ନୂଆଦିଲ୍ଲୀ, ୧୩/୦୧ : ଡିଜିଟାଲ୍ ଇଣ୍ଡିଆରେ ଆହୁରି ସ୍ମାର୍ଟ ହେବ ସଂସଦ କାର୍ଯ୍ୟ। ଗୃହ କାର୍ଯ୍ୟକୁ ଆହୁରି ତ୍ଵରାନ୍ଵିତ କରିବ ପ୍ରଯୁକ୍ତିବିଦ୍ୟା। ଆସନ୍ତା ବର୍ଷରୁ ୨୨ଟି ଭାଷାରେ ରିଅଲ୍ ଟାଇମ୍ ଅନୁବାଦ କରିବ ଏଆଇ। ସାର୍ବଜନୀନ ହେବ ଉଭୟ ଗୃହର ଅଫିସିଆଲ୍ କାଗଜପତ୍ର। ସାଂସଦଙ୍କୁ ହ୍ୱାଟ୍ସଆପରେ ମିଳିବ ପ୍ରଶ୍ନ-ଉତ୍ତର। ସୋମବାର ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି। 

ଓମ୍ ବିର୍ଲା କହିଛନ୍ତି ଯେ, ସାଂସଦମାନଙ୍କୁ ଅଧିବେଶନର ତିନି ଦିନ ପୂର୍ବରୁ ଏଆଇ ମାଧ୍ୟମରେ ପ୍ରଶ୍ନ ଦିଆଯିବ ଏବଂ ସେମାନଙ୍କର ଉତ୍ତର ଗୋଟିଏ ଦିନ ପୂର୍ବରୁ ହ୍ୱାଟସଆପ୍ ମାଧ୍ୟମରେ ପ୍ରଦାନ କରାଯିବ। ଏହା ସାଂସଦମାନଙ୍କୁ ପରିପୂରକ ପ୍ରଶ୍ନ ପାଇଁ ପ୍ରସ୍ତୁତ ହେବା ପାଇଁ ସମୟ ଦେବ। ଅଧିବେଶନର ଗୋଟିଏ ଘଣ୍ଟା ମଧ୍ୟରେ ଲୋକସଭା କାର୍ଯ୍ୟପନ୍ଥା ୱେବସାଇଟରେ ଉପଲବ୍ଧ କରାଯିବ। ଶାସକ ଦଳ ଶେଷ ମୁହୂର୍ତ୍ତରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରୁଥିବା ବିରୋଧୀଙ୍କ ଅଭିଯୋଗରେ ବିର୍ଲା କହିଛନ୍ତି ଯେ, ସେ ସରକାରଙ୍କୁ ଏହି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବାକୁ କହିଛନ୍ତି। ବିଲ୍ ସମୟାନୁସାରେ ପ୍ରଦାନ କରିବା ପାଇଁ ଅଧିକ ପ୍ରୟାସ କରାଯିବ ଯାହା ଦ୍ଵାରା ସାଂସଦମାନେ ପଢିବା ସହ ବିତର୍କ ପାଇଁ ପ୍ରସ୍ତୁତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ।

ବାଚସ୍ପତି କହିଛନ୍ତି ଯେ, “୨୨ଟି ଭାଷାରେ ରିଅଲ୍ ଟାଇମ୍ ଅନୁବାଦ ପ୍ରଥମ ଥର ପାଇଁ କରାଯାଉଛି। ଆମେ ଭାରତର ବିବିଧତାରେ ଭାଷାଗତ ବିବିଧତା ଯୋଡିଛୁ। ଏଭଳି କରିବାରେ ବିଶ୍ୱର ଏକମାତ୍ର ସଂସଦ ହେଉଛି ଭାରତୀୟ ସଂସଦ।”

ସୂଚନା ଥାଉକି, ଲୋକସଭା ସଚିବାଳୟରେ ବର୍ତ୍ତମାନ ଅନୁବାଦ ସେବାରେ ନିୟୋଜିତ ସମସ୍ତ ବ୍ୟକ୍ତି ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟ କରୁଛନ୍ତି। ସଚିବାଳୟ ଉଭୟ ଗୃହ ଏବଂ ବିଭିନ୍ନ କମିଟି ବୈଠକରେ ଅନୁବାଦ ପାଇଁ ଯୁବ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବା ବିଷୟରେ ବିଚାର କରୁଛି। 

ଏହି ଖବରଟିକୁ ପଢନ୍ତୁ- ବଦଳିବ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌; ୧୪ରେ ନୂଆ କାର୍ଯ୍ୟାଳୟକୁ ଯିବ ପିଏମ୍ଓ, ସାଉଥ୍ ବ୍ଲକରୁ ସେବାତୀର୍ଥ ସ୍ଥାନାନ୍ତର