କଟକ, ୨୪।୪: ଭାରତ ସରକାରଙ୍କ ଖାଦ୍ୟ ନିରାପତ୍ତା ମାନକ ପ୍ରାଧିକରଣ(FSSAI) ପକ୍ଷରୁ ଫଳକୁ ପଚାଇବା ପାଇଁ କାର୍ବାଇଡ୍ ଓ ଲିକୁଇଡ୍ ବ୍ୟବହାର ଉପରେ କଟକଣା ରହିଛି । ରାଜ୍ୟର ସମସ୍ତ ଫଳ ଗୋଦାମ ଓ ଉଠା ବ୍ୟବସାୟୀଙ୍କ ଦୋକାନ ଗୁଡ଼ିକରେ ଏହାକୁ ଯାଞ୍ଚ୍ କରିବାକୁ ଖାଦ୍ୟ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସତ୍ତ୍ୱେ FSSAI ନିୟମକୁ ଉଲ୍ଲଙ୍ଘନ କରି ବ୍ୟବସାୟୀମାନେ ଫଳରେ କାର୍ବାଇଡ୍ ଓ ଲିକ୍ୟୁଇଡ୍ ବ୍ୟବହାର କରି ବିକ୍ରି କରୁଛନ୍ତି । ବିଶେଷକରି ଆମ୍ବ, କଦଳୀ ଓ ଅମୃତଭଣ୍ଡାରେ ବ୍ୟବସାୟୀମାନେ ଅଧିକ ମାତ୍ରାରେ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି । କିନ୍ତୁ ଏହାକୁ ଯାଞ୍ଚ ନକରି ଖାଦ୍ୟ ସୁରକ୍ଷା ବିଭାଗ ଚୁପ୍ ବସିଛି । ଏଣେ ଗ୍ରାହକମାନେ ଏଭଳି ଫଳ ଖାଇ ଏକ ପ୍ରକାର ରୋଗକୁ କିଣୁଥିବା ଅଭିଯୋଗ ହେଉଛି । ଏହାକୁ ନେଇ ଜନ ଅସନ୍ତୋଷ ବଢ଼ୁଛି । ଛତ୍ରବଜାରରେ ପ୍ରାୟ ୧୦୦ରୁ ଅଧିକ ଫଳ ଗୋଦାମ ରହିଛି । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ଫଳ ଗାଡ଼ି ଆସୁଛି । ଛୋଟବଡ଼ ବ୍ୟବସାୟୀମାନେ ଏଠାରୁ ଫଳ ନେଇ ବେପାର କରୁଛନ୍ତି । ଲୋକଙ୍କ ଚାହିଦାକୁ ଲକ୍ଷ୍ୟ କରି ବ୍ୟବସାୟୀମାନେ ଦରପାଚିଲା ଓ କଞ୍ଚା ଆମ୍ବ, କଦଳୀ ଓ ଅମୃତଭଣ୍ଡା ବାହାରୁ ମଗାଇ ଏଥିରେ କାର୍ବାଇଡ୍ ଓ ଲିକ୍ୟୁଇଡ୍ ବ୍ୟବହାର କରି ବିକ୍ରି କରୁଛନ୍ତି ।
ଏଣୁ ଫଳର ପ୍ରକୃତ ସ୍ୱାଦ ରହୁନାହିଁ । ଅନ୍ୟପକ୍ଷରେ କିଛି ବର୍ଷ ହେବ ଫଳ ଦୋକାନ ଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିୟମିତ ଚଢ଼ଉ ହେଉ ନଥିବାରୁ କିଛି ବ୍ୟବସାୟୀ ଏହାର ଫାଇଦା ଉଠାଉଛନ୍ତି । ଏ ସଂପର୍କରେ ଫଳ ଗୋଦାମ ମାଲିକ ମନୋଜ ବେହେରା କହିଛନ୍ତି, ଏବେ ଆନ୍ଧ୍ରପ୍ରଦେଶର ରାଜମନ୍ଦିର, ପାର୍ବତୀପୁର ଆଦି ଅଞ୍ଚଳରୁ ପ୍ରତି ଦିନ ୪ରୁ ୫ଟି କଦଳୀ ଗାଡ଼ି ଆସୁଛି । ସେହିପରି ଓଡ଼ିଶାରୁ କଳାପଥର ଓ ଛେଣ୍ଡିପଦା ଅଞ୍ଚଳରୁ ଛୋଟ ଗାଡ଼ିରେ କଦଳୀ ଆସୁଛି । କିଛି ଦରପାଚିଲା ଓ କଞ୍ଚା କଦଳୀ ଥାଏ । ସେହିପରି ଆନ୍ଧ୍ର, ମହାରାଷ୍ଟ୍ର ଓ ବେଙ୍ଗାଲୁରୁ ୩ରୁ ୪ଟି ଗାଡ଼ି ଓ ଆନ୍ଧ୍ରରୁ ଗୋଟିଏ ଅମୃତଭଣ୍ଡା ଗାଡ଼ି ପ୍ରତ୍ୟେହ ଛତ୍ରବଜାରକୁ ଆସିଥାଏ । ଖରାଦିନେ ପାଲ ଘୋଡ଼ାଇ ଫଳ ଆସୁଛି । ପାଚିଲା ଆଣିଲେ ଗରମ ଓ ଧକଡ଼ଚକଡ଼ ରାସ୍ତାରେ ଅନେକ ଫଳ ନଷ୍ଟ ହୋଇଯିବ । ଲାଭ ବି ବାହାରିବ ନାହିଁ । ସେଥିପାଇଁ ଆମେ କଞ୍ଚା ଫଳ ଆଣି ଏଠାରେ କାର୍ବାଇଡ୍ ଦେଇ ବିକ୍ରି କରୁଛୁ । ଏ ସଂପର୍କରେ ନଗର ସ୍ୱାସ୍ଥ୍ୟ ଅଧିକାରୀ ନୃପେନ୍ଦୁ ଶତପଥୀ କହିଛନ୍ତି, ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ । FSSAI ନିୟମ ଅନୁସାରେ ଫଳ ଗୁଡ଼ିକର ମାନ ଯାଞ୍ଚ କରାଯିବ । ଫଳରେ କାର୍ବାଇଡ୍ ଓ ଲିକ୍ୟୁଇଡ୍ ବ୍ୟବହାର କରୁଥିବା ବ୍ୟବସାୟୀଙ୍କଠୁ ଜରିମାନା ଆଦାୟ କରାଯିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆହୁରି ପଢ଼ନ୍ତୁ... ଅଣନିଃଶ୍ୱାସୀ ବଡ଼ଦାଣ୍ଡ: ଆବର୍ଜନା ଓ ଜବରଦଖଲରେ ରୁନ୍ଧି ହେଲାଣି ଶ୍ରୀକ୍ଷେତ୍ର, ଶୋଇଛି ପ୍ରଶାସନ !