ନୂଆଦିଲ୍ଲୀ, ୪/୯ : ୟୁରୋପରୁ ଶଙ୍ଖନାଦ, ଘନେଇଲା ବଡ଼ ଯୁଦ୍ଧ ଆଶଙ୍କା। ଋଷ୍ ଓ ନାଟୋ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବଢୁଛି ତିକ୍ତତା । ସମ୍ଭାବ୍ୟ ଯୁଦ୍ଧ ପାଇଁ ଚାଲିଲାଣି ସଜବାଜ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ବଡ଼ ଖୁଲାସା। ହସ୍ପିଟାଲ ଗୁଡ଼ିକୁ ଫ୍ରାନ୍ସର ନିର୍ଦ୍ଦେଶ, '୨୦୨୬ରେ ହେବ ବଡ଼ ଯୁଦ୍ଧ... ସାରା ୟୁରୋପରୁ ଆସିବେ ଆହତ ସୈନିକ, ଚିକିତ୍ସା ପାଇଁ ପ୍ରସ୍ତୁତ ରୁହ'।
ଜୁଲାଇ ୧୮ ତାରିଖରେ ଫ୍ରାନ୍ସ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ହସ୍ପିଟାଲଗୁଡ଼ିକୁ ଚିଠି କରିଛି । ୨୦୨୬ ସୁଦ୍ଧା ଏକ ବଡ଼ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି । ୧୦ ରୁ ୧୮୦ ଦିନ ମଧ୍ୟରେ ଏକାସଙ୍ଗରେ ହଜାର ହଜାର ଫ୍ରାନ୍ସ ଏବଂ ବିଦେଶୀ ସୈନ୍ୟଙ୍କ ପାଇଁ ଚିକିତ୍ସା ସୁବିଧା କରିବାକୁ କୁହାଯାଇଛି । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କୌଣସି ବଡ଼ ଧରଣର ସଙ୍ଘର୍ଷ ହୋଇପାରେ ଓ ବହୁ ସଂଖ୍ୟାରେ ସୈନ୍ୟ ଏଥିରେ ମୃତାହତ ହେବାର ୟୁରୋପୀୟ ନେତା ପୂର୍ବାନୁମାନ କରୁଛନ୍ତି। ତେଣୁ ସମସ୍ତ ଆଞ୍ଚଳିକ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଏ ବାବଦରେ ଅବଗତ କରାଯାଇଛି । ଫ୍ରାନ୍ସ ତା’ର ପ୍ରତିରକ୍ଷା ଖର୍ଚ୍ଚ ୩-୩.୫ ପ୍ରତିଶତକୁ ବୃଦ୍ଧି କରିଛି।
ବଡ଼ ଯୁଦ୍ଧ ଆଶଙ୍କା କରି ବସ୍, ରେଳଷ୍ଟେସନ, ଏୟାରପୋର୍ଟ ଆଦି ସ୍ଥାନରେ ମଧ୍ୟ ହସ୍ପିଟାଲ ନିର୍ମାଣ କରିବାକୁ ଫ୍ରାନ୍ସ ଯୋଜନା କରିଛି । ଏହା ଦ୍ୱାରା ଷ୍ଟେସନ ଗୁଡ଼ିକରେ ଅଧିକରୁ ଅଧିକ ଆହତ ବିଦେଶୀ ସୈନିକଙ୍କୁ ଚିକିତ୍ସା କରି ସେମାନଙ୍କୁ ନିଜ ଦେଶକୁ ପଠାଯାଇ ପାରିବ । ସ୍ୱାସ୍ଥ୍ୟମନ୍ତ୍ରୀ କ୍ୟାଥେରିନ୍ ଭୌଟ୍ରିନ କହିଛନ୍ତି, କୌଣସି ଦେଶ ପାଇଁ ସମ୍ଭାବ୍ୟ ସଙ୍କଟ ଏବଂ ତାହାର ପରିଣାମ ପୂର୍ବାନୁମାନ କରି ଏଥିପାଇଁ ପ୍ରସ୍ତୁତି କରିବା ସମ୍ପୂର୍ଣ୍ଣ ସ୍ୱାଭାବିକ । ଏହା ଅନ୍ୟତମ ରଣନୈତିକ କାର୍ଯ୍ୟ । କୋଭିଡ୍ ସମୟରେ ବି ଦେଶ ଏକ ଅସ୍ୱାଭାବିକ ସ୍ଥିତି ଦେଇ ଗତି କରିଥିଲା। ଏଥିପାଇଁ ପୂର୍ବ ପ୍ରସ୍ତୁତି ନ ଥିବାରୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।
୨୦ ପୃଷ୍ଠା ବିଶିଷ୍ଟ ‘ସର୍ଭାଇଭାଲ ଗାଇଡ୍ସ’ ପ୍ରକାଶନ ପରଠୁ ଫ୍ରାନ୍ସର ଯୁଦ୍ଧପ୍ରସ୍ତୁତି ବିଷୟରେ ସାମ୍ନାକୁ ଆସିଛି । ସଶସ୍ତ୍ର ସଂଘର୍ଷ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଜରୁରିକାଳୀନ ପରିସ୍ଥିତିରୁ ନାଗରିକଙ୍କୁ ସୁରକ୍ଷା ଦେବା ଲାଗି ୬୩ ପ୍ରକାର ପଦକ୍ଷେପ ବିଷୟରେ କୁହାଯାଇଛି । ଏହି ମାର୍ଗଦର୍ଶିକାରେ ଜରୁରି ସାମଗ୍ରୀକୁ ତାଲିକାଭୁକ୍ତ କରାଯାଇଛି । ପରମାଣୁ ହମଲା ଓ ସ୍ଥାନୀୟ ସୁରକ୍ଷା ବାହିନୀରେ ସାମିଲ ହେବା ବିଷୟରେ ମଧ୍ୟ କୁହାଯାଇଛି । ତେବେ ଋଷ ପଟୁ କୌଣସି ବିପଦକୁ ନାହିଁ ବୋଲି ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ହେଲେ ଫ୍ରାନ୍ସର ଏହି ମାର୍ଗଦର୍ଶିକା ପରେ ଅନ୍ତରାଷ୍ଟ୍ରୀୟ ଅସ୍ଥିରତା ବିଷୟରେ ଜଳଜଳ କରି ଦେଖାଯାଉଛି। ବଡ଼ ଯୁଦ୍ଧ ନେଇ ଅଟକଳ କରାଯାଉଛି।