• ରାଜ୍ୟରେ ୧୨୦୦ରୁ ଅଧିକ ବେସରକାରୀ ଅନୁଦାନପ୍ରାପ୍ତ କଲେଜ
  • ପ୍ରତି କଲେଜ ନାମଲେଖା ବେଳେ ୩୦ରୁ ୬୦ ଲକ୍ଷ ଆଦାୟ କରନ୍ତି
  • ସରକାର ନ ଦେଲେ କଲେଜ ରକ୍ଷଣାବେକ୍ଷଣ ଓ ଷ୍ଟାଫ୍‌ ଦରମା ଚିନ୍ତା
  • ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସୁ, ନହେଲେ ଅଚଳ ହୋଇଯିବ କଲେଜ: ଅଧ୍ୟାପକ ସଂଘ
    ​​​​​​​​​​​​​​ଭୁବନେଶ୍ୱର, ୧୪/୦୭ : ରାଜ୍ୟ ସରକାର କେଜିରୁ ପିଜି ମାଗଣା ଶିକ୍ଷାକୁ କ୍ୟାବିନେଟ୍‌ରେ ମୋହର ମାରିଲେ। ଚଳିତ ଶିକ୍ଷାବର୍ଷରୁ ଲାଗୁ କରିବାକୁ ଘୋଷଣା କଲେ । ଏହା ପରେ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ କାର୍ଯ୍ୟକାରୀ କରିବାକୁ ପୃଥକ୍‌ ଭାବେ ଚିଠି କଲେ। ମନ୍ତ୍ରୀ କହିଲେ, ସେଲ୍‌ଫ ଫାଇନାନ୍ସ, ବୃତ୍ତିଗତ ଶିକ୍ଷାକୁ ଛାଡ଼ିଦେଲେ ସବୁ ନାମଲେଖା ମାଗଣା । ଏହାକୁ ନେଇ ଏବେ ଚିନ୍ତାରେ ଅନୁଦାନପ୍ରାପ୍ତ (୪୮୮ ଓ ୬୬୨ ବର୍ଗ) ଓ ବ୍ଲକ୍‌ଗ୍ରାଣ୍ଟ କଲେଜ। ସେମାନଙ୍କ କହିବା କଥା, ନାମଲେଖା ସମୟରେ ବିଭିନ୍ନ ଫି ବାବଦକୁ ଆଦାୟ ହେଉଥିବା ଅର୍ଥରେ ବର୍ଷସାରା କଲେଜ ଖର୍ଚ୍ଚ ହୁଏ । କଲେଜର ସିଟ୍‌ ଅନୁଯାୟୀ ବାର୍ଷିକ ୩୦ରୁ ୬୦ ଲକ୍ଷ ଟଙ୍କାର ରାଜସ୍ୱ ଏହି ନାମଲେଖାରୁ ଆଦାୟ ହୋଇଥାଏ । ଏଥିରେ କଲେଜର ରକ୍ଷଣାବେକ୍ଷଣଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ ବହନ କରାଯାଏ । ଏହାକୁ କିଏ ଭରଣା କରିବ? ଅତିଥି ଅଧ୍ୟାପକଙ୍କୁ ଦରମା କିଏ ଦେବ? ବିଦ୍ୟୁତ୍‌ ବିଲ୍‌ କିଏ ଭରିବ? ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି । 

ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ, ବେସରକାରୀ ଅନୁଦାନପ୍ରାପ୍ତ କମ୍ପୋଜିଟ୍‌ କଲେଜ (୪୮୮ ବର୍ଗ)ରେ ମୋଟ ୨୭୭ଟି କଲେଜ ରହିଛି । ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ (୪୮୮ ବର୍ଗ) ଅଧୀନରେ ୬ଟି କଲେଜ ରହିଛି । ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ (୬୬୨ ବର୍ଗ) ଅଧୀନରେ ୨୮୩ଟି କଲେଜ ରହିଛି । ଅନ୍ୟପଟେ ୬୬୨ ବର୍ଗ ଅଧ୍ୟାପକ ସଂଘର କହିବା କଥା, ୬୬୨ ବର୍ଗ ଅଧୀନରେ ୭୦୦ରୁ ଅଧିକ କଲେଜ ରହିଛି । ସେହିପରି ୪୮୮ ବର୍ଗ ଅଧ୍ୟାପକ ସଂଘର କହିବା କଥା, ୨୧୧ଟି ଯୁକ୍ତ ଦୁଇ କଲେଜ କଲେଜ ରହିଛି ଏବଂ ୨୭୭ଟି ଡିଗ୍ରୀ କଲେଜ ରହିଛି । ମୋଟ ୧୨୦୦ରୁ ଅଧିକ ଅନୁଦାନପ୍ରାପ୍ତ କଲେଜ ରହିଛି । ଗୋଟିଏ କଲେଜ ପିଛା ଯଦି ସର୍ବନିମ୍ନ ୩୦ ଲକ୍ଷ ଟଙ୍କା ହିସାବକୁ ନିଆଯାଏ ତେବେ ୩୫୦ କୋଟିରୁ ୪୦୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ବାର୍ଷିକ ଭରଣା କରିବାକୁ ପଡ଼ିବ । 

ଅନୁଦାନପ୍ରାପ୍ତ କଲେଜରେ ନାମଲେଖା ଫି’ ଭିତରେ ଏକାଡେମିକ୍‌ ଫି, ଆଡମିଶନ ଫି, ଅନୁବନ୍ଧିତ ଫି, ସୋସାଇଟି ଫି, କଲେଜ ଡେଭଲପ୍‌ମେଣ୍ଟ କାଉନ୍‌ସିଲ ଫି, କଲେଜ କ୍ୟାଲେଣ୍ଡର/ ମାଗାଜିନ୍‌ ଫି, କଲେଜ ଉନ୍ନତିକରଣ ଫି, କଲେଜ ପଞ୍ଜିକରଣ ଫି’, କମନ୍‌ରୁମ୍‌ ଫି, କର୍ପସ ଫଣ୍ଡ, କଲଚରାଲ ଆସୋସିଏସନ୍‌, ସାଇକେଲ୍‌ ଷ୍ଟାଣ୍ଡ, ଡିଏସ୍‌ଏ, ଇ ଏଜୁକେସନ/ଇ ଗର୍ଭନାନ୍ସ/ ୱାଇଫାଇ ପାଇଁ ଅର୍ଥ ଆଦାୟ କରାଯାଏ । ଏଥିସହ ଇଏଚ୍‌ଏମ୍‌ ଫି, ପରୀକ୍ଷା ଫି, ପରୀକ୍ଷା ଫର୍ମ ଫିଲପ୍‌ ଫି, ଫ୍ୟାକଲ୍ଟି ୱେଲ୍‌ଫେୟାର, ଫାଇନ୍‌/ ଲେଟ୍‌ ଫି, ଜେନେରାଲ ଇନ୍‌ସୁରାନ୍ସ, ଆଇଡି କାର୍ଡ, ଲାଇବ୍ରେରୀ କାର୍ଡ, ଇନ୍‌ସୁରାନ୍ସ/ ଷ୍ଟୁଡେଣ୍ଟ ମେଡିକାଲ, ଲାଇବ୍ରେରୀ ଉନ୍ନତିକରଣ, ଲ୍ୟାବ୍‌ ଉନ୍ନତିକରଣ, ମାର୍କସିଟ୍‌, ସିଏଲ୍‌ସି, ଏମ୍‌ଆଇଏସ୍‌ସି କଲେକ୍ସନ୍‌ ଫି, ମାଇଗ୍ରେସନ୍‌ ଫି, ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ଅନ୍ୟ ବୋର୍ଡ ଛାତ୍ରଛାତ୍ରୀ ଫି, ପ୍ରାକ୍ଟିକାଲ ଫି, ଉପସ୍ଥାନ ଫି, ସ୍ୱୀକୃତି ଫି, ସଂସ୍କୃତ, ଫ୍ଲାଗ୍‌ ଡେ, ଜୟନ୍ତୀ, ବାର୍ଷିକ ଉତ୍ସବ, ଜୁବୁଲି ଫି, ସେମିନାର ଫି, ଏସ୍‌ଏସ୍‌ଜି, ସ୍ପୋର୍ଟ ଫି, ଛାତ୍ର କଲ୍ୟାଣ ପାଣ୍ଠି, ଛାତ୍ର ସଂସଦ, କଲେଜ ନିର୍ବାଚନ ଫି, ସିଲାବସ୍‌, ଲେସନ୍‌ ପ୍ଲାନ୍‌, ଟାଇମ୍‌ ଟେବୁଲ, ଟ୍ୟୁସନ୍‌ ଫି, ୟୁଥ୍‌ ରେଡକ୍ରସ୍‌ ଫି ଆଦି ୪୧ଟି କାରଣ ପାଇଁ ଫି ଆଦାୟ କରାଯାଏ । ଏଥିରେ କଲେଜର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ସହ ଅଧ୍ୟାପକଙ୍କ ଦରମା ମଧ୍ୟ ଦିଆଯାଏ । ତେବେ କିପରି ଏସବୁ କାର୍ଯ୍ୟ କରାଯିବ ତାକୁ ନେଇ ଏବେ ଚିନ୍ତାରେ କଲେଜ କର୍ତ୍ତୃପକ୍ଷ । 

ଏହାକୁ ନେଇ ବିସ୍ତୃତ ଗାଇଡଲାଇନ୍‌ ଆସିବ କି ବୋଲି ନିଖିଳ ଓଡ଼ିଶା ୬୬୨ ବର୍ଗ ଅନୁଦାନପ୍ରାପ୍ତ ବେସରକାରୀ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ ପ୍ରଶ୍ନ କରିଛନ୍ତି । ମାଗଣା ଶିକ୍ଷା ନେଇ ସରକାର ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆଣନ୍ତୁ ବୋଲି ସେ ଦାବି କରିଛନ୍ତି । ଅନ୍ୟପଟେ ଚଳିତ ଶିକ୍ଷା ବର୍ଷ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ଦୁଇ କଲେଜମାନଙ୍କରେ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ପ୍ରକ୍ରିୟା ୧୫ ତାରିଖ ସୁଦ୍ଧା ସାରିବାକୁ କୁହାଯାଇଥିଲା । ଏନେଇ କୌଣସି ଗାଇଡ୍‌ଲାଇନ ନଆସିବାରୁ ଏଯାଏ କଲେଜ କର୍ତ୍ତୃପକ୍ଷ ନିଯୁକ୍ତି ନେଇ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି ବୋଲି ଅଭିଯୋଗ ଆସିଛି।

ଆହୁରି ପଢନ୍ତୁ- Iran revenge list : ଇରାନର ‘ରିଭେଞ୍ଜ ଲିଷ୍ଟ’, ପ୍ରତିଶୋଧ ତାଲିକାରେ ଟ୍ରମ୍ପ୍-ନେତନ୍ୟାହୁ

Painkiller Side Effects: ଡାକ୍ତର ବିନା ପରାମର୍ଶରେ ପେନ୍ କିଲର ଖାଉଥିଲେ ସାବଧାନ, ଚାଲିଯାଇପାରେ ଜୀବନ!​​​​​​​