ୱାଶିଂଟନ,୩୦/୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ । ଜିମି କାର୍ଟର ଆମେରିକାର ୩୯ତମ ରାଷ୍ଟ୍ରପତି ଥିଲେ । ୧୦୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ସୂଚନା ମିଳିଛି । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ଜୋ ବାଇଡେନ, ଡୋନାଲ୍ଡ ଟ୍ରମ୍ପ ଓ ଓବାମା ।

ରବିବାର ଅପରାହ୍ନରେ ଜର୍ଜିଆର ପ୍ଲେନ୍ସସ୍ଥିତି ନିଜ ବାସଭବନରେ ଜିମିଙ୍କ  ନିଧନ ହୋଇଥିବା ସୂଚନା ମିଳିଛି । ଜିମି କାର୍ଟର ୧୯୭୭ ମସିହାରେ ଆର. ଫୋର୍ଡଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ଆମେରିକାର ୩୯ତମ ରାଷ୍ଟ୍ରପତି ଭାବେ ଜିମିଙ୍କ କାର୍ଯ୍ୟକାଳ ୧୯୭୭ରୁ ୧୯୮୧ ଯାଏ ଥିଲା । କାର୍ଟରଙ୍କୁ ୨୦୦୨ ମସିହାରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଗତ ଅକ୍ଟୋବରରେ ଜିମି ୧୦୦ତମ ଜନ୍ମଦିନ ପାଳନ କରିଥିଲେ ।

୧୯୨୪ ମସିହାରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜିମି କାର୍ଟର ।  ପ୍ରଥମେ ନୌସେନାରେ କାମ କରିବା ପରେ ରାଜନୀତିରେ ଏଣ୍ଟ୍ରି ମାରିଥିଲେ ଜିମି । ୧୯୬୦ରେ ସେ ରାଜନୀତି ମୈଦାନରେ ପାଦ ଥାପିଥିଲେ । ୧୯୭୧ରେ ସେ ଜର୍ଜିଆର ଗଭର୍ଣ୍ଣର ହୋଇଥିଲେ । ଏହାର ୬ ବର୍ଷ ପରେ ଡେମୋକ୍ରାଟିକ୍ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ । ରାଜନୀତି ସହ ପୁସ୍ତର ରଚନାରେ ଜିମିଙ୍କ ରୁଚି ଥିଲା ।  ଜିମି ତାଙ୍କ  ଜୀବନକାଳରେ ପ୍ରାୟ ୩୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି ।  ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ୧୯୮୨ରେ କାର୍ଟର ସେଣ୍ଟର ନାମକ ଏକ ଚାରିଟି ଅନୁଷ୍ଠାନ ସ୍ଥାପନ କରିଥିଲେ । ଏହି ସଂସ୍ଥା ନିର୍ବାଚନରେ ପାରଦର୍ଶିତା ଆଣିବା, ମାନବାଧିକାରର ସମର୍ଥନ କରିବା ଏବଂ ସ୍ବାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ  ଭୂମିକା ଗ୍ରହଣ କରିଛି ।

କାର୍ଟରଙ୍କ ନାମରେ ହରିୟାଣାରେ ଅଛି ଗାଁ- କାର୍ଟର ସେଣ୍ଟର ଅନୁସାରେ ୧୯୭୮ରେ ତତ୍କାଳୀନ ଫାଷ୍ଟ ଲେଡି ରୋସାଲିନ କାର୍ଟର ହରିୟାଣାର ଦୌଲତପୁର-ନସିରାବାଦ ଗସ୍ତ କରିଥିଲେ । ଏହା ପରେ ଉକ୍ତ ଗାଁର ନାମ 'କାର୍ଟରପୁରୀ 'ରଖାଯାଇଥିଲା । ୨୦୦୨ରେ କାର୍ଟରଙ୍କୁ ନୋବାଲ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏହିସମୟରେ ଗାଁ ଉତ୍ସବ ମନାଇଥିଲା ।

ଭାରତ  ସଂସଦକୁ କରିଥିଲେ ସମ୍ବୋଧନ-  କାର୍ଟରଙ୍କୁ ଭାରତର ବନ୍ଧୁ କୁହାଯାଏ । ଏମରଜେନ୍ସିଂ ପରେ ୧୯୭୭ରେ ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ଭାରତ ଆସିଥିବା ପ୍ରଥମ ଆମେରିକା ରାଷ୍ଟ୍ରପତି ଥିଲେ କାର୍ଟର । ୧୯୭୮ ଜାନୁଆରୀ ୨ ତାରିଖରେ ସେ ଭାରତ ସଂସଦକୁ ସମ୍ବୋଧନ କରିଥିଲେ । ଜଣେ ବ୍ୟକ୍ତି ଦ୍ବାରା କରାଯାଉଥିବା ଶାସନ ବିରୋଧରେ ସ୍ବର ଉଠାଇଥିଲେ ।

ଜିମିଙ୍କ ବିରୋୟଗରେ ଶୋକ ପ୍ରକାଶ କରିଛନ୍ତି ଜୋ ବାଇଡେନ । ସେ କହିଛନ୍ତି, ମୋ ମତରେ ଆଜି ଆମେରିକା ଓ ବିଶ୍ବ  ଜଣେ ଦକ୍ଷ ଲିଡରଙ୍କୁ ହରାଇଛି । ସେ ଜଣେ ଷ୍ଟେଟମ୍ୟାନ ଥିଲେ । ମୁଁ ଜଣେ ମୋର ବନ୍ଧୁଙ୍କୁ ହରାଇଛି । ଖାଲି ମୁଁ ନୁହେଁ ଯିଆ ତାଙ୍କୁ ଭେଟି ନାହାନ୍ତି ସେମାନେ ବି ଜଣେ ଭଲ ବନ୍ଧୁଙ୍କୁ ହାରଇଛନ୍ତି ।