ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ମାଡାଗାସ୍କର ରାଜାଙ୍କ ଖପୁରି ଫେରାଇଲା ଫ୍ରାନ୍ସ, ୧୨୮ ବର୍ଷ ପୂର୍ବେ ମୁଣ୍ଡ କାଟି ନେଇଯାଇଥିଲେ ଫରାସୀ ସୈନ୍ୟ

Published By : Manoj | August 28, 2025 8:57 AM

ପ୍ୟାରିସ,୨୮/୦୮: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ମାଡାଗାସ୍କରକୁ ଔପନିବେଶକ କାଳର ୩ଟି ଖପୁରି ଫେରାଇଛି ଫ୍ରାନ୍ସ । ଏଥିରୁ ଗୋଟିଏ ଖପୁରି ରାଜା ଟୋଏରାଙ୍କର ରହିଛି । ରିପୋର୍ଟ ମୁତାବକ, ୧୮୯୭ରେ  ଫରାସୀ ସୈନ୍ୟମାନେ ମାଲାଗାସୀ ରାଜା  ଟୋଏରାଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ ।  ଏହାପରେ କଟାମୁଣ୍ଡକୁ ପ୍ୟାରିସ ନେଇଯାଇ ନ୍ୟାସନାଲ ହିଷ୍ଟ୍ରି ମ୍ୟୁଜିୟମ୍‌ରେ ଟ୍ରଫି ଭଳି ସଜାଇ ରଖିଥିଲେ । ବାକି ଦୁଇଟି ଖପୁରି ସାକାଲାଭା ଜାତୀୟ ଲୋକଙ୍କର । ମାନବ ଅବଶେଷ ଫେରାଇବା ନେଇ ଫ୍ରାନ୍ସରେ ଆଇନ ଆସିବା ପରେ ଏହି  ଖପୁରିଗୁଡ଼ିକୁ ଫେରାଇ ଦିଆଯାଇଛି ।  

୨୦୨୩ରେ କାର୍ଯ୍ୟକାରୀ ହୋଇଥିବା ଏହି  ଆଇନ ଅନୁସାରେ, ମାନବ ଅବଶେଷକୁ  ସେମାନଙ୍କ ମୂଳ ଦେଶକୁ ଫେରାଇ ଦିଆଯିବ ।  ତେଣୁ ପ୍ରଥମ ଥର ପାଇଁ ମାଡାଗାସ୍କରକୁ ୩ଟି  ଖପୁରି ଫେରାଯାଇଛି । ଏବେ ସେଗୁଡ଼ିକୁ  ପୋତାଯାଇ ଅନ୍ତିମ ସଂସ୍କାର କରାଯିବ ।  ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ରଚିଦା ଦାତୀ କହିଛନ୍ତି, ଖପୁରିଗୁଡ଼ିକୁ ଆଣିବା ଔପନିବେଶିକ ହିଂସା  ସହ ଜଡ଼ିତ ମାମଲା ଥିଲା ଏବଂ ମାନବୀୟ  ସମ୍ମାନର ବିରୋଧୀ ଥିଲା । ତେଣୁ ଏଗୁଡ଼ିକୁ  ଫେରାଇ ଦିଆଯାଇଛି । 

ସେହିଭଳି ମାଡାଗାସ୍କରର ସଂସ୍କୃତି  ମନ୍ତ୍ରୀ ଭୋଲାମିରାନ୍ତୀ ଡୋନା ମାରା ଏହି  ଘଟଣାକୁ ଦୁଇଦେଶର ସମ୍ପର୍କରେ ‘ଏକ  ନୂଆ ଯୁଗର ଶୁଭାରମ୍ଭ’ ଦର୍ଶାଇଛନ୍ତି । କହିଛନ୍ତି, ବିଗତ ୧୨୮ ବର୍ଷ ହେଲା ରାଜା  ଟୋଏରା ଏବଂ ସାକାଲାଭା ଲୋକଙ୍କ ଖପୁରି  ନ ମିଳିବା ଯୋଗୁ ଆମ ଦେଶ ପାଇଁ ଏହା  ଏକ ‘ଖୋଲା ଘାଆ’ ଭଳି ରହିଥିଲା । ଏବେ  ସେଗୁଡ଼ିକୁ ଫେରିପାଇଥିବାରୁ ଆମେ ଖୁସି ।  

ରିପୋର୍ଟ ମୁତାବକ, ବୈଜ୍ଞାନିକମାନେ ଯାଞ୍ଚ  କରି ଜାଣିବାକୁ ପାଇଛନ୍ତି ଯେ ଖପୁରିଗୁଡ଼ିକ  ସାକାଲାଭା ସମୁଦାୟର । କିନ୍ତୁ ରାଜା  ଟୋଏରାଙ୍କ ଖପୁରିକୁ ନେଇ ସେମାନେ  ସ୍ପଷ୍ଟ ରିପୋର୍ଟ ଦେଇପାରି ନାହାନ୍ତି । ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି  ଇମାନୁଏଲ୍‌ ମାକ୍ରନ ୨୦୧୭ରେ କ୍ଷମତାକୁ  ଆସିବା ପରେ ଆଫ୍ରିକାରେ ଫ୍ରାନ୍ସ କରିଥିବା  ଅତ୍ୟାଚାରକୁ ସ୍ୱୀକାର କରିଥିଲେ ।  ଚଳିତବର୍ଷ ଏପ୍ରିଲରେ ଯେତେବେଳେ  ମାକ୍ରନ ମାଡାଗାସ୍କର ରାଜଧାନୀ  ଏଣ୍ଟାନାନାରିଭୋ ଯାଇଥିଲେ, ଫ୍ରାନ୍ସର  ଅତ୍ୟାଚାର ପାଇଁ ସେ ଲୋକଙ୍କୁ କ୍ଷମା  ପ୍ରାର୍ଥନା କରିଥିଲେ । ଏହି ଅବସରରେ ସେ  ସଂସ୍କୃତି ମନ୍ତ୍ରୀ ରଚିଦା ଏବଂ ମାଡାଗାସ୍କର  ରାଜକୁମାରୀ ଫେନୋସୋଆ ରତ୍ସିମାମଙ୍ଗା  ଓ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । 

ମାଡାଗାସ୍କର ୧୯୬୦ରେ ଫ୍ରାନ୍ସର  ଓପନିବେଶରୁ ସ୍ୱାଧୀନତା ପାଇଥିଲା । କିଛି  ବର୍ଷ ହେଲା ଫ୍ରାନ୍ସ ନିଜ ଔପନିବେଶିକ  ଅତୀତକୁ ସ୍ୱୀକାର ଲାଗି ଉଦ୍ୟମ କରୁଛି। ଶାସନ କାଳରେ ଲୁଟି ନିଆଯାଇଥିବା ସାମଗ୍ରୀ  ଏବଂ ମାନବ ଅବଶେଷ ଫେରାଇବା ଧାରା  ଆରମ୍ଭ କରିଛି ଫ୍ରାନ୍ସ । ପୂର୍ବରୁ ଏ ନେଇ  ସମସ୍ୟା ଆସୁଥିଲା। କାରଣ ପ୍ରତ୍ୟେକ  ମାମଲାରେ ସଂସଦରେ ପୃଥକ୍‌ ଆଇନ  ପାରିତ କରିବାକୁ ପଡୁଥିଲା । କିନ୍ତୁ ନୂଆ  ଆଇନରେ ତାହା ବନ୍ଦ ହୋଇଯାଇଛି ।  ମାନବ ଅବଶେଷ ଫେରସ୍ତ ରାସ୍ତା ସଫା  ହୋଇଯାଇଛି । ଏବେ ସେହି ସୁଯୋଗରେ  ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ଭଳି ଅନେକ  ଦେଶ ନିଜ ପୂର୍ବଜଙ୍କ ଦେହାବଶେଷକୁ ଫେରି ପାଇବା ଲାଗି ଦାବି କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.