ଭବାନୀପାଟଣା,୧୪/୧୧: କଳାହାଣ୍ଡି ଜିଲ୍ଲା  ଜାରିଂ ହାଇଟେକ୍‌ ନର୍ସରୀର ସେଲଭି କଲଚର୍‌ ରିସର୍ଚ୍ଚ  ୱିଙ୍ଗ ଫରେଷ୍ଟର ସଞ୍ଜୟ ନାୟକ ଗତ ସେପ୍ଟେମ୍ବର ୧୮  ତାରିଖରେ ଆତ୍ମହତ୍ୟା କରିଥିଲେ । ଏହି ମାମଲାରେ ଛନ୍ଦି ହୋଇଥିବା ରାୟଗଡ଼ା ଡିଏଫ୍‌ଓ (ରିସର୍ଚ୍ଚ ୱିଙ୍ଗ)  ଦେବେନ୍ଦ୍ର ବେହେରାଙ୍କୁ ହାଇକୋର୍ଟରୁ ମିଳିଥିବା  ଆନ୍ତରୀଣ ସର୍ତ୍ତମୂଳକ ସୁରକ୍ଷା ଜାମିନ ଅବଧି ଗତ  ୧୧ ତାରିଖ ଶେଷ ହୋଇଛି । ଘଟଣାର ତଦନ୍ତ କରୁଥିବା ଭବାନୀପାଟଣା  ଟାଉନ୍‌ ପୁଲିସ୍‌ ପକ୍ଷରୁ  ହାଇକୋର୍ଟରେ ମାମଲାର  ସମସ୍ତ କେସ୍‌ ଡାଏରି ଦାଖଲ କରାଯାଇଛି ।  ଏହାର ଟିକନିଖ ଯାଞ୍ଚପରେ କୋର୍ଟ ଶୁଣାଣି କରିବେ । 

ଅପରପକ୍ଷେ, ମାମଲାର ତଦନ୍ତ କରୁଥିବା  ଭବାନୀପାଟଣା ସଦର ଏସଡିପିଓ ସୁନାରାମ  ହେମ୍ବ୍ରମଙ୍କ ପଦୋନ୍ନତି ହେବାସହ ଭୁବନେଶ୍ୱର କମିଶନରେଟ ପୁଲିସ୍‌କୁ ବଦଳି ହୋଇଛି । ସେହିପରି  ତଦନ୍ତ ଅଧିକାରୀ (ଆଇଓ) ସବ୍‌ଇନ୍ସପେକ୍ଟର  ତପନ କାଲୋଙ୍କ ମଧ୍ୟ ଜୁନାଗଡ଼ ଥାନାକୁ ବଦଳି  ହୋଇଛି । ଏବେ ମାମଲାର ତଦନ୍ତ ଭବାନୀପାଟଣା  ଟାଉନ ଥାନାଧିକାରୀ ଯଶୋବନ୍ତ ହିଆଲ କରିବେ  ବୋଲି ଏସ୍‌ଡିପିଓ ଶ୍ରୀ ହେମ୍ବ୍ରମ ପ୍ରକାଶ କରିଛନ୍ତି ।