ଭୁବନେଶ୍ୱର, ୨୧/୧୧ ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୨ରେ ଲଘୁଚାପ, ୨୪କୁ ଅବପାତ । ତା’ପରେ ଆହୁରି ଘନୀଭୂତ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏତିକି ପୂର୍ବାନୁମାନରେ ଅଟକିଛି ।
ବାତ୍ୟା ହେବ କି ନାହିଁ? ଯଦି ହେବ କୁଆଡ଼େ ମୁହାଁଇବ? କେଉଁଠି ମାଡ଼ ହେବ, କିଛି ସ୍ପଷ୍ଟ ଆକଳନ ନାହିଁ । କିନ୍ତୁ ପାରିପାର୍ଶ୍ବିକ ପରିବେଶ ଓ ପାଣିପାଗର କାରକ ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ବୋଲି ଅଧିକାଂଶ ବିଶେଷଜ୍ଞ କହିଛନ୍ତି । ମାତ୍ର ସମ୍ଭାବ୍ୟ ଗତିପଥକୁ ନେଇ ଦ୍ୱନ୍ଦ୍ୱ ରହିଛି । ଏବେଠାରୁ ସ୍ପଷ୍ଟ ଆକଳନ କରିବା ସହଜ ହେଉନି । କିନ୍ତୁ, ଆଇଏମଡିର ବିସ୍ତାରିତ ପୂର୍ବାନୁମାନରେ କୁହାଯାଇଛି, ୨୭ରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ଅଛି । ବିସ୍ତାରିତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବାତ୍ୟା ମାଡ଼ ହେଉ କି ନ ହେଉ, କେବଳ ବର୍ଷା ହେଲେ ବି ଓଡ଼ିଶାରେ ଚାଷୀକୂଳଙ୍କ ପାଇଁ ବିପତ୍ତି ଡାକି ଆଣିବ । ଯଦି ଶୀତରେ ଏଭଳି ବର୍ଷା ହୁଏ, ତେବେ ସବୁଠାରୁ ଅଧିକ ପ୍ରଭାବିତ ହେବ ଧାନ ଚାଷ । ବର୍ତ୍ତମାନ ଅଧିକାଂଶ ଜିଲ୍ଲାରେ ଅମଳ ସମୟ । ପ୍ରାୟତଃ ଧାନ ପାଚିଲାଣି । ଆଉ କିଛି ଅଞ୍ଚଳରେ ଡିସେମ୍ବର ଦ୍ୱିତୀୟ ସପ୍ତାହବେଳକୁ ଧାନ ଅମଳ ହେବ । ଧାନ ଯେତେ ପାଚିଥିବ,ସେଠାରେ ସମ୍ଭାବ୍ୟ ବର୍ଷା କିମ୍ବା ପବନ ସେତେ କ୍ଷତି କରିପାରେ । କେବଳ ଧାନ ନୁହେଁ, ବିରି, ଆଳୁ, ଚିନାବାଦାମ, କୋବି ଓ ଅନ୍ୟାନ୍ୟ ଫସଲକୁ ଉଜାଡ଼ି ଦେଇପାରେ ଏହି ଅଦିନିଆ ବର୍ଷା, ପବନ ।
କୃଷି ପାଣିପାଗ ବିଶେଷଜ୍ଞ ଦେବାଶିଷ ଜେନା କହିଛନ୍ତି, ବର୍ତ୍ତମାନ ଓଡ଼ିଶାରେ ଧାନ ଅମଳ ସମୟ । ଯଦି ବର୍ଷା ହୁଏ, ତେବେ ଅମଳ ହୋଇନଥିବା ପାଚିଲା ଧାନ ନଷ୍ଟ ହେବା ଆଶଙ୍କା ଅଛି । ପନିପରିବା ବି ପ୍ରଭାବିତ ହେବ । ତେବେ ୨୨ ତାରିଖ ପରେ ବର୍ଷାକୁ ନେଇ ଚିତ୍ର ସ୍ପଷ୍ଟ ହେବ । ବିଶେଷଜ୍ଞଙ୍କ କହିବାନୁସାରେ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ରହିଛି। ମାତ୍ର ଏହାର ଗତିପଥ ଏବେ କହି ହେବନି । ଯଦି ତାମିଲନାଡ଼ୁକୁ ଯିବ, ଓଡ଼ିଶାରେ ବିଶେଷ ପ୍ରଭାବ ରହିବନି । ମାତ୍ର ଆନ୍ଧ୍ରରେ ମାଡ଼ ହେଲେ, ଓଡ଼ିଶାରେ ପ୍ରଭାବ ପଡ଼ିବ । ଦକ୍ଷିଣ ଓଡ଼ିଶା ବେଶି ପ୍ରଭାବିତ ହେବ । ବଡ଼ ବର୍ଷା ହେଲେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଧାନ ସହ ଓ ଅନ୍ୟାନ୍ୟ ପନିପରିବା ପ୍ରଭାବିତ ହେବ । ତେବେ କମ୍ ବର୍ଷା ହେଲେ ବିଶେଷ କ୍ଷତି ନ ହୋଇପାରେ । ଯେଉଁମାନେ ଧାନ କାଟିନାହାନ୍ତି, ସେମାନେ ସ୍ଥିତି ଦେଖି ସତର୍କତା ପଦକ୍ଷେପ ନେବାକୁ ହେବ । ଏଯାଏ କୃଷି ବିଭାଗ ତରଫରୁ କୌଣସି ପରାମର୍ଶ ଜାରି କରାଯାଇନି । ଗଞ୍ଜାମରେ ବିଳମ୍ବରେ ଧାନ ଚାଷ ଆରମ୍ଭ ହୋଇଥିବାବେଳେ ଏବେ ଅମଳ ସ୍ଥିତି ଆସିନାହିଁ । ଏଥର ଫସଲ ଭଲ ହୋଇଥିବାବେଳେ ବର୍ଷା ଭୟ ଚାଷୀଙ୍କୁ ଘାରିଛି। ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଖୋର୍ଦ୍ଧାରେ ଧାନ ଫସଲ ଅମଳ ସ୍ଥିତିରେ ଥିବାବେଳେ ବିଶେଷ ପ୍ରଭାବିତ ହୋଇପାରେ ।
ବର୍ତ୍ତମାନ ଆଇଏମଡିର ଆକଳନ ଅନୁସାରେ ୨୬ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଯାଉନି । ୨୭ ତାରିଖ କିମ୍ବା ତା’ପରେ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୨୭ ନଭେମ୍ବରରୁ ଡିସେମ୍ବର ୩ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ, ଆନ୍ଧ୍ର ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ବିସ୍ତାରିତ ବର୍ଷା ସମ୍ଭାବନା ଅଛି । ଏଥିରୁ ଅନୁମାନ କରାଯାଉଛି, ଓଡ଼ିଶାରେ ସମ୍ଭାବ୍ୟ ଅବପାତ ବା ବାତ୍ୟାର ପ୍ରଭାବ ନଭେମ୍ବର ଶେଷ ସପ୍ତାହରେ ପଡ଼ିପାରେ । ବର୍ତ୍ତମାନ ରାଜ୍ୟରେ ନା ଶୀତ ପ୍ରକୋପ ରହିବନି ।
ରାଜ୍ୟରେ ରାତି ତାପମାତ୍ରା ବଢ଼ିଥିବା ବେଳେ ଏବେ ସପ୍ତାହେ ପର୍ଯ୍ୟନ୍ତ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ରାଜ୍ୟରେ ଏବେ ରାତି ତାପମାତ୍ରା କ୍ରମଶଃ ବଢ଼ୁଛି । କୋରାପୁଟ, ଅନୁଗୁଳ, ଫୁଲବାଣୀ, ଦାରିଙ୍ଗିବାଡ଼ିକୁ ଛାଡ଼ିଦେଲେ ଆଉ କୌଣସି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀରୁ କମ୍ ନଥିଲା । ଭୁବନେଶ୍ୱର ତାପମାତ୍ରା ୨୦ ଡିଗ୍ରୀରେ ପହଞ୍ଚିଛି ।