ନୂଆଦିଲ୍ଲୀ,୮।୯:  ଜେରୁଜେଲମ୍‌ରେ ଗୁଳିକାଣ୍ଡ। ସୋମବାର ଘଟିଥିବା ଏହି ଗୁଳିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଆହତ ହୋଇଛନ୍ତି। ପୋଲିସ ଓ ଇସ୍ରାଏଲର ମେଡିକାଲ ସର୍ଭିସର ମେଗେନ୍ ଡେଭିଡ୍‌ ଏଡୋନ୍‌ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆହତଙ୍କ ମଧ୍ୟରେ ୬ ଜଣଙ୍କ ସ୍ଥିତି ଗୁରୁତର ରହିଛି। ପୋଲିସ କହିଛି, ଗୁଳିକାଣ୍ଡ ଆରମ୍ଭ ହେବାର ତୁରନ୍ତ ପରେ ଦୁଇ ଆକ୍ରମଣକାରୀ ନିହତ ହୋଇଛନ୍ତି। ଗୁଳିକାଣ୍ଡ ଜେରୁଜେଲମ୍‌ର ଉତ୍ତର ପ୍ରବେଶ ଦ୍ବାରର ମେନ୍ ଗେଟ୍‌ ନିକଟରେ ହୋଇଥିଲା। ଯାହାକି ପୂର୍ବ ଜେରୁଜେଲମ୍ ସ୍ଥିତ ଇହୁଦୀ ବସ୍ତି ଆଡକୁ ଯାଉଥିବା ସଡକ।

ସୁରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ଜେରୁଜେଲମ୍ ରାମୋଟ୍ ଜଙ୍କସନ୍‌ରେ ଗୁଳିକାଣ୍ଡ କରୁଥିବା ଆତଙ୍କବାଦୀ ପଶ୍ଚିମ ଉପକୂଳର ପାଲେଷ୍ଟନୀୟ। କୁହାଯାଉଛି ଯେ, ଦୁଇ ଆତଙ୍କବାଦୀ ରାମଲ୍ଲାହ ଅଞ୍ଚଳରେ ଥିବା ଗାଁରୁ ବାହାରିଥିଲେ। ଇସ୍ରାଏଲୀ ସୁରକ୍ଷା ଅଧିକାରୀ ଏବେ ବି ତାଙ୍କର ଚିହ୍ନଟ କରି ଯାଞ୍ଚ କରୁଛନ୍ତି। ଆକ୍ରମଣର ସିସିଟିଭି ଫୁଟେଜ ଦେଖିବାକୁ ମିଳିଛି। ସକାଳୁ ହଜାର ହଜାର ବହୁ ଲେକ ବସ୍ ଷ୍ଟପ୍ ଆଡକୁ ଦୌଡିଥିଲେ। ଗୁଳିକାଣ୍ଡ କାରଣରୁ ପୁରା ଅଞ୍ଚଳ ଅବ୍ୟବସ୍ଥିତ ହୋଇଯାଇଛି।

ହମାସ ଏହି ଆକ୍ରମଣକୁ ସ୍ବାଗତ କରିଛି। ତେବେ ଏଥିପାଇଁ ନିଜକୁ ଦାୟୀ କରିନି। ସେ ଏହାକୁ ଆମ ଲୋକଙ୍କ ବିରୋଧରେ ଅପରାଧର ସ୍ବାଭାବିକ ଜବାବ ବୋଲି କହିଛି। ଗାଜା ଯୁଦ୍ଧ କାରଣରୁ ଇସ୍ରାଏଲ-ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ ଓ ଇସ୍ରାଏଲ ଦୁହିଁଙ୍କ ଭିତରେ ହିଂସା ବଢିଛି। ଏହି ସମୟରେ ବସ୍ତିରେ ରହୁଥିବା ପାଲେଷ୍ଟନୀୟଙ୍କ ବିରୋଧରେ ମଧ୍ୟ ହିଂସା ବୃଦ୍ଧି ହୋଇଛି।