର ଅବସରପ୍ରାପ୍ତ ଏଏସଆଇ ଖଲି ଚରଣ ଜାନୀଙ୍କ ସମେତ ରାମଗିରି ଇଲାକାର ଅନଙ୍ଗ ଗାଁର ବିପିନ ଚନ୍ଦ୍ର ପ୍ରଧାନ ଓ ମୋହନା ଗୋଛାଗୁଡ଼ାର କ୍ଷେତ୍ରୀୟ ମଳିକ ଏବଂ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ତ୍ରିନାଥ ବିଶ୍ୱାଳଙ୍କୁ ବନ ବିଭାଗ ଗିରଫ କରିଛି । 

କହିରଖୁ କି, ଜବତ କଲରାପତରିଆ ବାଘ ଛାଲର ଲମ୍ବ ୭ ଫୁଟ୍ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ ବୋଲି ଡିଏଫଓ ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ବନଖଣ୍ଡର ଏସିଏଫ ବିବେକ ଦାଶ ଓ ବିମଳ ପ୍ରଧାନ, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁଙ୍କ ସମେତ ବହୁ ବନ କର୍ମଚାରୀ ସାମିଲ ଥିଲେ ।