ବର୍ଲିନ,୨୪/୦୨: ଜର୍ମାନୀରେ ରବିବାର ଅନୁଷ୍ଠିତ ନିର୍ବାଚନରେ ଚାନ୍ସେଲର ଓଲାଫ୍ ସ୍କଲ୍ଜଙ୍କ ଦଳ ପରାଜିତ ହୋଇଛି । ନିର୍ବାଚନ ପରେ ଆସିଥିବା ଏକ୍ଜିଟ୍ ପୋଲ୍ ଏବଂ ପରେ ଭୋଟ ଗଣତି ବେଳେ ବିରୋଧୀ ଦଳ ନେତା ଫ୍ରେଡ୍ରିକ୍ ମର୍ଜଙ୍କ ଦଳ ବିଜୟ ଅଭିମୁଖେ ଆଗକୁ ବଢ଼ିଛି । ତେବେ ଚୂଡ଼ାନ୍ତ ଫଳ ସାମ୍ନାକୁ ଆସିବା ପୂର୍ବରୁ ସ୍କଲ୍ଜ ନିଜ ପରାଜୟ ସ୍ୱୀକାର କରିବା ସହ ମର୍ଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜେଡ୍ଡିଏଫ୍ ପବ୍ଲିକ ବ୍ରଡକାଷ୍ଟର ଦ୍ୱାରା ପ୍ରକାଶିତ ଏକ୍ଜିଟ୍ ପୋଲ୍ରେ ବିରୋଧୀ ଦଳ ସିଡିୟୁ/ସିଏସ୍ୟୁ ମେଣ୍ଟ ୨୮.୫% ଭୋଟ ହାସଲ କରିଛି ।
ସେହିଭଳି ୨୦% ଭୋଟ ପାଇ ଦକ୍ଷିଣପନ୍ଥୀ ଅଲ୍ଟରନେଟିଭ ଫର୍ ଜର୍ମାନୀ (ଏଏଫ୍ଡି) ଦ୍ୱିତୀୟ ସ୍ଥାନରେ ରହିଛି । ଓଲାଫ୍ ସ୍କଲ୍ଜଙ୍କ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି (ଏସ୍ପିଡି) ୧୬.୫% ଭୋଟ ପାଇ ପରାଜିତ ହୋଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦଳକୁ ସର୍ବନିମ୍ନ ଭୋଟ ପ୍ରାପ୍ତ ହୋଇଥିବା ଜଣାପଡ଼ିଛି ।