ଭୁବନେଶ୍ଵର : ନକ୍ଷତ୍ର ବିଜ୍ଞାନୀମାନେ ଏକ ସୁଦୂର ଆକାଶଗଙ୍ଗା ଆବିଷ୍କାର କରିଛନ୍ତି। ଯାହା ଏକ ‘କସ୍ମିକ ଫସିଲ୍’ ବା ବ୍ରହ୍ମାଣ୍ଡୀୟ ଜୀବାଶ୍ମ । ଶତାଧିକ କୋଟି ବର୍ଷ ଧରି ଏହା ବରଫ ଅବସ୍ଥାରେ ରହିଛି । ପୃଥିବୀରେ ଜୀବଜଗତ ବିକାଶର ଅନୁସନ୍ଧାନ ଲାଗି ଯେମିତି ଡାଇନୋସୋର ଜୀବାଶ୍ମର ଉପଯୋଗ କରାଯାଉଛି, ଆକାଶଗଙ୍ଗା ରୂପରେ ଆବିଷ୍କୃତ ଏହି ବ୍ରହ୍ମାଣ୍ଡୀୟ ଜୀବାଶ୍ମକୁ ସେହିପରି ବ୍ରହ୍ମାଣ୍ଡର ଉତ୍ପତ୍ତି ବିଷୟରେ ବୁଝିବା ପାଇଁ ପ୍ରୟୋଗ କରାଯାଇ ପାରିବ । ବୈଜ୍ଞାନିକମାନେ ଏହି ବରଫୀକୃତ ଆକାଶଗଙ୍ଗାର ନାଁ ଦେଇଛନ୍ତି ‘କିଡ୍ସ ଜେ୦୮୪୨ ପ୍ଲସ୍ ୦୦୫୯’ ।
ବ୍ରହ୍ମାଣ୍ଡୀୟ ଜୀବାଶ୍ମ ଏକ ଆକାଶଗଙ୍ଗା, ଯାହା ଅନ୍ୟ ଆକାଶଗଙ୍ଗାଙ୍କ ସଂସ୍ପର୍ଶରେ ଆସିବା କିମ୍ବା ଧକ୍କା ହେବା ଦ୍ୱାରା ଅପରିବର୍ତ୍ତିତ ରହିଛି । ଅର୍ଥାତ୍ ଏହି କସ୍ମିକ୍ ଫସିଲ୍ ବା ବ୍ରହ୍ମାଣ୍ଡୀୟ ଜୀବାଶ୍ମ ପ୍ରାରମ୍ଭିକ ଆକାଶଗଙ୍ଗାଗୁଡ଼ିକର ଅଧ୍ୟୟନରେ ଟାଇମ୍ କ୍ୟାପ୍ସୁଲ ଭାବେ ନକ୍ଷତ୍ରବିଜ୍ଞାନୀଙ୍କୁ ସାହାଯ୍ୟ କରିପାରନ୍ତି । ଲାର୍ଜ ବାଇନୋକୁଲାର ଟେଲିସ୍କୋପ୍ (ଏଲ୍ବିଟି) ର ତଥ୍ୟ ଜରିଆରେ ସଦ୍ୟ ଅଧ୍ୟୟନ ପରିଚାଳିତ ହୋଇଛି, ଯାହା ଦର୍ଶାଇଛି ଯେ ବରଫୀକୃତ ଆକାଶଗଙ୍ଗା ପ୍ରାୟ ୭୦୦ କୋଟି ବର୍ଷ ଧରି ଅପରିବର୍ତ୍ତିତ ରହିଛି । ଅଧ୍ୟୟନର ନେତୃତ୍ୱ ନେଇଥିବା ଅନ୍ୟତମ ସଦସ୍ୟ ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଆଷ୍ଟ୍ରୋଫିଜିକ୍ସ ଗବେଷକ କ୍ରିସେନ୍ଜୋ ଡୋଭ୍ କହିଛନ୍ତି, ଆମେ ଏଭଳି ଏକ ଆକାଶଗଙ୍ଗା ଆବିଷ୍କାର କରିଛୁ, ଯାହା ଶତାଧିକ କୋଟି ବର୍ଷ ଧରି ଅତି ସୁନ୍ଦର ଭାବେ ସଂରକ୍ଷିତ ହୋଇ ରହିଛି । ଏହା ଏକ ବାସ୍ତବ ପ୍ରତ୍ନତାତ୍ତ୍ୱିକ ଆବିଷ୍କାର, ଯାହା ପ୍ରଥମ ଆକାଶଗଙ୍ଗା କେମିତି ଜନ୍ମ ହୋଇଥିଲେ ସେ ବିଷୟରେ ଆମକୁ ଜଣାଇବ ।
ଆଜି ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ବିକାଶ କେମିତି ହୋଇଛି, ତାହା ମଧ୍ୟ ବୁଝିବାରେ ସହାୟକ ହେବ । ଜୀବାଶ୍ମ ଆକାଶଗଙ୍ଗାଗୁଡ଼ିକ ବ୍ରହ୍ମାଣ୍ଡର ଡାଇନୋସର ଭଳି । କେଉଁ କେଉଁ ପାରିପାର୍ଶ୍ଵିକ ସ୍ଥିତିରେ ସେମାନଙ୍କର ଉତ୍ପତ୍ତି ହୋଇଥିଲା ଏବଂ ଆମେ ଆଜି ଦେଖୁଥିବା ସବୁଠୁ ବିଶାଳ ଆକାଶଗଙ୍ଗାଗୁଡ଼ିକ କେମିତି ବିକଶିତ ହୋଇଥିଲା, ଅଧ୍ୟୟନ ଦ୍ୱାରା ତାହା ବୁଝିବା ସମ୍ଭବ ହେବ । ପୃଥିବୀଠୁ ୩୦୦ କୋଟି ଆଲୋକ ବର୍ଷ ଦୂରରେ ଅବସ୍ଥିତ କିଡ୍ସ ଜେ୦୮୪୨ ପ୍ଲସ୍ ୦୦୫୯କୁ ୨୦୧୮ ମସିହାରେ କିଡ୍ସ (କିଲୋ ଡିଗ୍ରୀ ସର୍ଭେ) ଦ୍ୱାରା ଆବିଷ୍କାର କରାଯାଇଥିଲା । ଭେରି ଲାର୍ଜ ଟେଲିସ୍କୋପ୍ ସର୍ଭେ ଟେଲିସ୍କୋପ୍ ପ୍ରଦାନ କରିଥିବା ଏହି ଆକାଶଗଙ୍ଗାର ଫଟୋରୁ ବୈଜ୍ଞାନିକମାନେ ତା’ର ଆକାର ଓ ଓଜନ ମାପିବାରେ ସକ୍ଷମ ହୋଇଛନ୍ତି । ଭେରି ଲାର୍ଜ ଟେଲିସ୍କୋପ୍ ଓ ସେଥିରେ ସଂଲଗ୍ନ ଏକ୍ସ-ଶୁଟର୍ ଉପକରଣ ଜରିଆରେ ଏହାର ମାପକୁ ସଠିକ୍ ନିର୍ଦ୍ଧାରଣ କରାଯାଇଛି । ଏଥିରୁ ଜଣାପଡ଼ିଛି, ନିଜ ନକ୍ଷତ୍ରର ଏହା ୧୦ ହଜାର କୋଟି ଗୁଣ ବିଶାଳ । କିନ୍ତୁ ସମାନ ଧରଣର ଆକାଶଗଙ୍ଗା ତୁଳନାରେ ଅଧିକ ସଘନ । ଆକାଶଗଙ୍ଗା ନିଜର ପୂରା ଜୀବନକାଳରେ ନକ୍ଷତ୍ର ସୃଷ୍ଟିରୁ ବଞ୍ଚିତ ରହିଛି । ଏହା ହିଁ ଆକାଶଗଙ୍ଗାକୁ ଜୀବାଶ୍ମ ବୋଲି ଇଙ୍ଗିତ କରିଛି।