ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ୧୦ ଦିନ ବାକି । ଭାରତୀୟ ବଂଶୋଭବ କମଲା ହାରିସ୍ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି । ଏହି ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଜଣେ ପୂର୍ବତନ ମଡେଲ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ମଡେଲ ଷ୍ଟେସି ୱିଲିୟମ୍ସ ଅଭିଯୋଗ କରିଛନ୍ତି ଯେ, ୯୦ ଦଶକ ଆରମ୍ଭରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଟ୍ରମ୍ପ ଟାୱାରରେ ଅସଦାଚରଣ କରିଥିଲେ।
ସିଏନ୍ଏନ୍ କୁ ଦେଇଥିବା ଏକ ସାକ୍ଷାତକାରରେ ଷ୍ଟେସି ୱିଲିୟମ୍ସ ଏହି ଘଟଣା ବିଷୟରେ ସର୍ବସାଧାରଣରେ କହିଛନ୍ତି। ସେ କହିଛନ୍ତି ଯେ ସେ ଜେଫରି ଏପଷ୍ଟାଇନଙ୍କ ମାଧ୍ୟମରେ ଟ୍ରମ୍ପଙ୍କୁ ଭେଟିଥିଲେ । ୧୯୯୩ ରେ ଟ୍ରମ୍ପଙ୍କୁ ଭେଟିବା ପାଇଁ ଏପଷ୍ଟାଇନ୍ ତାଙ୍କୁ ସେଠାକୁ ନେଇଥିଲେ। ସେତେବେଳେ ତାଙ୍କୁ ୨୦ ବର୍ଷ ବୟସ ହୋଇଥିଲା ଏବଂ ସେ ଏପଷ୍ଟାଇନଙ୍କୁ ଡେଟ୍ କରୁଥିଲେ । ଟ୍ରମ୍ପ ଟାୱାରରେ ପହଞ୍ଚିବା ପରେ ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ସ୍ପର୍ଶ କରି ସ୍ୱାଗତ କରିଥିଲେ। ପୂର୍ବତନ ମଡେଲ ଅଭିଯୋଗ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ସେହି ସମୟରେ ତାଙ୍କ ବ୍ୟକ୍ତିଗତ ଅଂଶକୁ ମଧ୍ୟ ସ୍ପର୍ଶ କରିଥିଲେ। ତେବେ ଏଭଳି ଦେଖି ସେତେବେଳେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ମୋ ସହିତ କ’ଣ ଘଟୁଛି ମୁଁ ବୁଝିପାରିଲି ନାହିଁ । ଟ୍ରମ୍ପ ଏବଂ ଏପଷ୍ଟାଇନ୍ ପରସ୍ପର ସହ କଥାବାର୍ତ୍ତା ହେଉଥିବା ବେଳେ ଟ୍ରମ୍ପଙ୍କ ହାତ ମୋ ଉପରେ ଥିଲା। ଏହି ସମୟରେ ମୁଁ ସାମାନ୍ୟ ହସିବାକୁ ଚେଷ୍ଟା କରୁଥିଲି, କାରଣ ଯେପରି ପରିସ୍ଥିତି କିଛି ଖରାପ ନହେଉ କିନ୍ତୁ ଏହା ମୋ ପାଇଁ ବହୁତ ଖରାପ ଅନୁଭୂତି ଥିଲା। ଏହା ମୋ ଜୀବନର ସବୁଠାରୁ ଅଜବ ମୁହୂର୍ତ୍ତ ଥିଲା ।
ତେବେ ଏହି ସମୟରେ ମଡେଲଙ୍କ ଏହି ଅଭିଯୋଗକୁ ଉଦ୍ଦେଶ୍ୟମୂଳକ କହିଛି ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଦଳ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ତୁରନ୍ତ କରାଯାଇଥିବା ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଦଳ । ସେ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି ।