ନୂଆଦିଲ୍ଲୀ : ରୁଷ୍ର ରାଷ୍ଟ୍ରପତି ଦୁଇ ଦିବସୀୟ ଭାରତ ଗସ୍ତରେ ଅଛନ୍ତି। ଆଜି ଯାତ୍ରାର ଦ୍ୱିତୀୟ ଦିନ। ତାଙ୍କର ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ୱାଗତ କରାଯାଇଛି। ଏହାପରେ ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷୀୟ ରାଷ୍ଟ୍ରପତି ଦ୍ୱିପାକ୍ଷୀୟ ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ଉଭୟ ନେତା ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ସହ ଯୁଗ୍ମ ବିବୃତ୍ତିରେ ପିଏମ୍ ମୋଦି କହିଛନ୍ତି ଯେ, ଭାରତ-ରୁଷ୍ ବନ୍ଧୁତା ଧ୍ରୁବ ତାରା ଭଳି ଚମକୁଛି। ପିଏମ୍ ମୋଦି କହିଛନ୍ତି ଯେ, ଉଭୟ ଦେଶ ସବୁ ମଞ୍ଚରେ ସହଯୋଗ ଓ ସମର୍ଥନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ଭାରତ ସବୁ ରୁଷୀୟ ନାଗରିକଙ୍କ ପାଇଁ ୩୦ ଦିନର ନିଃଶୁଳ୍କ ଇ-ଟୁରିଷ୍ଟ ଭିସା ଜାରି କରିବ।
ଏହାସହ ମଧ୍ୟ ପଢନ୍ତୁ : ଭାରତକୁ ତୈଳ ସପ୍ଲାଇ ଜାରି ରହିବ, ପିଏମ୍ ମୋଦିଙ୍କ ସାମ୍ନାରେ ପୁଟିନଙ୍କ ବଡ଼ ଘୋଷଣା
ମିଳିତ ସାମ୍ୱାଦିକ ସମ୍ମିଳନୀରେ ପିଏମ୍ ମୋଦି କହିଛନ୍ତି ଯେ, ଭାରତ ଓ ରୁଷ୍ ୨୦୩୦ ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ଉପରେ ରଣନୀତି ଓ ସହମତି ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି ଯେ, ରୁଷ୍ ସହ ଆର୍ଥିକ ସହଯୋଗ ନୂଆ ଶିଖର ଯାଏ ନେଇ ଯିବ। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି , ଭାରତ , ରୁଷ୍ ମାଇଗ୍ରେସନ ଓ ଯାତାୟାତ ଆହୁରି ସହଜ ସାଧ୍ୟ ହେବା ଦିଗରେ ଚୁକ୍ତିନାମା ଉପରେ ଦସ୍ତଖତ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନାରେ ଉଭୟ ଦେଶ ପୋର୍ଟ ( ବନ୍ଦର) ଓ ସିପିଂ ସେକ୍ଟର( ବନ୍ଦର ପରିବହନ)ରେ ସହଯୋଗ ପାଇଁ ମଧ୍ୟ ଯୁଗ୍ମ ଘୋଷଣାନାମା ଉପରେ ଦସ୍ତଖତ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଓ ରୁଷ୍ ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସହଯୋଗ ସହ ଜଡ଼ିତ ଚୁକ୍ତିନାମା ଉପରେ ମଧ୍ୟ ଦସ୍ତଖତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଗତ ଆଠ ଦଶନ୍ଧୀରେ ବିଶ୍ୱ ଅନେକ ଉତ୍ଥାନ ପତନ ଦେଖିଛି। ମାନବିକତାକୁ ଅନେକ ପ୍ରକାରର ଚ୍ୟାଲେଞ୍ଜ ଓ ମୁସ୍କିଲ ମଧ୍ୟରେ ଗତି କରିବାକୁ ପଡ଼ିଛି, କିନ୍ତୁ ଏସବୁ ମଧ୍ୟରେ , ଭାରତ-ରୁଷ୍ର ବନ୍ଧୁତା ଧ୍ରୁବ ତାରା ପରି ସର୍ବଦା ଚମକୁଛି ଏବଂ ଦୃଢ ଭାବେ ରହିଛି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ ଓ ରୁଷ୍ ୟୁରେସିୟନ ଇକୋନମିକ ୟୁନିୟନ ସହ ଏଫଟିଏକୁ ଖୁବ୍ ଶୀଘ୍ର ଅନ୍ତିମ ରୂପ ଦେବାର ଦିଗରେ କାମ କରୁଛନ୍ତି। ସେ କହିଛନ୍ତି ଯେ,ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବଢାଇବା ଆମର ପ୍ରାଥମିକତା ଏବଂ ଏଥିପାଇଁ ୨୦୩୦ ଯାଏ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ ଉପରେ ସହମତି ହୋଇଛି। ପିଏମ୍ ମୋଦି ଏହାମଧ୍ୟ ଘୋଷଣା କରିଛନ୍ତି ଯେ, ଭାରତ ରୁଷ୍ ନାଗରିକଙ୍କ ପାଇଁ ଫ୍ରି ଇ-ଟୁରିଷ୍ଟ ଭିସା ଜାରି କରିବ ,ଯାହାର ବୈଧତା ୩୦ ଦିନ ପାଇଁ ହେବ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ, ଭାରତ ଆରମ୍ଭରୁ ହିଁ ୟୁକ୍ରେନ ମାମଲା ଉପରେ ଶାନ୍ତି ନେଇ ପରାମର୍ଶ ଦେଇ ଆସିଛି।