ଜୟପୁର/ କୋରାପୁଟ ୨୮/୧୦: ଖାଦ୍ୟରେ  ବିଷକ୍ରିୟା! ଏଥିଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମିନୀ  ଦିଆନ୍‌ । ତାଙ୍କ ସମେତ ପରିବାରର  ୪ଜଣ ଗୁରୁତର ହୋଇଥିଲେ ।  ସେମାନଙ୍କ ମଧ୍ୟରୁ ପଦ୍ମିନୀଙ୍କ  ନଣନ୍ଦ ପାର୍ବତୀ ମାଝୀ(୨୮)ଙ୍କ  ଚିକିତ୍ସାଧୀନ ଅବସ୍ଥାରେ ଜୟପୁରରେ  ଥିବା ଜିଲ୍ଲା ହସ୍ପିଟାଲ୍‌ରେ ଦେହାନ୍ତ  ହୋଇଯାଇଛି। ପଦ୍ମିନୀ ଏବଂ ଅନ୍ୟ  ୨ଜଣ ମହିଳାଙ୍କୁ କୋରାପୁଟ ସହିଦ  ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ  ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । 

ମିଳିଥିବା ସୂଚନା ଅନୁଯାୟୀ,  ଆଜି ନଣନ୍ଦ ପାର୍ବତୀ, ଦେଢ଼ଶାଶୂ  ରମ୍ବତୀ ଦିଆନ(୫୭) ଏବଂ ଶାନ୍ତି  ଚାଲାଣ(୩୦)ଙ୍କ ସହ ମଧ୍ୟାହ୍ନ  ଭୋଜନ କରିଥିଲେ କୋଟପାଡ଼ର  ପୂର୍ବତନ ବିଜେଡି ବିଧାୟିକା ତଥା  ମନ୍ତ୍ରୀ ପଦ୍ମିନୀ । ଅପରାହ୍ଣ ପ୍ରାୟ ୨ଟା  ବେଳେ ଅର୍ଥାତ୍‌ ଖାଦ୍ୟ ଖାଇବା ପରେ  ପରେ ସମସ୍ତେ ବାନ୍ତି କରି ଅସୁସ୍ଥ  ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ  ସେମାନଙ୍କୁ କୋଟପାଡ଼ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ଇଞ୍ଜେକ୍ସନ୍‌ ଏବଂ ଔଷଧ ଦିଆଯିବା ପରେ  ବି ବାନ୍ତି ଥମି ନଥିଲା । ଅବସ୍ଥା ଜଟିଳ  ହେବାରେ ଲାଗିଥିଲା । ଏହା ଦେଖି  ଡାକ୍ତରମାନେ ସେମାନଙ୍କୁ କୋରାପୁଟ  ମେଡିକାଲ୍‌ କଲେଜ ନେଇଯିବା ପାଇଁ  ପରାମର୍ଶ ଦେଇଥିଲେ । ବାଟରେ ଅବସ୍ଥା ଗୁରୁତର ହେବାରୁ ଏଠାରେ  ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପାର୍ବତୀଙ୍କ ମୃତ୍ୟୁ ହୋଇଯାଇଥିଲା ।  ପରେ ଡାକ୍ତର ପଦ୍ମିନୀ, ରମ୍ବତୀ ଓ  ଶାନ୍ତିଙ୍କୁ କୋରାପୁଟ ସ୍ଥାନାନ୍ତର ପାଇଁ  ପରାମର୍ଶ ଦେଇଥିଲେ । କୋରାପୁଟ  ମେଡିକାଲ୍‌ ତରଫରୁ ମିଳିଥିବା ସୂଚନା  ଅନୁଯାୟୀ, ସେମାନଙ୍କ ଚିକିତ୍ସା ଜାରି  ରହିଛି । ରମ୍ବତୀଙ୍କ ଅବସ୍ଥା ସଙ୍ଗୀନ  ରହିଛି । ତାଙ୍କୁ ଅକ୍ସିଜେନ୍‌ ଦିଆଯାଇ  ଚିକିତ୍ସା କରାଯାଉଛି । ପଦ୍ମିନୀ ଓ ଶାନ୍ତିଙ୍କ ଅବସ୍ଥାରେ ସୁଧାର ଆସୁଛି । 

ଉଲ୍ଲେଖଥାଉକି, ମଧ୍ୟାହ୍ନ  ଭୋଜନରେ ସେମାନେ କୁଆଡ଼େ ଆମଟ୍‌(ଆମ୍ବିଳ) ଖାଇଥିଲେ ।  ଶୁଖିଲା ବାଉଁଶ କରଡ଼ି ପଡ଼ି ତାହା  ପ୍ରସ୍ତୁତ କରାଯାଇଥିଲା । ଭାତ ସହ  ଏହାକୁ ଖାଇ ସାରିବା ପରେ ପରେ ଆରମ୍ଭ ହୋଇଯାଇଥିଲା ପ୍ରବଳ ବାନ୍ତି ।  ଜଣଙ୍କ ପରେ ଜଣେ କରି ୪ଜଣ  ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ।