ପ୍ୟାରିସ୍‌,୦୮/୦୬: ଫ୍ରେଞ୍ଚ୍‌ ଓପନର ପୁରୁଷ ବର୍ଗ  ଫାଇନାଲ୍‌ ଫାଇଟ୍। ଆଜି ଏଟିପି ମାନ୍ୟତା ତାଲିକାରେ ଶୀର୍ଷ ମାନ୍ୟତାପ୍ରାପ୍ତ ୨ ଖେଳାଳି ଇଟାଲୀର ଜାନିକ  ସିନର ଓ ସ୍ପେନର କାର୍ଲୋସ ଅଲ୍‌କାରାଜ ସାମ୍ନାସାମ୍ନି  ହେବେ । ଏହି ମ୍ୟାଚ୍‌କୁ ନେଇ ଟେନିସ୍‌ପ୍ରେମୀଙ୍କ ଉତ୍କଣ୍ଠା  ବଢ଼ି ଚାଲିଛି । ପ୍ରଥମ ଥର ଉଭୟ କୌଣସି ଗ୍ରାଣ୍ଡସ୍ଲାମ୍‌  ଫାଇନାଲ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ।  ଅଲ୍‌କାରାଜ ଟାଇଟଲ୍‌ ବଜାୟ ରଖିବା ଲକ୍ଷ୍ୟରେ  ଥିବାବେଳେ ସିନର ପ୍ରଥମ ଥର ଟ୍ରଫି ଉଠାଇବାକୁ  ପ୍ରସ୍ତୁତ । ଫଳରେ ଉଭୟଙ୍କ ମଧ୍ୟରେ କଡ଼ା  ସଂଘର୍ଷ ଦେଖିବାକୁ ମିଳିବ । 

ସେମି ଫାଇନାଲ୍‌ରେ ଟପ୍‌ ସିଡ୍‌ ସିନର  ସିଧାସଳଖ ୬-୪, ୭-୫, ୭-୬ (୭-୩)ରେ  ୨୪ଥର ଗ୍ରାଣ୍ଡସ୍ଲାମ୍‌ ଚାମ୍ପିଅନ୍‌ ସର୍ବିୟାର ନୋକାଭ ଜୋକୋଭିକ୍‌ଙ୍କୁ ହରାଇଥିଲେ । ଅନ୍ୟ ଏକ ସେମିରେ  ଅଲ୍‌କାରାଜ ୪-୬, ୭-୬ (୭-୩), ୬-୦,  ୨-୦ରେ ଆଗୁଆ ଥିବାବେଳେ ଇଟାଲୀର ଲରେଞ୍ଜୋ  ମୁସେଟ୍ଟି ଆହତ ହୋଇ ଓହରି ଯାଇଥିଲେ । 

ସିନର ଓ ଅଲ୍‌କାରାଜ ପୂର୍ବରୁ ୧୧ଥର ପରସ୍ପରକୁ  ଭେଟିଛନ୍ତି । ଅଲ୍‌କାରାଜ ୭-୪ରେ ଆଗୁଆ ରହିଛନ୍ତି ।  ୩ ସପ୍ତାହ ତଳେ ଉଭୟ ଇଟାଲିଆନ୍‌ ଓପନ  ଫାଇନାଲ୍‌ରେ ସାମ୍ନାସାମ୍ନି ହୋଇଥିଲେ ଏବଂ ଅଲ୍‌କାରାଜ  ସିଧାସଳଖ ୭-୬ (୭-୫), ୬-୧ ସେଟ୍‌ରେ  ବିଜୟ ହାସଲ କରିଥିଲେ । ସିନରଙ୍କ ବିପକ୍ଷ ଶେଷ  ୪ଟି ମ୍ୟାଚ୍‌ରେ ମଧ୍ୟ ସ୍ପେନ ତାରକା ଅପରାଜେୟ  ରହିଛନ୍ତି । ଗତ ବର୍ଷ ଫ୍ରେଞ୍ଚ୍‌ ଓପନରେ ଉଭୟ ସେମି  ଫାଇନାଲ୍‌ରେ ମୁହାଁମୁହିଁ ହୋଇଥିଲେ । ଅଲକାରାଜ  ଦୀର୍ଘ ୪ଘଣ୍ଟାର ଲଢ଼େଇରେ ସିନରଙ୍କୁ ପରାଜିତ  କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହେବା  ସହ କ୍ୟାରିୟରରେ ଚତୁର୍ଥ ଗ୍ରାଣ୍ଡସ୍ଲାମ୍‌ ଜିତିଥିଲେ ।  ରବିବାର ମଧ୍ୟ ସେ ବିଜୟ ଦାବିଦାର ରହିଛନ୍ତି । 

ଅନ୍ୟ ପଟରେ ସିନର କ୍ରମାନ୍ୱୟରେ ତୃତୀୟ  ଗ୍ରାଣ୍ଡସ୍ଲାମ୍‌ ଲକ୍ଷ୍ୟରେ ରହିଛନ୍ତି । ସେ ଗତ ବର୍ଷ  ୟୁଏସ୍‌ ଓପନ ଜିତିଥିବାବେଳେ ଚଳିତ ବର୍ଷର ପ୍ରଥମ  ଗ୍ରାଣ୍ଡସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନରେ ମଧ୍ୟ ଟାଇଟଲ୍‌  ବଜାୟ ରଖିଥିଲେ । ୨୦୨୪ ସିଜନ ଆରମ୍ଭରୁ  ଏପର୍ଯ୍ୟନ୍ତ ସିନର ୯୮ଟି ମ୍ୟାଚ୍‌ ଖେଳି ୯୧ଟି  ଜିତିଛନ୍ତି ଏବଂ ୭ଟିରେ ହାରିଛନ୍ତି । ଅଲ୍‌କାରାଜ  ଓ ସିନରଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ  ୨ଟି ଗ୍ରାଣ୍ଡସ୍ଲାମ୍‌ ମ୍ୟାଚ୍‌ ୫ଟି ସେଟ୍‌ରେ ଫଇସଲା  ହୋଇଥିଲା । ଆସନ୍ତାକାଲି ମଧ୍ୟ ଉଭୟଙ୍କ ମଧ୍ୟରେ  ଏକ ବଡ଼ ଲଢ଼େଇ ଦେଖିବାକୁ ମିଳିବ।