ଭୁବନେଶ୍ୱର,୧୧/୧୧: ରାଜ୍ୟରେ ମହିଳା ବିରୋଧୀ ହିଂସାର ଦଣ୍ଡବିଧାନ ହାର ବହୁତ କମ୍‌ ରହିଛି । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର  ତଥ୍ୟ ଅନୁସାରେ ୨୦୨୨ ସୁଦ୍ଧା ଓଡ଼ିଶାରେ ମହିଳା ହିଂସା ଦଣ୍ଡବିଧାନ ହାର କେବଳ  ୯.୩ ପ୍ରତିଶତ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ  ସରକାର । ତେଣୁ ରାଜ୍ୟରେ  ରାଜ୍ୟରେ ୪ଟି ମହିଳା କୋର୍ଟ  ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି  ନେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । 

ଶ୍ରୀ  ହରିଚନ୍ଦନ କହିଛନ୍ତି, ସରକାର ଏ ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି ।  ସରକାର ଏ ବାବଦରେ ଉଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିବାକୁ ଯାଉଛନ୍ତି । ମହିଳା  ସଂକ୍ରାନ୍ତୀୟ ସମସ୍ତ ଅପରାଧର ବିଚାର ପାଇଁ ୪ଟି କୋର୍ଟ ପ୍ରତିଷ୍ଠା ହେବ । ପାଇଲଟ୍‌ ପ୍ରକଳ୍ପ ଭାବେ ଆଗ ଏହି ୪ଟି କୋର୍ଟର  କାର୍ଯ୍ୟକାରିତାକୁ ଦେଖାଯିବ । ଫାଷ୍ଟଟ୍ରାକ୍‌ କୋର୍ଟ  ଭାବେ ଏହି କୋର୍ଟଗୁଡ଼ିକ ମହିଳା ସଂକ୍ରାନ୍ତୀୟ ଅପରାଧର ବିଚାର କରିବେ । ସେଠାରେ  ବିଚାରପତି ମହିଳା ଓ ସରକାରୀ ଓକିଲ ମଧ୍ୟ  ମହିଳା ରହିବେ । ଫଳରେ ପୀଡ଼ିତାଙ୍କୁ ଜେରା ବେଳେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।