ଭୁବନେଶ୍ୱର, ୭।୧୨ : ମା’ଙ୍କ ଡୋରି ଲାଗିଲା, ମା’ଙ୍କ ସେବା ପାଇଁ ସୁଯୋଗ ମିଳିଲା। କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ରବିବାର ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି ସମୟସୀମା ଧାର୍ଯ୍ୟ କରାଯାଇଛି।

  • ମନ୍ଦିରର ଦେହୁରୀମାନଙ୍କ ସୁବିଧା ନିମନ୍ତେ ରହିବା ଗୃହ ହେବ ନିର୍ମାଣ
  • ଏହି ପ୍ରକଳ୍ପ ସହିତ ଯୋଡି ଡିପିଆର୍ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ଆଗାମୀ ବର୍ଷେ ଭିତରେ ମା’ ତାରିଣୀଙ୍କ ପୀଠର ସମସ୍ତ ଉନ୍ନତିକରଣ କାର୍ଯ୍ୟ ହେବ ଶେଷ
  • ଅଠରମାସ ତଳର ପରିକଳ୍ପନା ଆଜି ସାକାର ହେବାକୁ ଯାଉଛି

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଅଠରମାସ ତଳର ପରିକଳ୍ପନା ଆଜି ସାକାର ରୂପ ନେଇଛି। ମା’ ତାରିଣୀଙ୍କ ପୀଠକୁ ଏକ ବିଶ୍ଵସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢି ତୋଳିବାକୁ ସରକାର ସମସ୍ତ କାର୍ଯ୍ୟ କରିବେ । ମା’ଙ୍କ ପୀଠର ଉନ୍ନତିକରଣ ପାଇଁ କୌଣସି ବାଧା ବାଧକ ସାଜିବ ନାହିଁ । ଅର୍ଥର ଅଭାବ ନାହିଁ କାରଣ, ଏହି ଉନ୍ନତିକରଣ କାର୍ଯ୍ୟ ମା’ଙ୍କ ଆଶୀର୍ବାଦରେ ହେଉଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ପାଇଁ ମଂଜୁର ହୋଇଥିବା ୩୧୩ କୋଟି ଟଙ୍କା ଏକ ବର୍ଷ ମଧ୍ୟରେ ଖର୍ଚ୍ଚ । ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଅଂଚଳରେ ସମସ୍ତ ତୀର୍ଥଯାତ୍ରୀ ସୁବିଧା ଉପଲବ୍ଧ ହେବ ।

ଏଥିସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଆଉ ଅଧିକ ବ୍ୟୟ ଏହି ପ୍ରକଳ୍ପ ସହିତ ଯୋଡ଼ା ଯାଇ ମନ୍ଦିରର ଦେହୁରୀମାନଙ୍କ ସୁବିଧା ନିମନ୍ତେ ରହିବା ଗୃହ ମଧ୍ୟ ନିର୍ମାଣ ହେବ । ପୂର୍ତ୍ତ ବିଭାଗ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏବଂ ଜିଲ୍ଲାପାଳଙ୍କୁ ଡିପିଆର ମଧ୍ୟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 

ସୂଚନା ଥାଉକି, ପ୍ରାୟ ୬୦ ଏକର ଜମିରେ ପରିବ୍ୟାପ୍ତ ହେବାକୁ ଥିବା ଏହି ଉନ୍ନତିକରଣ କାର୍ଯ୍ୟରେ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ବ୍ୟାଖ୍ୟାନ କେନ୍ଦ୍ର, ଖାଦ୍ୟ ପ୍ଲାଜା, ୱାଚ ଟାୱାର, ମାର୍କେଟ୍ କମ୍ପ୍ଲେକ୍ସ, ନଡ଼ିଆ ଗୋଦାମ ଏବଂ ୫୦୦ ଜଣଙ୍କ ପାଇଁ ବିଶାଳ ପ୍ରସାଦ ସେବନ ହଲ୍, ଶୌଚାଳୟ ବ୍ଲକ, ପୋଷାକ କୋଠରୀ, ଜୋତା ଷ୍ଟାଣ୍ଡ, ଟିକେଟ କାଉଣ୍ଟର, ହାତ-ପାଦ ଧୋଇବା ସ୍ଥାନ ଏବଂ ଡ୍ରାଇଭରମାନଙ୍କ ପାଇଁ ରେଷ୍ଟରୁମ ନିର୍ମାଣ ହେବ। ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ, ପାର୍କିଂ, ଚାରିଟି ପୁଷ୍କରିଣୀର ସୋନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।

 ମା’ ତାରିଣୀଙ୍କ ପୀଠ ପାଇଁ ପୂର୍ବ ସରକାର ମଂଜୁର କରିଥିବା ୫୦ କୋଟି ଟଙ୍କାର କାର୍ଯ୍ୟ ସମୁଦ୍ରକୁ ଶଙ୍ଖେ ବୋଲି କହିଥିଲେ।  କେନ୍ଦୁଝର, ଯାହା ପ୍ରାକୃତିକ ସମ୍ପଦର ଗନ୍ତାଘର । କେନ୍ଦୁଝରରେ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରକ୍ରିୟା ଆଗେଇ ଚାଲିଛି । ଖୁବ୍ ଶୀଘ୍ର ଏହାର ଶିଳାନ୍ୟାସ ହେବ ।

  • କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା
  • କେନ୍ଦୁଝର ହେବ ରାଜ୍ୟର ତୃତୀୟ ଇସ୍ପାତ ନଗରୀ
  • କେନ୍ଦୁଝରରେ ହେବ ବାଇପାସ୍,ପାରାଦୀପ - ବଡ଼ବିଲ ଆଠ ଲେନ୍ ରାସ୍ତା

ରାଉରକେଲା ଓ ଯାଜପୁର ଭଳି କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । ସବୁ ଶିଳ୍ପ ଓ ଖଣି ଅଞ୍ଚଳକୁ ୬ ଥାକିଆ ରାସ୍ତା କରିବା ପାଇଁ ଆମ ସରକାର ନିଷ୍ପତ୍ତି ନେଇଛି । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ। ରାଜ୍ୟରେ କେତେଗୁଡ଼ିଏ ଇକୋନୋମିକ ଜୋନର ବିକାଶ କରାଯାଉଛି । ଏଥିରେ କେନ୍ଦୁଝର-ବଡ଼ବିଲ-ଯୋଡ଼ା ଅଞ୍ଚଳକୁ ରାଜ୍ୟର ଏକ ସୁଦୃଢ଼ ଅର୍ଥନୈତିକ ଜୋନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ପ୍ରକଳ୍ପ ଜାରି ରହିଛି । ସେ ଗୁଡ଼ିକର ଆପଣଙ୍କ ପାଇଁ ଖୁବ୍ ଶୀଘ୍ର ଲୋକାର୍ପଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ପାରାଦୀପରୁ ବଡ଼ବିଲ ପର୍ଯ୍ୟନ୍ତ ୮ ଲେନ ରାସ୍ତା କରୁଛନ୍ତି। ପାରାଦୀପରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି। ଚଣ୍ଡିଖୋଲ ରୁ ବଡ଼ବିଲ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚାଲିଛି। ଏ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। କେନ୍ଦୁଝରର ବିକାଶ ପାଇଁ ବଡ଼ବିଲରେ ଏକ ଚାରି ଲେନ ବିଶିଷ୍ଟ ରିଙ୍ଗ ରୋଡ ହେବ। ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି କେନ୍ଦୁଝରରେ ମଧ୍ୟ ୪୨୮ କୋଟି ଟଙ୍କାରେ ଏକ ବାଇପାସ୍ ରାସ୍ତା କରାଯିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଚାରି ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ଏହା ସହିତ ୧୬୮ କୋଟି ଟଙ୍କାରେ ଏକ ଟେକ୍ ପାର୍କ, ଓକାକ୍ ପକ୍ଷରୁ ୧୫୦ କୋଟି ଟଙ୍କାରେ ଏକ ଡାଟା ସେଣ୍ଟର, ବଲଭଦ୍ରପୁର ରେ ୧୫୦ କୋଟି ଟଙ୍କାରେ ଏକ ଟେକ୍ସଟାଇଲ ପାର୍କ, ଧରଣୀଧର ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ରେ ୧୮୭ କୋଟି ଟଙ୍କାରେ ଏକ data recovery centre, ୧୦୩ କୋଟି ଟଙ୍କାରେ ରାଇସୁଆଁ ଏୟାର ଷ୍ଟ୍ରିପ, ୧୮୦ କୋଟି ଟଙ୍କାରେ କେନ୍ଦୁଝର ଷ୍ଟାଡିୟମ୍, ୫୦ କୋଟି ଟଙ୍କାରେ ସାନଘାଗରା ଠାରେ RPRC ଆଦି ଅନେକ ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କେନ୍ଦୁଝର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ DMF ଓ OMBADC ଏବଂ ଅନ୍ୟାନ୍ୟ ପାଣ୍ଠି ମିଶାଇଲେ କେବଳ କେନ୍ଦୁଝର ରେ ୩୫ ହଜାର କୋଟି ଟଙ୍କା ରହିଛି। ଏହି ସବୁ ଅର୍ଥ କେନ୍ଦୁଝରର ବିକାଶ ପାଇଁ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଘଟଗାଁ ଠାରେ ପହଞ୍ଚିବା ପରେ ଆର୍ ସି ପ୍ରାଥମିକ ବିଦ୍ୟାଳୟ ଠାରୁ ମା’ ତାରିଣୀ ଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ ଜରିଆ ରେ ଘଟଗାଁବାସୀ  ପାଛୋଟି ନେଇଥିଲେ । ଘଟଗାଁଠାରେ ମା’ ତାରିଣୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ମୁଖ୍ୟମନ୍ତ୍ରୀ ସେହିଠାରେ ହିଁ ଘଟଗାଁ ମା’ ତାରିଣୀ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଯାଜପୁର ସାସଂଦ ରବି ନାରାୟଣ ବେହେରା, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ସନାତନ ମହାକୁଡ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ରେମୁଣା ବିଧାୟକ ଗୋବିନ୍ଦ ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।