ସୁନ୍ଦରଗଡ଼, ୯।୨: ଦେଢ଼ଶହ ବର୍ଷର ଛୋଟିଆ ମଫସଲ ଗାଁ । ପର୍ଯ୍ୟାପ୍ତ ବଣୁଆ ଫୁଲ ଫୁଟୁଥିବାରୁ ନାଁ ପାଇଥିଲା ‘ଫୁଲଧୁଡ଼ି’ । ବର୍ଷ ବର୍ଷ ଧରି ଏଠାକାର ଲୋକେ କୋଦୋ, ଗୁଲଜି ଫସଲ କରୁଥିଲେ । ଉତ୍ପାଦିତ ଫସଲ ନିଅଣ୍ଟ ପଡୁଥିଲା । ଅନେକ ସମୟରେ ଖାଦ୍ୟାଭାବ ସମସ୍ୟା ଦେଖାଦେଉଥିଲା । ମହୁଲ ଫୁଲରୁ ପ୍ରସ୍ତୁତ ପିଠା (କାଙ୍କୋ)ରେ ପୂରୁଥିଲା ପେଟ । ହେଲେ ଗତ ଦଶନ୍ଧି ମଧ୍ୟରେ ବଦଳିଯାଇଛି ଚିତ୍ର । ଭୋକର ନଥିରେ ସମୃଦ୍ଧିର ଇତିହାସ ଲେଖିଛନ୍ତି ‘ଫୁଲଧୁଡ଼ି’ର ଅଭାବୀ ଘରର ମହିଳା । ଜିଆ ଓ ଛତୁ ଚାଷ କରି ଆଣିଛନ୍ତି ବୈପ୍ଳବିକ ପରିବର୍ତ୍ତନ । ଗାଁର ଅଧିକାଂଶ ମହିଳା ଏବେ ସ୍ୱାବଲମ୍ବୀ । ବର୍ଷକୁ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଚିର ଅବହେଳିତ ଏହି ଗାଁକୁ ଏକଦା ଆଡ଼ ଆଖିରେ ଚାହୁଁ ନ ଥିବା ପ୍ରାଶାସନିକ ଅଧିକାରୀ, ଜନପ୍ରତିନିଧିମାନେ ଏବେ ଲମ୍ବା ଧାଡ଼ି ଲଗାଉଛନ୍ତି । ଛତୁ ଚାଷୀଙ୍କ ଗାଁ ‘ଫୁଲଧୁଡ଼ି’ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ଗର୍ବରେ କହୁଛନ୍ତି ।

ଏହା ବି ପଢ଼ନ୍ତୁ... ମାଂସର ଚାହିଦା ମେଣ୍ଟାଇବ ସୁଆଦିଆ ‘ବନରାଜ’ କୁକୁଡ଼ା, ପଡ଼ୋଶୀ ରାଜ୍ୟରୁ କମିବ ଆମଦାନୀର ବୋଝ

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଉଜ୍ଜ୍ୱଳପୁର ପଞ୍ଚାୟତର ଫୁଲଧୁଡ଼ି ଗାଁ । ଫୁଲଧୁଡ଼ି ବସ୍ତି, କାଲୋପଡ଼ା ଓ ନୂଆପଡ଼ାକୁ ନେଇ ଗଠିତ ଏହି ଗାଁରେ ରୁହନ୍ତି ୯୫ ପରିବାର । ସାଧାରଣ, ଦଳିତ, ପଛୁଆ , ଆଦିବାସୀ ବର୍ଗର ଲୋକେ ମିଳିମିଶି ରହୁଛନ୍ତି । ୧୮୬୮ରେ ଛୋଟିଆ ଜନବସତିରୁ ‘ଫୁଲଧୁଡ଼ି’ ଗାଁର କଳେବର ବଢ଼ିଥିଲା । ନବେ ଦଶକରେ ଗ୍ରାମବାସୀ ସଂଗଠିତ ହୋଇ ବନ ବିଭାଗ ସହଯୋଗରେ ଗଠନ କରିଥିଲେ ବନ ସୁରକ୍ଷା ସମିତି । ୨୦୧୭ ଡିସେମ୍ୱର ୧ରେ ଉଜ୍ଜ୍ୱଳପୁର ବନାଞ୍ଚଳରେ ଆରମ୍ଭ ହୋଇଥିବା ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଆନୁକୂଲ୍ୟରେ ବନ ସୁରକ୍ଷା ସମିତି ପୁନର୍ଗଠିତ ହୋଇଥିଲା । ସୁନ୍ଦରଗଡ଼ ବନଖଣ୍ଡ, ଉଜ୍ଜ୍ୱଳପୁର କ୍ଷେତ୍ର ପରିଚାଳନା ଏକକ ଓ ସହଯୋଗୀ ଅନୁଷ୍ଠାନ ‘ସେବକ’ର କର୍ମକର୍ତ୍ତାଙ୍କ ଦ୍ୱାରା ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା । ଏହାର ନେତୃତ୍ୱ ନେଇଥିଲେ ତତ୍କାଳୀନ ବନଖଣ୍ଡ ଅଧିକାରୀ ଡ.ଅରୁଣ କୁମାର ମିଶ୍ର ।

୨୦୧୮ରେ ଗ୍ରାମର କେତକୀ କାଲୋ ପ୍ରଥମ କରି ଗାଁରେ ଆରମ୍ଭ କରିଥିଲେ ଛତୁ ଛାଷ । କେତକୀ ସଫଳ ହେବା ପରେ ଏହାକୁ ଅନୁସରଣ କରିଥିଲେ ଗ୍ରାମର ଅନ୍ୟ ୧୦ ଆଗ୍ରହୀ ମହିଳା । ଧୀରେ ଧୀରେ ଛତୁ ଚାଷ ଏକ ଚିରସ୍ଥାୟୀ ଜୀବିକାର ସ୍ଥାନ ନେଇଛି । ମାତ୍ର କେଇଟା ବର୍ଷରେ ଅନେକ ମହିଳା ଛତୁଚାଷରୁ ଲକ୍ଷପତି ହୋଇଛନ୍ତି । ଉଭୟ ପାଳ ଛତୁ ଓ ଧିଙ୍ଗିରି ଛତୁ ଚାଷ କରୁଛନ୍ତି । ୨୦୨୨ରୁ ଉତ୍ସାହୀ ମହିଳାଙ୍କ ସଫଳ ଯାତ୍ରାରେ ଯୋଡ଼ିହୋଇଛି ଜିଆ ଖତ । ବନ ସୁରକ୍ଷା ସମିତିର ୪୪ ମହିଳାଙ୍କୁ ଗଠିତ ଟିମ୍ କ୍ୱିଣ୍ଟାଲ କ୍ୱିଣ୍ଟାଲ୍ ଜିଆ ଖତ ପ୍ରସ୍ତୁତ କରି ଭଲ ଲାଭ କମାଉଛନ୍ତି । ଫୁଲଧୂଡ଼ିରୁ ଉତ୍ପାଦିତ ଛତୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଉଛି । ଭୋଜିଭାତ, ହୋଟେଲରେ ରୋଷେଇ ହେଉଛି । ବ୍ୟବସାୟୀମାନେ ଆଗୁଆ ବରାଦ ଦେଇ ଛତୁ କିଣି ନେଉଛନ୍ତି । ଜିଆ ଖତର ମଧ୍ୟ ଆଦର ବଢୁଛି । ଗ୍ରାମର ପ୍ରାୟ ସବୁ ପରିବାରର ମହିଳା ଏବେ କର୍ମ ନିୟୋଜନ ପାଇଛନ୍ତି । ଛତୁ ଓ ଜିଆ ଚାଷରେ ‘ଫୁଲଧୁଡ଼ି’ ଖ୍ୟାତି ଅର୍ଜନ କରିଛି । ଏଠାକାର ପରିଶ୍ରମୀ ମହିଳାମାନେ ଅନ୍ୟ ପାଇଁ ପ୍ରେରଣା ସାଜିଛନ୍ତି ।