ଭୁବନେଶ୍ୱର, ୭।୧ : ଭାରତର ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ବୁଧବାର ଲୋକଭବନ ଭୁବନେଶ୍ୱର ପରିସରରେ ନୂତନ ଭାବେ ବିକଶିତ ପରିବେଶ ଉଦ୍ୟାନ 'ଅଟଳ ବନ'ର ଉଦଘାଟନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣରେ ତାଙ୍କର ମହନୀୟ ଅବଦାନକୁ ସମ୍ମାନ ଜଣାଇ ଏହି ପାର୍କକୁ ତାଙ୍କ ନାମରେ ନାମିତ କରାଯାଇଛି।
ରାଜ୍ୟପାଳ ଡ ହରି ବାବୁ କମ୍ଭମପାଟି, ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି, ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ।
ଅଟଳ ବନ ଉଦଘାଟନ କରିବା ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ତଥା ଅଟଳ ସ୍ମୃତି ନ୍ୟାସ ସୋସାଇଟିର ଅଧ୍ୟକ୍ଷ ଶ୍ରୀ ନାଇଡୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହିତ ତାଙ୍କର ଦୀର୍ଘ ସମ୍ପର୍କକୁ ସ୍ମରଣ କରି କହିଥିଲେ ଯେ ସେ ପ୍ରଥମେ ତାଙ୍କ ଛାତ୍ର ଜୀବନରେ ବାଜପେୟୀଙ୍କୁ ଭେଟିଥିଲେ । ପରେ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଥିଲେ।
ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ଅବସରରେ କହିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ଭାରତର ବିକାଶରେ ଏକ ପରିବର୍ତ୍ତନକାରୀ ପର୍ଯ୍ୟାୟ ଥିଲା। ବିଶେଷକରି ଭିତ୍ତିଭୂମି, ସଂଯୋଗୀକରଣ ଏବଂ ସୁଶାସନ କ୍ଷେତ୍ରରେ ପରିବର୍ତ୍ତନ ଉଲ୍ଲେଖନୀୟ ଥିଲା । ସ୍ୱର୍ଣ୍ଣ ଚତୁର୍ଭୁଜ, ସର୍ବଶିକ୍ଷା ଅଭିଯାନ ଏବଂ ପୋଖରାନ ପରମାଣୁ ପରୀକ୍ଷଣ ଭଳି ପଦକ୍ଷେପଗୁଡ଼ିକୁ ରାଜ୍ୟପାଳ ସ୍ମରଣ କରାଇ ଥିଲେ ଏବଂ ବାଜପେୟୀଙ୍କୁ ଦଳ ମତ ନିର୍ବିଶେଷରେ ଜଣେ ସମ୍ମାନନୀୟ ଦୂରଦୃଷ୍ଟିସମ୍ପନ୍ନ ରାଷ୍ଟ୍ରନେତା ଭାବରେ ବର୍ଣ୍ଣନା କରିଥିଲେ । ରାଜ୍ୟପାଳଙ୍କ କମିଶନର-ତଥା- ଶାସନ ସଚିବ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅଟଳ ବନର ବିକାଶ ପ୍ରକ୍ରିୟା ସମୟରେ ଖନନ କରାଯାଇଥିବା ପଥର ବ୍ୟବହାର କରି ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି I ଏହି ଅଟଳ ବନରେ ସବୁଜିମା, ଜଳାଶୟ ଏବଂ ଝରଣା ସଂରଚନା କରାଯାଇଛି । ଏହି ପାର୍କର ଏକ ପ୍ରମୁଖ ଆକର୍ଷଣ ହେଉଛି ଏକ T-୫୫ ଯୁଦ୍ଧ ଟ୍ୟାଙ୍କ ଯାହା ଏକଦା ଭାରତୀୟ ସେନାକୁ ଶକ୍ତିଶାଳୀ କରିଥିଲା ଏବଂ ୧୯୭୧ ଯୁଦ୍ଧ ତଥା ବିଭିନ୍ନ ଅପରେସନ ସମୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଅନ୍ୟ ଏକ ପ୍ରମୁଖ ଆକର୍ଷଣ ହେଉଛି ରାଫେଲ ବହୁମୁଖୀ ଲଢ଼ୁଆ ଯୁଦ୍ଧ ବିମାନର ଏକ ପ୍ରୋଟୋଟାଇପ୍, ଯାହା ବର୍ତ୍ତମାନ ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେଉଛି। ଭାରତ ସରକାରଙ୍କ 'ୱେଷ୍ଟ ଟୁ ୱେଲଥ' ମିଶନ ଅଧୀନରେ ଅଟୋମୋବାଇଲ୍ ସ୍କ୍ରାପ୍ ଏବଂ ଜିଆଇ ସିଟ୍ ରୁ ନିର୍ମିତ ଏହି ମଡେଲ୍ ୧୫ ଫୁଟ ଲମ୍ବା, ୪ ଫୁଟ ୬ ଇଞ୍ଚ ଉଚ୍ଚତା ଏବଂ ୯ ଫୁଟ ୧୧ ଇଞ୍ଚ ଡେଣା ବିଶିଷ୍ଟ। ଲୋକଭବନର ଅନୁରୋଧ କ୍ରମେ ଭୁବନେଶ୍ୱରର ସରକାରୀ ପଲିଟେକ୍ନିକ୍ ଟିମ ଦ୍ୱାରା ଏହି ପ୍ରୋଟୋଟାଇପ୍ ଡିଜାଇନ୍ ଏବଂ ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଫେଲ ପ୍ରୋଟୋଟାଇପ୍ ଡିଜାଇନ୍ ଏବଂ ନିର୍ମାଣ କରିଥିବା ଟିମକୁ ସମ୍ବର୍ଦ୍ଧିତ କରାଯାଇଥିଲା।