ଭୁବନେଶ୍ୱର ୧୬/୦୧: ଶୁକ୍ରବାର ମାଟିରେ ମିଶିବ ଖଣ୍ଡଗିରି ଶ୍ରୀ ବୈକୁଣ୍ଠଧାମ। ପ୍ରାୟ ୧୪୦ ଡିସିମିଲ ସରକାରୀ ଜାଗାକୁ କବ୍ଜାକୁ ମୁକ୍ତ କରିବ ବିଡିଏ। ଏନେଇ ଆଜି ମାଇକ ଯୋଗେ ବିଧିବଦ୍ଧ ଭାବେ ବିଡ଼ିଏ ପକ୍ଷରୁ ଘୋଷଣା କରାଯାଇଛି। ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠ ଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି। ତୁରନ୍ତ ସେ ସ୍ଥାନ ଛାଡି ଯିବାକୁ ପରାମର୍ଶ ଦିଆଯାଇଛି। ନଚେତ୍ ଉଚ୍ଛେଦ ସମୟରେ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ସରକାର ଏବଂ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଛି। ଦିନ ୧୨ଟା ସୁଦ୍ଧା ଉଚ୍ଛେଦ ଶେଷ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ଘୋଷଣା କରାଯାଇଛି।
ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍ ଶ୍ରୀବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ୍ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଦର୍ଶାଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଲା । ତଥାପି ୩ ଦିନ ଧରି ଚୁପ ବସିରହିଲା ବିଡିଏ।
ନଭେମ୍ବର ୨୧ ଅପରାହ୍ଣରେ ବିଡିଏ କାର୍ଯ୍ୟାଳୟରେ ଆୟୋଜିତ ଉଚ୍ଚସ୍ତରୀୟ କମିଟି ବୈଠକରେ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ଜୋନାଲ କମିଶନର, ପୁଲିସ ଅଧିକାରୀ ଆଶ୍ରମ ଭାଙ୍ଗିବା ନେଇ ଢ଼େର୍ ସମୟ ଧରି ବିଚାରବିମର୍ଶ କଲେ । ନିଷ୍ପତ୍ତି ନିଆଗଲା, ଘାଟିକିଆ ମୌଜାର ଖାତା ନଂ ୨୩୩୯ (ଜିଏଡି)ର ପ୍ଲଟ୍ ନଂ ୯୦୩୭ ଓ ୯୦୩୮ ‘ପତିତ’ କିସମର ଜମିରେ ଗଢ଼ିଉଠିଥିବା ସାମ୍ରାଜ୍ୟକୁ ଭଙ୍ଗାଯିବ । ତା' ପୂର୍ବରୁ ଆଶ୍ରମକୁ ନୋଟିସ୍ ଜାରି କରାଗଲା । ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ମାଇକ୍ ମାଧ୍ୟମରେ ଘୋଷଣା ହେଲା ।
ଉଚ୍ଛେଦର ଠିକ୍ ଦିନକ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ । ଏହା ଏକ ଯୋଗାସନ ଶିକ୍ଷାକେନ୍ଦ୍ର ବୋଲି ସତ୍ୟପାଠ ଦାଖଲ କରିଥିଲେ । ୨୦୨୨ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଚିଠିକୁ ଦାଖଲ କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିଶ କରିଥିବା ଦର୍ଶାଯାଇଥିଲା । ହାଇକୋର୍ଟ ମଧ୍ୟ ବିଡିଏର ଉଚ୍ଛେଦ ଉପରେ ରହିତାଦେଶ ଜାରି କରିଥିଲେ । ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ଜବାବ୍ ମାଗିବା ପରେ ଆଶ୍ରମର ଜାଲିଆତି ଜଣାପଡି଼ଥିଲା । ଗତ ୧୦ ତାରିଖରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବି.ପି ରାଉତରାୟ ଉଚ୍ଛେଦ ରହିତାଦେଶକୁ ହଟାଇଥିଲେ ।