ଭୁବନେଶ୍ଵର, ୨୫/୦୬ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ୍। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତୃତ୍ଵ ତାଙ୍କୁ ସ୍ଵାଗତ ଜଣାଇଛନ୍ତି। ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଏନେଇ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତା ନିର୍ବାଚନରେ ନବୀନ ହିଁ ବିଜେଡିର ନେତୃତ୍ଵ ନେବେ ବୋଲି ସ୍ପଷ୍ଟ କରିଛନ୍ତି। ନବୀନ କହିଛନ୍ତି ଯ ଜଣେ ଦକ୍ଷ ପ୍ରଶାସକ ଭାବେ ସେ ସଫଳ ଛାପ ଛାଡ଼ିଛନ୍ତି। ତାଙ୍କ ଅଭିଜ୍ଞତା ଦଳ ପାଇଁ ସହାୟକ ହେବ। ସେହିପରି ଦଳରେ ଯୋଗ ଦେବାପରେ ସୁଜାତା କହିଛନ୍ତି ଯେ, ନବୀନଙ୍କ ନେତୃତ୍ଵରେ ୨୪ ବର୍ଷ ଧରି ସେବା କରିଥିଲି। ପୁଣି ଥରେ ଓଡ଼ିଶାବାସୀଙ୍କ ସେବା କରିବାକୁ ସୁଯୋଗ ମିଳିଛି। ନିଷ୍ଠା ଓ ସମର୍ପଣର ସହ ଓଡ଼ିଶାବାସୀଙ୍କ ସେବା କରିବି।
୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ସଂଗଠିତ ହୋଇପାରୁନି। ଦଳରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଆଗ ଭଳି ନାହିଁ। ୩ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିକୁ ପଳାଇଥିବା ବେଳେ ୮ ବିଧାୟକ ରାଜ୍ୟସଭା ଭୋଟରେ କ୍ରସ ଭୋଟିଂ କଲେ । ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଏଭଳି ସଙ୍କଟମୟ ସ୍ଥିତିରେ ବିଜେଡିକୁ ସୁଜାତାଙ୍କ ଆଗମନ ହେଉଛି । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ସୁଜାତାଙ୍କ ମିଶ୍ରଣ ଦଳକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।
୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ସୁଜାତା କେନ୍ଦ୍ରାପଡ଼ାର ଝିଅ ହୋଇଥିବାବେଳେ ସେ ବହୁ ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିଲେ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ ତାଙ୍କ ଭୂମିକାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ SHG ମାଧ୍ୟମରେ ସ୍ବାବଲମ୍ବୀ କରିବା ସୁଜାତାଙ୍କ ବଡ ପଦକ୍ଷେପ ରହିଛି। ସୁଜାତାଙ୍କ ସମୟରେ SHG ଗ୍ରୁପ ଋଣ ସଂଯୋଗ ୫୦୦ କୋଟିରୁ ୧୫ ହଜାର କୋଟିକୁ ବୃଦ୍ଧି ପାଇଥିଲା । ପ୍ରାୟ ୨୫ ବର୍ଷ କ୍ୟାରିଅରରେ ସେ ଶିକ୍ଷା, ପୋଷଣ, ମାତୃ କଲ୍ୟାଣ ଏବଂ ମହିଳା ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମାଓ ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କର ପ୍ରାରମ୍ଭିକ ପୋଷ୍ଟିଂ ସମୟରେ ସେ ସ୍କୁଲ ଝିଅମାନଙ୍କ ପାଇଁ ସାଇକେଲ ବଣ୍ଟନ ଯୋଜନା କରିଥିଲେ ଏବଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅଣ୍ଡା ଯୋଡିଥିଲେ, ଯାହା ପରେ ସମଗ୍ର ଓଡ଼ିଶାରେ ଗ୍ରହଣ କରାଯାଇଥିଲା।
କଟକର ପ୍ରଥମ ମହିଳା କଲେକ୍ଟର ଏବଂ ପରବର୍ତ୍ତୀ ସମୟରେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଭାବରେ ସେ ମମତା ମାତୃତ୍ୱ ଲାଭ ଯୋଜନାର ଶୁଭାରମ୍ଭ କରିଥିଲେ। ସୁଜାତା ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଦୁର୍ଗମ ଗ୍ରାମଗୁଡ଼ିକରେ କ୍ରୀଡାକୁ ପ୍ରୋତ୍ସାହିତ କରିଥିଲେ। ଫୁଟବଲ୍ ଏବଂ ହକି ଉପକରଣ ବଣ୍ଟନ କରିଥିଲେ। ତାଙ୍କ କାର୍ଯ୍ୟକାଳରେ, ସେ ମହିଳା ହକି ଖେଳାଳିମାନଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରିଥିଲେ। ସୁନ୍ଦରଗଡ଼କୁ ହକିର ଏକ ପାୱାରହାଉସ ଭାବରେ ପରିଣତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସୁଜାତା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଥମ ସଚିବ ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ସେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଆଇଏଏସ୍ ପଦବୀରୁ ମାର୍ଚ୍ଚ ୨୦୨୫ରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଅବସର ସମୟରେ ସେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିଲେ।..
ଆହୁରି ପଢନ୍ତୁ- ବିଜେଡିରେ ସାମିଲ ହେବେ ପୂର୍ବତନ IAS ସୁଜାତା ରାଉତ କାର୍ତ୍ତିକେୟନ, ନବୀନଙ୍କ ଉପସ୍ଥିତିରେ ଫୁଙ୍କିବେ ଶଙ୍ଖ !