ପ୍ୟାରିସ୍,୦୮/୦୬: ଫ୍ରେଞ୍ଚ୍ ଓପନର ପୁରୁଷ ବର୍ଗ ଫାଇନାଲ୍ ଫାଇଟ୍। ଆଜି ଏଟିପି ମାନ୍ୟତା ତାଲିକାରେ ଶୀର୍ଷ ମାନ୍ୟତାପ୍ରାପ୍ତ ୨ ଖେଳାଳି ଇଟାଲୀର ଜାନିକ ସିନର ଓ ସ୍ପେନର କାର୍ଲୋସ ଅଲ୍କାରାଜ ସାମ୍ନାସାମ୍ନି ହେବେ । ଏହି ମ୍ୟାଚ୍କୁ ନେଇ ଟେନିସ୍ପ୍ରେମୀଙ୍କ ଉତ୍କଣ୍ଠା ବଢ଼ି ଚାଲିଛି । ପ୍ରଥମ ଥର ଉଭୟ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଅଲ୍କାରାଜ ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ଥିବାବେଳେ ସିନର ପ୍ରଥମ ଥର ଟ୍ରଫି ଉଠାଇବାକୁ ପ୍ରସ୍ତୁତ । ଫଳରେ ଉଭୟଙ୍କ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିବ ।
ସେମି ଫାଇନାଲ୍ରେ ଟପ୍ ସିଡ୍ ସିନର ସିଧାସଳଖ ୬-୪, ୭-୫, ୭-୬ (୭-୩)ରେ ୨୪ଥର ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ସର୍ବିୟାର ନୋକାଭ ଜୋକୋଭିକ୍ଙ୍କୁ ହରାଇଥିଲେ । ଅନ୍ୟ ଏକ ସେମିରେ ଅଲ୍କାରାଜ ୪-୬, ୭-୬ (୭-୩), ୬-୦, ୨-୦ରେ ଆଗୁଆ ଥିବାବେଳେ ଇଟାଲୀର ଲରେଞ୍ଜୋ ମୁସେଟ୍ଟି ଆହତ ହୋଇ ଓହରି ଯାଇଥିଲେ ।
ସିନର ଓ ଅଲ୍କାରାଜ ପୂର୍ବରୁ ୧୧ଥର ପରସ୍ପରକୁ ଭେଟିଛନ୍ତି । ଅଲ୍କାରାଜ ୭-୪ରେ ଆଗୁଆ ରହିଛନ୍ତି । ୩ ସପ୍ତାହ ତଳେ ଉଭୟ ଇଟାଲିଆନ୍ ଓପନ ଫାଇନାଲ୍ରେ ସାମ୍ନାସାମ୍ନି ହୋଇଥିଲେ ଏବଂ ଅଲ୍କାରାଜ ସିଧାସଳଖ ୭-୬ (୭-୫), ୬-୧ ସେଟ୍ରେ ବିଜୟ ହାସଲ କରିଥିଲେ । ସିନରଙ୍କ ବିପକ୍ଷ ଶେଷ ୪ଟି ମ୍ୟାଚ୍ରେ ମଧ୍ୟ ସ୍ପେନ ତାରକା ଅପରାଜେୟ ରହିଛନ୍ତି । ଗତ ବର୍ଷ ଫ୍ରେଞ୍ଚ୍ ଓପନରେ ଉଭୟ ସେମି ଫାଇନାଲ୍ରେ ମୁହାଁମୁହିଁ ହୋଇଥିଲେ । ଅଲକାରାଜ ଦୀର୍ଘ ୪ଘଣ୍ଟାର ଲଢ଼େଇରେ ସିନରଙ୍କୁ ପରାଜିତ କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହେବା ସହ କ୍ୟାରିୟରରେ ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ । ରବିବାର ମଧ୍ୟ ସେ ବିଜୟ ଦାବିଦାର ରହିଛନ୍ତି ।
ଅନ୍ୟ ପଟରେ ସିନର କ୍ରମାନ୍ୱୟରେ ତୃତୀୟ ଗ୍ରାଣ୍ଡସ୍ଲାମ୍ ଲକ୍ଷ୍ୟରେ ରହିଛନ୍ତି । ସେ ଗତ ବର୍ଷ ୟୁଏସ୍ ଓପନ ଜିତିଥିବାବେଳେ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନରେ ମଧ୍ୟ ଟାଇଟଲ୍ ବଜାୟ ରଖିଥିଲେ । ୨୦୨୪ ସିଜନ ଆରମ୍ଭରୁ ଏପର୍ଯ୍ୟନ୍ତ ସିନର ୯୮ଟି ମ୍ୟାଚ୍ ଖେଳି ୯୧ଟି ଜିତିଛନ୍ତି ଏବଂ ୭ଟିରେ ହାରିଛନ୍ତି । ଅଲ୍କାରାଜ ଓ ସିନରଙ୍କ ମଧ୍ୟରେ ଖେଳାଯାଇଥିବା ଶେଷ ୨ଟି ଗ୍ରାଣ୍ଡସ୍ଲାମ୍ ମ୍ୟାଚ୍ ୫ଟି ସେଟ୍ରେ ଫଇସଲା ହୋଇଥିଲା । ଆସନ୍ତାକାଲି ମଧ୍ୟ ଉଭୟଙ୍କ ମଧ୍ୟରେ ଏକ ବଡ଼ ଲଢ଼େଇ ଦେଖିବାକୁ ମିଳିବ।