ନୂଆଦିଲ୍ଲୀ,୨୬/୧୦: କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବହୁଳ ଭାବରେ ବ୍ୟବହୃତ କ୍ୟାଲସିୟମ୍ ସପ୍ଲିମେଣ୍ଟ ସେଲକାଲ୍ ୫୦୦ ଏବଂ ପାନ୍ ଡି ସମେତ ଚାରୋଟି ଔଷଧର ନମୁନା ପାଇଛି, ଯାହାକି ନକଲି ବୋଲି ଜଣାପଡିଛି। ଯେଉଁଠାରେ ୪୯ଟି ଔଷଧର ନମୁନାର ମାନକ ଗୁଣବତ୍ତା ନଥିବା ଜଣାପଡିଛି। 'ଗୁଣାତ୍ମକ ଅଭାବ' ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କେତେକ ବ୍ୟାଚ୍ ଔଷଧଗୁଡିକ ଆଲ୍କେମ୍ ହେଲଥ୍ ସାଇନ୍ସ, ଆରିଷ୍ଟୋ ଫାର୍ମାସ୍ୟୁଟିକାଲ୍ସ, କାମିଲା ଫାର୍ମାସ୍ୟୁଟିକାଲ୍ସ, ଇନୋଭା କ୍ୟାପଟେନ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଏବଂ ଇପ୍‌କା ଲାବୋରେଟୋରୀ ପରି କମ୍ପାନୀଗୁଡିକର ଅଟେ। କହିରଖୁଛୁ ଯେ, ସେପ୍ଟେମ୍ବର ପାଇଁ ଏହାର ମାସିକ ଔଷଧ ସତର୍କ ରିପୋର୍ଟରେ ପାରାସିଟାମୋଲ, ପାନ୍ ଡି, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ୩ ସମେତ ୪୯ ଟି ଔଷଧର ନମୁନାକୁ ନକଲି ଘୋଷଣା କରାଯାଇଛି। ଯେଉଁଠାରେ ଅକ୍ସିଟୋସିନ୍, ମେଟ୍ରୋନିଡାଜୋଲ ଏବଂ ଫ୍ଲୁକୋନାଜୋଲକୁ ‘ଗୁଣବତ୍ତାର ଅଭାବ’ ତାଲିକାରେ ସାମିଲ କରାଯାଇଛି। 

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ରାଜୀବ ସିଂ ରଘୁବଂଶୀ କହିଛନ୍ତି ଯେ, 'ସ୍ୱଳ୍ପ ପ୍ରଭାବଶାଳୀ ଔଷଧର ପ୍ରତିଶତ କମ୍‌ କରିବା ପାଇଁ ପର୍ଯ୍ୟାୟକ୍ରମେ ଯାଞ୍ଚ କରାଯାଏ। ସେ କହିଛନ୍ତି ଯେ ସିଡିଏସ୍‌ସିଓ (ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍) ଦ୍ବାରା ଔଷଧ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ମନିଟରିଂ ଦ୍ବାରା କମ୍ ପ୍ରଭାବସମ୍ପନ୍ନ ଔଷଧର ପ୍ରଭାବ ହ୍ରାସ ପାଇଥାଏ। 

ରଘୁବଂଶୀ କହିଛନ୍ତି ଯେ ପରୀକ୍ଷା କରାଯାଇଥିବା ପ୍ରାୟ ତିନି ହଜାର ନମୁନା ମଧ୍ୟରୁ ୪୯ ଟି ଔଷଧର ମାନକ ଗୁଣବତ୍ତା ଅର୍ଥାତ୍‌ ଏନ୍‌ଏସ୍‌କ୍ୟୁ ଖରାପ ‌ଥିବା ଯୋଗୁ ଏହାକୁ ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ସମୁଦାୟ ନମୁନା ମଧ୍ୟରୁ କେବଳ ୧.୫ ପ୍ରତିଶତ ଔଷଧ କମ୍ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। ଯେହେତୁ ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍ ରୁ ଔଷଧର ନମୁନା ଗୁଣାତ୍ମକ ମାନ ପୂରଣ କରୁନାହିଁ ବୋଲି ଏହାର ଅର୍ଥ ନୁହେଁ ଯେ ସେହି ନାଁରେ ବିକ୍ରି ହୋଇଥିବା ସମସ୍ତ ଔଷଧ ଖରାପ। କେବଳ ସେହି ନିର୍ଦ୍ଦିଷ୍ଟ ବ୍ୟାଚ୍‌ର ଔଷଧ ମାନକ ଗୁଣବତ୍ତା ଆଧାରରେ ଖରାପ ବୋଲି ବିବେଚନା କରାଯାଉଥିବା ଏକ ସରକାରୀ ସୂତ୍ରରୁ ପ୍ରକାଶ। କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ଏହାର ଅଗଷ୍ଟ ରିପୋର୍ଟରେ ପାରାସିଟାମଲ୍, ପାନ୍ ଡି, କ୍ୟାଲସିୟମ୍ ଏବଂ ଭିଟାମିନ୍ ଡିଥ୍ରୀ ଏବଂ ଆଣ୍ଟି-ଡାଇବେଟିସ୍ ଔଷଧ ସମେତ ୫୦ ରୁ ଅଧିକ ଔଷଧର ନମୁନା ତାଲିକାଭୁକ୍ତ କରିଥିଲା।