ନୀଳଗିରି,୨୪/୧ : ଆଉ ଦିନକ ପରେ ପାଳନ ହୋଇଥାନ୍ତା ୭୬ତମ ସାଧାରଣତନ୍ତ୍ର ଦିବସ। ହେଲେ ଏହି ପବିତ୍ର ଦିନକୁ ଦେଖିବା ପାଇଁ ଆଉ ନାହାନ୍ତି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ କେଶବ ଚନ୍ଦ୍ର ପାଣିଗ୍ରାହୀ। ଆଜି ସେ ୯୮ବର୍ଷ ବୟସରେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପଞ୍ଚାୟତ ନରସିଂହପୁର ଗ୍ରାମ ନିଜ ବାସ ଭବନରେ ରାତି ୧୦ଟା ସମୟରେ  ପରଲୋକ ହୋଇଛନ୍ତି। ସେ ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ କାରଣ ରୋଗରେ ପୀଡିତ ଥିଲେ। ବ୍ରିଟିଶ ଶାସନର ବର୍ବରତା ସମୟରେ ତାଙ୍କର ଦେଶ ପାଇଁ ଅବଦାନ ଅତୁଳନୀୟ ଥିଲା । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ଗ୍ରାମରଙ୍କ ପୁଅ ହେଉଛନ୍ତି କେଶବ ପାଣିଗ୍ରାହୀ।

ସହ ଧର୍ମିଣୀ ସବୁ କ୍ଷେତ୍ରରେ ତାଙ୍କୁ ପ୍ରେରଣା ଦିଅନ୍ତି। ହେଲେ ତିନି ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ପରେ କେଶବ ଭାଙ୍ଗି ପଡ଼ିଥିଲେ। ୪ପୁଅ, ପୁତ୍ର ବଧୁ, ୮ଜଣ ନାତି ନାତୁଣୀ ଅଛନ୍ତି। କେଶବଙ୍କ ଛାତ୍ର ଜୀବନରେ ସଂଗ୍ରାମୀ ମନୋଭାବ ଦେଖା ଦେଇଥିଲା । ବାମପନ୍ଥୀ ନେତା ବନମାଳୀ ଦାସଙ୍କ ସହିତ ପ୍ରାଣ ବନ୍ଧୁ ଅଗସ୍ତି, ବଳରାମ ରାଜ, କରୁଣାକର ପାଣିଗ୍ରାହୀ, ଶୈଳେନ୍ ମହାରଣା, ବୈଷ୍ଣବ ପଟ୍ଟନାୟକଙ୍କ ଇଂରେଜ ଓ ରାଜାଙ୍କ ବିରୁଦ୍ଧରେ ମେଳି ବାନ୍ଧିଥିଲେ । 

ତାଙ୍କରି ନେତୃତ୍ୱରୁ ପ୍ରେରଣା ପାଇ ସେ ଦେଶ ମାତୃକା ପାଇଁ ସ୍ୱାଧିନତା ସଂଗ୍ରାମ ରେ ସାମିଲ ହୋଇଥିଲେ।ସେହି ସମୟରେ ତାଙ୍କର ବୟସ ମାତ୍ର ୧୭ ବର୍ଷ ଥିଲା।ମହାତ୍ମାଗାନ୍ଧୀ ଯେତେବେଳେ ଷ୍ଟେସନରେ ପହଂଚିଯାଉଥିଲେ ସେ ତାଙ୍କୁ ଦେଖା କରିବା ପାଇଁ ଦୌଡ଼ି ଯାଉଥିଲେ । ତାଙ୍କଠାରୁ ମଧ୍ୟ ପ୍ରେରଣା ପାଇଥିଲେ । ଏପରିକି ଇଂରେଜଙ୍କ ବିରୁଦ୍ଧରେ ମେଳି ବାନ୍ଧି ଜେଲ ମଧ୍ୟ ଭୋଗିବାକୁ ପଡିଥିଲା । ଜେଲରେ ସଶ୍ରମ କାରାଦଣ୍ଡ ଭୋଗିବାବେଳେ ଇଂରେଜ ମାନଙ୍କର ନିର୍ମମ ମାଡ଼ ଓ ଅକଥନୀୟ ନିର୍ଯାତନା ସହିବାକୁ ପଡିଥିଲା । ୧୯୪୭ ମସିହାରେ ଦେଶ ସ୍ଵାଧୀନ ପାଇଲା ସତ ହେଲେ ନୀଳଗିରି ରାଜ୍ୟ ଗଣତନ୍ତ୍ରରେ ମିଶିନଥିଲା।  

ନୀଳଗିରିର ଯୁବ ଗୋଷ୍ଠୀ ରାଜାଙ୍କ ବିରୁଦ୍ଧରେ ମେଳି ବାନ୍ଧି ବିଦ୍ରୋହ କରିଥିଲେ। ସେଥିରେ ମଧ୍ୟ କେଶବ ପାଣିଗ୍ରାହୀ ସାମିଲ ହୋଇଥିଲେ।ଶେଷରେ ପ୍ରଜାମେଳି ଆନ୍ଦୋଳନ ପରେ ସରକାର ଚାପର ବଶବର୍ତ୍ତି ହୋଇ ନୀଳଗିରିକୁ ଗଣତନ୍ତ୍ରରେ ମିଶାଇବା ପୂର୍ବରୁ  ତତ୍କାଳୀନ ନୀଳଗିରି ରାଜା ନୀଳଗିରି ଗଡ଼ଜାତକୁ କିଛି ସର୍ତ୍ତମୂଳକ ଭାବେ ଗଣତନ୍ତ୍ରରେ ସାମିଲ ହେବାକୁ ବାଧ୍ୟ କରିଥିଲେ।ପରେ ପରେ ଦେଶରେ ଥିବା ସମସ୍ତ ରାଜାଙ୍କ ଅଧୀନରେ ଥିବା ରାଜ୍ୟ ସରକାରଙ୍କ ଠାରେ ମିଶିଯାଇଥିଲା।କେଶବ ପାଣିଗ୍ରାହୀ ଏକତା ହିଁ ସଫଳତାର ଶ୍ରେୟ ଆଜିର ଯୁବପିଢିଙ୍କ ଠାରେ ସେଭଳି କିଛି ଦେଖିବାକୁ ମିଳୁନି ବୋଲି କହି ଆସିବା ସହ ଯୁବ ପିଢିଙ୍କୁ ପ୍ରେରଣା ଯୋଗାଈ ଆସୁଥିଲେ।ସମସ୍ତେ ଯେପରି ପାଠପଢି ଟଙ୍କା ରୋଜଗାର ପାଇଁ ଏକ ମିଶନ ରେ ବାହାରିଛନ୍ତି।ହେଲେ ଭୁଲିଯାଉଛନ୍ତି ଭାରତ ଦେଶ  ଆମର ମାଆ।ଜନ୍ମିତ ମାଆ ଯେପରି ପରିବାର ଅଂଶ ତାକୁ ଭୁଲି ହୁଏନା ସେହିଭଳି ମାଟି ମାଆ କଥା ଭୁଲିଯିବା କିପରି ? ଏହା ଥିଲା କେଶବ ଅଞ୍ଚଳର ଯୁବପିଢି ଙ୍କ ପାଇଁ ପ୍ରେରଣା।ଆଜି ତାଙ୍କର ଅକାଳ ବିୟୋଗ  ପାଇଁ ନୀଳଗିରିର ଯୁବପିଢି ତାଙ୍କୁ ଝୁରୁଛନ୍ତି।