ନୂଆଦିଲ୍ଲୀ: ଫ୍ରାନ୍ସରେ ପ୍ରବଳ ଝଡ଼ ତୋଫାନ ଏବଂ ମୁଷଳଧାରାରେ ବର୍ଷା ଯୋଗୁଁ ପ୍ରଳୟ ସୃଷ୍ଟି ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଗଛ ଉପୁଡ଼ି ପଡ଼ିଛି । ପ୍ୟାରିସର ବିଭିନ୍ନ ରାସ୍ତା ଜଳମଗ୍ନ ହୋଇଯାଇଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ ସଂସଦ ଭବନର ଛାତରୁ ପାଣି ମଧ୍ୟ ଗଳିବାକୁ ଆରମ୍ଭ ହୋଇଥିଲା।
ପ୍ରଧାନମନ୍ତ୍ରୀ ଫ୍ରାସବା ବାୟରୁ ପଶ୍ଚିମ ଏସିଆ ଉପରେ ସଂସଦରେ ଭାଷଣ ଦେଉଥିବା ସମୟରେ ଛାତରୁ ପାଣି ଟୋପା ଟୋପା ଗଳିଥିଲା । ଗଳୁଥିବା ପାଣିକୁ ଇଙ୍ଗିତ କରି ସେ ହସି କହିଥିଲେ ଯେ," ଆପଣ ମାନେ ବର୍ଷା ହେଉଥିବା ଦେଖିଲେ କି ?" ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ପ୍ୟାରିସର ଅନେକ ପ୍ରମୁଖ ରାସ୍ତା ବୁଡିଯାଇଥିଲା । ଉପ ବାଚସ୍ପତି ରୋଲାଣ୍ଡ ଲେସ୍କ୍ୟୁର ଅସ୍ଥାୟୀ ଭାବରେ ସଂସଦର କାର୍ଯ୍ୟ ବନ୍ଦ କରିଦେଇଥିଲେ, ଯାହାଦ୍ୱାରା ଅଗ୍ନିଶମ ଅଧିକାରୀ ମାନେ ଲିକେଜ୍ ତଦନ୍ତ କରିପାରିବେ। ପ୍ରାୟ ୧୫ ମିନିଟ୍ ପରେ କାର୍ଯ୍ୟ ପୁନଃଆରମ୍ଭ ହୋଇଥିଲା ।
ଫ୍ରାନ୍ସ ନାଗରିକ ସୁରକ୍ଷା ଏଜେନ୍ସି କହିଛି ଯେ ଝଡ଼ ଏବଂ ବର୍ଷା ଯୋଗୁଁ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ସାରା ଦେଶରେ ପ୍ରାୟ ୧,୧୦,୦୦୦ ଘରକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି।