ଭୁବନେଶ୍ୱର, ୨୧/୦୫ : ଭାରତୀୟ ସେନା ‘ଅପରେସନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ କଡ଼ା ଜବାବ୍‌ ଦେଇଛି । ଯାହା ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଆତଙ୍କବାଦୀ ଶିବିର ଧୂଳିସାତ କରିବାଠାରୁ ଆରମ୍ଭ କରି ପାକିସ୍ତାନର ପ୍ରମୁଖ ସାମରିକ ବିମାନଘାଟିକୁ ଧ୍ୱଂସ କରିବା ଏବଂ ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ବାତିଲ କରିବାକୁ ଦେଶସାରା ମିଳୁଛି ପ୍ରଶଂସା । ଅପରେସନ୍‌ ସିନ୍ଦୂରର ସଫଳତାକୁ ଭାରତୀୟମାନେ ସେଲିବ୍ରେସନ କରୁଛନ୍ତି । ଏଥିରେ ପଛରେ ପଡ଼ିନାହାନ୍ତି ଭୁବନେଶ୍ୱରବାସୀ । କିଏ ଅପରେସନ୍‌ ସିନ୍ଦୂରର ଟି-ସାର୍ଟ ପିନ୍ଧୁଛନ୍ତି ତ ଆଉ କିଏ ନିଜ ଗାଡିକୁ ଅପରେସନ୍‌ ସିନ୍ଦୂରରେ ଡିଜାଇନ୍‌ କରିଛନ୍ତି । ରେଳ ଟିକଟ୍‌ରେ ବି ଅପରେସନ୍‌ ସିନ୍ଦୂର ଡିଜାଇନ୍‌ ହୋଇଛି ଏବଂ ପେଟ୍ରୋଲ ପମ୍ପରେ ବି ଲାଗିଛି ବଡ଼ ବଡ଼ ହୋର୍ଡିଂ । ବିଭିନ୍ନ ସ୍ଥାନରେ ଚାଲିଛି ପଦଯାତ୍ରା । କିଏ ଅପରେସନ୍‌ ସିନ୍ଦୂରରେ ସାମିଲ ହୋଇଥିବା ଦୁଇ ମହିଳା ଅଧିକାରୀ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ନାମରେ ନିଜ ଝିଅଙ୍କ ନାମକରଣ ମଧ୍ୟ କରିଛନ୍ତି ।

କାର୍‌ରେ ସୋଫିଆ, ବ୍ୟୋମିକା

ଅପରେସନ ସିନ୍ଦୂରକୁ ନେଇ କିଛି ଯୁବଗୋଷ୍ଠୀ ନିଜ ଗାଡିକୁ ବି ବ୍ରାଣ୍ଡିଂ କରୁଛନ୍ତି । ଏଥିପାଇଁ ଖର୍ଚ୍ଚ କରୁଛନ୍ତି ହଜାର ହଜାର ଟଙ୍କା । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଚିତ୍ରସେନ୍‌ ପ୍ରଧାନ ନିଜ ଥାର୍‌ ଗାଡ଼ିରେ ଅପରେସନ୍‌ ସିନ୍ଦୂର ଡିଜାଇନ୍‌ କରିଛନ୍ତି । ଦୁଇପଟ ଗାଡିର ଡୋର୍‌ରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ଫଟୋ ଲଗାଇଛନ୍ତି । ତା’ସହିତ ଯୁଦ୍ଧ ସମୟର ଅଗ୍ନି ବର୍ଷା, ଫାଇଟ୍‌ର, ବ୍ରହ୍ମୋସ୍‌ର ଡିଜାଇନ୍‌ ମଧ୍ୟ କରାଯାଇଛି । ଏଥିପାଇଁ ଚିତ୍ରସେନ ଖର୍ଚ୍ଚ କରିଛନ୍ତି ୧୫ହଜାରରୁ ଅଧିକ ଟଙ୍କା ।

ପେଟ୍ରୋଲ ପମ୍ପରେ ହୋର୍ଡିଂ
‘ଅପରେସନ୍‌ ସିନ୍ଦୂର’ର ସଫଳତା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ପମ୍ପଗୁଡ଼ିକରେ ଅପରେସନ ସିନ୍ଦୂରକୁ ନେଇ ବଡ଼ ବଡ଼ ହୋର୍ଡିଂ ଲାଗିଛି । ସମସ୍ତ ପେଟ୍ରୋଲ ପମ୍ପରେ ଭାରତୀୟ ସେନାର ପରାକ୍ରମକୁ ନେଇ ଅପରେସନ ସିନ୍ଦୂରର ବାର୍ତ୍ତା ବି ଦିଆଯାଇଛି । ଖାଲି ସେତିକି ନୁହେଁ, ବିଭିନ୍ନ ସରକାରୀ ସଂସ୍ଥାରେ ବି ବଡ଼ ବଡ଼ ହୋର୍ଡିଂ ଲଗାଯାଇଛି । 

ଟ୍ରେନ୍‌ ଟିକଟ୍‌ରୁ ଟି-ସାର୍ଟ କହୁଛି ସଫଳତା

ଟ୍ରେନ୍‌ ଟିକଟକୁ ଅପରେସନ୍‌ ସିନ୍ଦୂର ଡିଜାଇନ୍‌ କରାଯାଇଛି । ଯେଉଁମାନେ ଅନ୍‌ଲାଇନ୍‌ରେ ଟିକଟ୍‌ ବୁକିଂ କରିବେ ସେମାନେ ଏହି ଡିଜାଇନ୍‌ର ଟିକଟ୍‌ ଦେଖିପାରିବେ । ସେଥିରେ ଲେଖାଯାଇଛି ଅପରେସନ୍‌ ସିନ୍ଦୂର ଆତଙ୍କବାଦ ବିରୋଧରେ ଲଢ଼େଇ କରି ନୂଆ ଗାର ଟାଣି ଦେଇଛି । ଏଭଳି ଲେଖା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଲ୍ୟୁଟ ମାରୁଥିବା ଏକ ଫଟୋ ରହୁଛି । ଯାହାକି ଭାରତୀୟ ସେନାଙ୍କ ଶୌର୍ଯ୍ୟ, ସଫଳତା ଓ ସାହସକୁ ଦର୍ଶାଉଛି । ସେହିପରି ଅନେକ ଅପରେସନ୍‌ ସିନ୍ଦୂରର ସଫଳତା ନେଇ ନିଜ ହାତ, ପିଠି ଏବଂ ଛାତିରେ ଟାଟୁ କରୁଛନ୍ତି । ଖାଲି ସେତିକି ନୁହେଁ ଟି-ସାର୍ଟଗୁଡ଼ିକରେ ବି ଅପରେସନ ସିନ୍ଦୂର ପ୍ରିଣ୍ଟ ହୋଇଛି । ଯାହା ଅନ୍‌ଲାଇନ୍‌ ଓ ଅଫଲାଇନ୍‌ରେ ବିକ୍ରି ହେଉଛି । କେହି କେହି ବରାଦ୍‌ ଦେଇ ଏହାକୁ ନିଜ ଟି-ସାର୍ଟରେ ଡିଜାଇନ୍‌ କରୁଛନ୍ତି । ଯାହାର ଦାମ୍‌ ୨୦୦ଟଙ୍କାରୁ ଆରମ୍ଭ କରି ୪୦୦ ଏବଂ ୫୦୦ଟଙ୍କା ଯାଏ ରହିଛି ।