ନୂଆଦିଲ୍ଲୀ ୨୭/୦୫: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ଭିଏତନାମ୍‌  ଗସ୍ତର ଏକ ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ ହେଉଛି । ଏଥିରେ ତାଙ୍କ ପତ୍ନୀ  ବ୍ରିଟିଜ ମାକ୍ରନ୍‌ ବିମାନର ଦ୍ୱାର ଖୋଲିବା ମାତ୍ରେ  ଇମାନୁଏଲଙ୍କ ଗାଲରେ ଚାପୁଡ଼ା ମାରୁଥିବା ନଜର  ଆସୁଛନ୍ତି । ମାକ୍ରନ୍‌ ଗତ ରବିବାର ଭିଏତନାମ୍‌ର  ରାଜଧାନୀ ହନୋଇ ପହଞ୍ଚିଥିଲେ । କିନ୍ତୁ ତାଙ୍କ ରାଜନୈତିକ ଗସ୍ତ ଅପେକ୍ଷା ସଦ୍ୟ ଭିଡିଓକୁ ନେଇ ଅଧିକ ଚର୍ଚ୍ଚା ହେଉଛି, ଯେଉଁଥିରେ ସେ ପତ୍ନୀଙ୍କ ହାତରୁ ଚାପୁଡ଼ା ଖାଉଛନ୍ତି ଏବଂ ତା’ପରେ ପତ୍ନୀଙ୍କ  ସହ ବିମାନ ସିଡ଼ିରୁ ତଳକୁ ଓହ୍ଲାଉଛନ୍ତି। 

ଗତ ରବିବାର ମାକ୍ରନ୍‌ଙ୍କ ବିମାନ ହନୋଇରେ  ଓହ୍ଲାଇଥିଲା । ଏହା ପରେ ଘଟଣାଟି ଘଟିଲା, ଯାହାକୁ ନେଇ ବିଶ୍ୱ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।  ଭିଡିଓରେ ବିମାନ ଦ୍ୱାର ଖୋଲିବା ପରେ ମାକ୍ରନ୍‌  ଠିଆ ହୋଇଥିବା ନଜର ଆସିଛନ୍ତି । ଏହା ପରେ  ପତ୍ନୀ ବ୍ରିଟିଜ୍‌ ମାକ୍ରନ୍‌ଙ୍କ ହାତ ବାହାରକୁ ନଜର  ଆସିଲା ଏବଂ ସେ ମାକ୍ରନ୍‌ଙ୍କ ଗାଲରେ ଚାପୁଡ଼ା  ମାରୁଥିବା ନଜର ଆସିଲେ । ମାକ୍ରନ୍‌ କିଛି ସେକେଣ୍ଡ୍‌  ପାଇଁ ଚକିତ ହୋଇଗଲେ । ତା’ପରେ ନିଜକୁ  ସମ୍ଭାଳି ସ୍ୱାଗତ ପାଇଁ ବିମାନବନ୍ଦରକୁ ଆସିଥିବା  ପ୍ରତିନିଧିମଣ୍ଡଳଙ୍କୁ ହାତ ହଲାଇଲେ । ଏହା ପରେ  ବ୍ରିଟିଜ୍‌ ମଧ୍ୟ ବାହାରକୁ ଆସିଲେ ଏବଂ ମାକ୍ରନ୍‌ଙ୍କ  ସହ ସିଡ଼ିରେ ତଳକୁ ଓହ୍ଲାଇଲେ । ଏହି ସମୟରେ  ମାକ୍ରନ୍‌ ପତ୍ନୀଙ୍କ ଆଡ଼କୁ ହାତ ବଢ଼ାଇଲେ । କିନ୍ତୁ  ବ୍ରିଟିଜ୍‌ ତାଙ୍କ ହାତ ଧରିଲେ ନାହିଁ । 

ଭିଡିଓଟି ଭାଇରାଲ ହେବା ପରେ ଫ୍ରାନ୍ସର ରାଷ୍ଟ୍ରପତି ଭବନ ଏଲିସି ପ୍ୟାଲେସ୍‌ର ଅଧିକାରୀ କହିଲେ, ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହସମଜାର ମୁହୂର୍ତ୍ତ ଥିଲା । ଏହା ଉଭୟଙ୍କର ବ୍ୟକ୍ତିଗତ ମୁହୂର୍ତ୍ତ । ରାଷ୍ଟ୍ରପତିଙ୍କର ଏକ  ବିଶ୍ୱସ୍ତ ସୂତ୍ର ଫ୍ରାନ୍ସ ଖବରସଂସ୍ଥାକୁ କହିଛି, କୌଣସି  କଥାକୁ ନେଇ ଉଭୟଙ୍କର ପ୍ରେମଭରା ଲଢ଼େଇ ହେଉଥିବ । ମାକ୍ରନ୍‌ ସପ୍ତାହକ ପାଇଁ ଦକ୍ଷିଣ-ପୂର୍ବ  ଏସିଆ ଗସ୍ତରେ ଅଛନ୍ତି । ଭିଏତନାମ୍‌ ପରେ ସେ  ଇଣ୍ଡୋନେସିଆ ଓ ସିଙ୍ଗାପୁର ଯିବେ ।