-ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ (୨୦୧୪) ରୁ ମାତ୍ର ୧୧ (୨୦୨୫) କୁ ହ୍ରାସ ପାଇଛି
-ସର୍ବାଧିକ ପ୍ରଭାବିତ ଜିଲ୍ଲା ଗୁଡ଼ିକ ୩୬ ରୁ ମାତ୍ର ୩ କୁ ହ୍ରାସ ପାଇଛି
-ଲାଲ କରିଡରର ଧ୍ୱଂସ ପାଖେଇ ଆସିବାର ପ୍ରମାଣ ଦେଉଛି
ଭୁବନେଶ୍ବର ୧୫/୧୨ : ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଭାରତ ଗଠନ ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବାମପନ୍ଥୀ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ପ୍ରତିରକ୍ଷା ରଣନୀତି ଆପଣାଇଛନ୍ତି। ଯୋଜନାବଦ୍ଧ ହସ୍ତକ୍ଷେପ ଏବଂ ସୁରକ୍ଷାବାହିନୀର ସମନ୍ୱିତ କାର୍ୟ୍ୟାନୁଷ୍ଠାନ କାରଣରୁ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୧୪ରେ ୧୨୬ରୁ ୨୦୨୫ରେ ମାତ୍ର ୧୧କୁ ଖସି ଆସିଛି। ସେହିପରି ସବୁଠୁ ପ୍ରଭାବିତ ଜିଲ୍ଲାଗୁଡ଼ିକର ସଂଖ୍ୟା ୩୬ରୁ ମାତ୍ର ୩କୁ ହ୍ରାସ ପାଇଛି। ପୂର୍ବରୁ ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କିଛି ଭାଗକୁ ଲାଲ୍ କରିଡର କୁହାଯାଉଥିଲା। ବର୍ତ୍ତମାନ ଏହାର ପ୍ରଭାବ ଅତ୍ୟନ୍ତ ସୀମିତ ହୋଇଯାଇଛି।
ମାଓ ହିଂସା ଘଟଣା ୨୦୦୪-୧୪ ମଧ୍ୟରେ ୧୬,୪୬୩ ଥିବା ବେଳେ ୨୦୧୪–୨୦୨୪ ଅବଧିରେ ୫୩ଧ ହ୍ରାସ ପାଇ ୭,୭୪୪ରେ ପହଞ୍ଚିଛି । ଏହି ସମୟ ମଧ୍ୟରେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ସଂଖ୍ୟା ୧୮୫୧ରୁ ୭୩ଧ ହ୍ରାସ ପାଇ ୫୦୯ରେ ପହଞ୍ଚିଛି । ସେହିପରି ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୭୦ଧ ହ୍ରାସ ପାଇ ୪,୭୬୬ରୁ ୧୪୯୫ରେ ପହଞ୍ଚିଛି।
କେବଳ ୨୦୨୫ରେ ୩୧୭ ନକ୍ସଲ ନିହତ ହୋଇଥିବା ବେଳେ ୮୬୨ ଜଣ ଗିରଫ ଏବଂ ୧୯୭୩ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୪ରେ ୨୯୦ ଜଣ ନିହତ, ୧୦୯୦ ଜଣ ଗିରଫ ଏବଂ ୮୮୧ ଜଣ ଆତ୍ମସମର୍ପଣ କରିଥିଲେ। ମୋଟ୍ ୨୮ ଜଣ ଶୀର୍ଷ ମାଓନେତା ନିହତ ହୋଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ୬ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ନିହତ ହୋଇନ୍ତି। ୨୩ ମେ ୨୦୨୫ରେ ୨୭ ଜଣ ହାର୍ଡକୋର ନକ୍ସଲ ଅପରେସନ ବ୍ଲାକ ଫରେଷ୍ଟରେ ନିହତ ହୋଇଥିଲେ। ଗତ ଅକ୍ଟୋବର ମାସରେ ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ୨୭୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଥିଲେ।
କେନ୍ଦ୍ର ସରକାର ନକ୍ସଲ ମୁକାବିଲା ପାଇଁ ଗତ ୧୦ ବର୍ଷ ମଧ୍ୟରେ ୫୮୬ଟି ସୁରକ୍ଷିତ ପୁଲିସ ଷ୍ଟେସନ ନିର୍ମାଣ କରିଛନ୍ତି। ୨୦୧୩ରେ ୭୬ଟି ଜିଲ୍ଲାର ୩୩୦ ଥାନାଞ୍ଚଳ ନକ୍ସଲ ପ୍ରଭାବିତ ଥିଲା। ଏହି ସଂଖ୍ୟା ଏବେ ୨୨ଟି ଜିଲ୍ଲାର ୫୨ଟି ଥାନାଞ୍ଚଳକୁ ଖସି ଆସିଛି। ଏହାବ୍ୟତୀତ ଗତ ୬ ବର୍ଷ ମଧ୍ୟରେ ୩୬୧ଟି ନୂଆ ସୁରକ୍ଷା ଶିବିର ଏବଂ ରାତ୍ରିକାଳୀନ ଅବତରଣ ଲାଗି ୬୮ଟି ହେଲିପ୍ୟାଡ୍ ନିର୍ମାଣ କରାଯାଇଛି ।
କେନ୍ଦ୍ର ସରକାର ନକ୍ସଲ ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇବାକୁ ସମନ୍ୱିତ ପଦକ୍ଷେପ ନେଇଛନ୍ତି। ଏନଆଇଏ ୪୦ କୋଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୨ କୋଟି ଏବଂ ରାଜ୍ୟ ସୁରକ୍ଷା ବାହିନୀ ୪୦ କୋଟି ଟଙ୍କାକୁ ମିଶାଇ ନକ୍ସଲମାନଙ୍କର ୯୨ କୋଟିରୁ ଅଧିକ ସମ୍ପତ୍ତି ଜବତ କରାଯାଇଛି। ଗତ ୧୧ ବର୍ଷ ମଧ୍ୟରେ ମାଓ ପ୍ରଭାବିତ ରାଜ୍ୟରେ ସୁରକ୍ଷା ସଂକ୍ରାନ୍ତ ବ୍ୟୟ ବାବଦରେ କେନ୍ଦ୍ର ସରକାର ୩୩୩୧ କୋଟି ଟଙ୍କା ଜାରି କରିଛନ୍ତି, ଯାହାକି ପୂର୍ବ ଦଶ ବର୍ଷ ତୁନରେ ୧୫୫ଧ ଅଧିକ। ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ କେନ୍ଦ୍ର ସରକାର ୩୭୧ କୋଟି ଟଙ୍କା ଏବଂ ସୁରକ୍ଷିତ ପୁଲିସ ଷ୍ଟେସନ ପାଇଁ ୬୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବ୍ୟତୀତ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନାରେ ୩,୮୧୭.୫୯ କୋଟି ଟଙ୍କା ଯୋଗାଇ ଦିଆଯାଇଛି। କେନ୍ଦ୍ରୀୟ ଏଜେନ୍ସିକୁ ସହାୟତା ଯୋଜନା ଅଧୀନରେ ଗତ ଦଶ ବର୍ଷ ମଧ୍ୟରେ ୧୨୫.୫୩ କୋଟି ଟଙ୍କା ଏବଂ ଡାକ୍ତରଖାନା ଉନ୍ନତିକରଣ ଲାଗି ୧୨.୫୬ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି।
ମାଓ ପ୍ରଭାବିତ ଅଞ୍ଚଳରେ ସଡ଼କ ନିର୍ମାଣ ପାଇଁ ୨୦,୮୧୫ କୋଟି ଟଙ୍କା ବ୍ୟୟରେ ୧୨,୦୦୦ କିମି ସଡ଼କ ନିର୍ମାଣ କରାଯାଇଥିବା ବେଳେ ୧୭,୫୮୯ କିମି ରାସ୍ତାକୁ ମଞ୍ଜୁରି ମିଳିଛି । ୪,୦୮୦ କୋଟି ଟଙ୍କା ବ୍ୟୟରେ ୨,୩୪୩ ମୋବାଇଲ ଟାୱାର ନିର୍ମାଣ କରାଯାଇଥିବା ବେଳେ ଦ୍ୱିତୀୟ ପର୍ୟ୍ୟାୟରେ ୨,୨୧୦ କୋଟି ଟଙ୍କା ବ୍ୟୟରେ ୨,୫୪୨ଟି ଟାୱାର ନିର୍ମାଣ କରାଯାଇଛି। ସେହିପରି ଆକାଂକ୍ଷୀ ଜିଲ୍ଲା ଏବଂ ଫୋର୍ ଜି ସମ୍ପୂର୍ଣ୍ଣକରଣ ଯୋଜନାରେ ୮,୫୨୭ ଫୋର୍ ଜି ଟାୱାରକୁ ମଞ୍ଜୁରି ମିଳିଥିବା ବେଳେ ଏବେ ସୁଦ୍ଧା ଯଥାକ୍ରମେ ୨,୫୯୬ ଏବଂ ୨,୭୬୧ ଟାୱାର କାର୍ୟ୍ୟକ୍ଷମ ହୋଇଛି।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୮୦୪ ବ୍ୟାଙ୍କ ଶାଖା, ୧୩୨୧ ଏଟିଏମ ଏବଂ ୩୭୮୫୦ ବ୍ୟାଙ୍କ ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଥିବା ବେଳେ ୯୦ଟି ଜିଲ୍ଲାରେ ୫,୮୯୯ ଡାକ ଘର ଖୋଲାଯାଇଛି। ସେହିପରି ୪୯୫ କୋଟି ଟଙ୍କା ବ୍ୟୟରେ ୪୮ଟି ଆଇଟିଆଇକୁ ମଞ୍ଜୁରି ମିଳଛି। ଏହାଛନା ୬୧ଟି ଦକ୍ଷତା ବିକାଶ କେନ୍ଦ୍ରକୁ ଅନୁମୋଦନ କରାଯାଇଛି। ଏବେ ସୁଦ୍ଧା ୪୬ଆଇଟିଆଇ ଏବଂ ୪୯ଟି ଦକ୍ଷତା ବିକାଶ କେନ୍ଦ୍ର କାର୍ୟ୍ୟକ୍ଷମ ହୋଇସାରିଛି।
ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ଆର୍ଥିକ ସହାୟତା ଓ ଜୀବିକା ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ଆତ୍ମସର୍ପଣ କରୁଥିବା ଶୀର୍ଷ ନକ୍ସଲ ୫ ଲକ୍ଷ ଟଙ୍କା, ମଧ୍ୟମ ଓ ନିମ୍ନ କ୍ୟାଡର ନକ୍ସଲଙ୍କୁ ୨.୫ ଲକ୍ଷ ଟଙ୍କା ସହିତ ୩୬ ମାସ ପାଇଁ ମାସିକ ୧୦ ହଜାର ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଛି । ଫଳରେ ବହୁସଂଖ୍ୟାରେ ନକ୍ସଲ ଆତ୍ମସର୍ପଣ କରି ମୁଖ୍ୟଧାରାକୁ ଫେରୁଛନ୍ତି।