ନରସିଂହପୁର,୦୪/୧୧: ଶିକାରୀର ତୀର ମାଡ଼ରେ ଏକ ଦନ୍ତାହାତୀ ଗୁରୁତର ଆହତ ହୋଇଛି । କ୍ଷତାକ୍ତ ଅବସ୍ଥାରେ ଦନ୍ତାଟି ବୁଲୁଥିବା ବେଳେ ନରସିଂହପୁର ପୂର୍ବ ବନବିଭାଗ ଅନ୍ତର୍ଗତ ସେରମୁଣ୍ଡା ସେକ୍ସନ  ନୂଆଗଡ଼ ଜଙ୍ଗଲ କମ୍ପାଟ୍‌ମେଣ୍ଟ ୯ରେ ବନ ବିଭାଗ ତାକୁ ଠାବ କରିଥିଲା ।  ପରେ ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଚିକିତ୍ସା କରାଯାଉଛି । ହାତୀଟିର ବୟସ ୭ରୁ ୯ ବର୍ଷ ମଧ୍ୟରେ ହେବ ବୋଲି ବନ ବିଭାଗ କହିଛି ।

ସୂଚନା ମୁତାବକ, ତୀର ମାଡ଼ରେ କ୍ଷତାକ୍ତ ଏକ ହାତୀ ଜଙ୍ଗଲରେ ବୁଲୁଥିବା ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀମାନେ ଦେଖିଥିଲେ । ଏ ସମ୍ପର୍କରେ ଆଠଗଡ଼ ଡିଏଫଓ  ଯଜ୍ଞଦତ୍ତ ପତିଙ୍କୁ ଜଣାଇଥିଲେ । ଶନିବାର ବନ ବିଭାଗ ପକ୍ଷରୁ  ଖୋଜାଖୋଜି ପରେ ହାତୀକୁ କଣ୍ଢାଳ ରଘୁପାଣି ପୋଖରୀ ନିକଟରେ  ଠାବ କରାଯାଇଥିଲା । ହେଲେ ବନ କର୍ମଚାରୀଙ୍କୁ ଦେଖି ଭୟରେ ହାତୀ  ଜଙ୍ଗଲ ଭିତରକୁ ପଳାଇଥିଲା । ରବିବାର ସକାଳୁ ଡିଏଫ୍‌ଓ, ପୂର୍ବ ବନ  ବିଭାଗ ରେଞ୍ଜର ସୁବାସ ଚନ୍ଦ୍ର ରାଉତ, ନନ୍ଦନକାନନ ଟ୍ରାଙ୍କଲାଇଜର  ଟିମ୍‌ର ଡା. ସନ୍ତୋଷ ଗୁପ୍ତାଙ୍କ ନେତୃତ୍ୱରେ ୫ ଜଣିଆ ଦଳ ସମେତ  କପିଳାସ ଟ୍ରାଙ୍କୁଲାଇଜର ଟିମ୍‌ର ୪ ଜଣ ଡାକ୍ତରୀ ଦଳ ଓ ଅନ୍ୟ ବନ  କର୍ମଚାରୀ ପହଞ୍ଚି ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ ଗୁରୁତର ହାତୀକୁ  ଜଙ୍ଗଲରୁ ଖୋଜି ଠାବ କରିଥିଲେ । ରବିବାର ଦିନ ପ୍ରାୟ ୧୧ ଟାରେ  ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା ।  ଏବେ ହାତୀଟି ସୁସ୍ଥ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ହାତୀ ଉପରେ ୧୫ ଦିନ ପର୍ଯ୍ୟନ୍ତ ନଜର ରଖାଯିବ ଓ ସମ୍ପୂର୍ଣ୍ଣ ସୁସ୍ଥ ହେବା  ପର୍ଯ୍ୟନ୍ତ ଚିକିତ୍ସା ଜାରି ରହିବ ବୋଲି ରେଞ୍ଜର ଶ୍ରୀ ରାଉତ କହିଛନ୍ତି ।