ନୂଆଦିଲ୍ଲୀ: ଦିଲ୍ଲୀରେ ସାଇବର ଠକେଇର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସାଇବର ଠକ ମାନେ ଜଣେ ପୂର୍ବତନ ବ୍ୟାଙ୍କରଙ୍କୁ "ଡିଜିଟାଲ ଆରେଷ୍ଟ" କରି ପ୍ରାୟ ୨୩ କୋଟି ଟଙ୍କା ଠକି ନେଇଛନ୍ତି। ପୋଲିସ ଏପର୍ଯ୍ୟନ୍ତ ୧୨.୧୧ କୋଟି ଟଙ୍କା ଫ୍ରିଜ୍ କରିଛି, ମାମଲାଟି ଦିଲ୍ଲୀ ପୋଲିସର ସାଇବର ୟୁନିଟ୍, IFSOକୁ ହସ୍ତାନ୍ତର କରାଯାଇଛି।

ସୂଚନାଥାଉକି, ଅଗଷ୍ଟ ୪ରେ ଦିଲ୍ଲୀର ଜଣେ ପୂର୍ବତନ ବ୍ୟାଙ୍କର ନରେଶ ମାଲହୋତ୍ରା ଏକ କଲ୍ ପାଇଥିଲେ। କଲର ନିଜକୁ ଜଣେ ଟେଲିକମ୍ କମ୍ପାନୀ ଅଧିକାରୀ ଭାବରେ ପରିଚୟ ଦେଇଥିଲେ ଏବଂ କହିଥିଲେ ଯେ ତାଙ୍କ ମୋବାଇଲ୍ ନମ୍ବର ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଛି। ତା'ପରେ ଠକ ମାନେ ମୁମ୍ବାଇ ପୋଲିସ, ED ଏବଂ CBI ଅଧିକାରୀ ଭାବରେ ପରିଚୟ ଦେଇ ତାଙ୍କ ସହିତ ଯୋଗାଯୋଗ କରି ଚାଲିଥିଲେ।

ଆଉ ଏହା ପରେ ପୀଡିତ ଧୀରେ ଧୀରେ ବିଶ୍ୱାସ କଲେ ଯେ ଯଦି ସେ ସହଯୋଗ ନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଧମକ ଅନୁଯାୟୀ, ତାଙ୍କୁ ଅଗଷ୍ଟ ୪ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଡିଜିଟାଲ ଆରେଷ୍ଟ କରି ରଖାଯାଇଥିଲା। ଏହି ସମୟ ମଧ୍ୟରେ, ଠକ ମାନେ ତାଙ୍କୁ କାହା ସହିତ ଯୋଗାଯୋଗ କରିବାକୁ ବାରଣ କରିଥିଲେ ଏବଂ ତାଙ୍କୁ ନିରନ୍ତର ଭାବରେ ଅନଲାଇନ୍ ନଜରରେ ରଖିଥିଲେ।

ଏହି ସମୟ ମଧ୍ୟରେ ଅଭିଯୁକ୍ତ ମାନେ ଭୟର ବାତାବରଣ ସୃଷ୍ଟି କରିଥିଲେ ଏବଂ ପୀଡିତଙ୍କୁ ତାଙ୍କ ନିଜ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍‌ସଫର କରିବାକୁ ବାଧ୍ୟ କରିଥିଲେ। କୋଟକ୍ ମହିନ୍ଦ୍ରା, HDFC ଏବଂ କାନାରା ବ୍ୟାଙ୍କ ଆକାଉଣ୍ଟରୁ ଧୀରେ ଧୀରେ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର କରାଯାଇଥିଲା। ଆଉ ଗୋଟିଏ ମାସ ମଧ୍ୟରେ ତାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଖାଲି ହୋଇଗଲା। ଠକ ମାନଙ୍କ ପାଖକୁ ସମସ୍ତ ଟଙ୍କା ଯିବା ବେଳେ, ସେମାନେ ହଠାତ୍ ଯୋଗାଯୋଗ କାଟି ଦେଇଥିଲେ।

ତେବେ ପ୍ରାରମ୍ଭରେ, ପୀଡିତ ଜଣକ କାହାକୁ କିଛି କହି ନଥିଲେ, କିନ୍ତୁ ପରେ ସାହସ ସଂଗ୍ରହ କରି NCRP ପୋର୍ଟାଲରେ ଏକ ଅନଲାଇନ୍ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗଟି ଦିଲ୍ଲୀ ପୋଲିସ ସାଇବର ସିକ୍ୟୁରିଟି ୟୁନିଟ୍ (IFSO) ପାଖରେ ପହଞ୍ଚିଥିଲା। ତଦନ୍ତ ଆରମ୍ଭ ହେବା ପରେ, ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୨.୧୧ କୋଟି ଟଙ୍କା ଫ୍ରିଜ୍ କରିଥିଲା।

ଆଉ ତଦନ୍ତରୁ ଜଣାପଡିଥିଲା ​​ଯେ ଟଙ୍କା ବିଭିନ୍ନ ସ୍ତରରେ ବିଭିନ୍ନ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଦେଶର ବିଭିନ୍ନ ସ୍ଥାନରୁ ନଗଦ ଉଠାଣ ମଧ୍ୟ କରାଯାଇଥିଲା। ଏହି କାରଣରୁ ଟଙ୍କାର ଏକ ବଡ଼ ଅଂଶ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ। ଏବେ ଆସନ୍ତୁ ଜାଣିବା ଏହି ଡିଜିଟାଲ ଆରେଷ୍ଟ କ’ଣ...

ଡିଜିଟାଲ ଆରେଷ୍ଟ ହେଉଛି ସାଇବର ଅପରାଧୀ ମାନଙ୍କ ଦ୍ୱାରା ବ୍ୟବହୃତ ଏକ ନୂତନ କୌଶଳ। ଏଥିରେ, ଠକ ମାନେ ନିଜକୁ ପୋଲିସ କିମ୍ବା ସରକାରୀ ଅଧିକାରୀ ବୋଲି ପରିଚୟ ଦେଇ ପୀଡିତ ମାନଙ୍କୁ ଧମକ ଦିଅନ୍ତି। ସେମାନଙ୍କୁ କୁହାଯାଏ ଯେ ସେମାନଙ୍କ ବିରୁଦ୍ଧରେ ଏକ ଗମ୍ଭୀର ମାମଲା ରୁଜୁ ହୋଇଛି ଏବଂ ଯଦି ସେମାନେ ସହଯୋଗ ନ କରନ୍ତି, ତେବେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ।