ନୂଆଦିଲ୍ଲୀ,୧୮/୦୬: କାନାଡ଼ାର କାନାନାସ୍କିସରେ ଅନୁଷ୍ଠିତ ୫୧ ତମ ଜି ୭ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କୁ ଭେଟିବା ସହିତ ଦକ୍ଷିଣ କୋରିଆ ଓ ମେକ୍ସିକୋ ରାଷ୍ଟ୍ରପତିଙ୍କ ସହିତ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ବିଭିନ୍ନ ରାଷ୍ଟ୍ର ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି । ଭାରତ ସହ  ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଛନ୍ତି । କାନାଡା ସହି ମିଶି ଏକାଠି କାମ କରିବୁ ବୋଲି ସମ୍ମିଳନୀରେ ସାମିଲ ହୋଇ କହଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜି ୭ ଶିଖର ସମ୍ମିଳନୀରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ କହିଛନ୍ତି,''ମୋର ସୌଭାଗ୍ୟ ୨୦୧୫ ପରେ କାନାଡ଼ା ମାଟିରେ ପହଞ୍ଚି ଲୋକଙ୍କ ସହ ଯୋଡ଼ି ହେବାର ଅବସର ମିଳିଛି । ଭାରତ ଦୁନିଆର ବଡ଼ ଲୋକତାନ୍ତ୍ରିକ ଦେଶ । ଭାରତ-କାନାଡ଼ା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ । ଆମେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ କରିବା ପାଇଁ ଏକାଠି କାମ କରିବୁ । ଭାରତ ସହିତ ସମ୍ପର୍କ ଏବଂ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଭାଗିତାକୁ ପୁରର୍ଜୀବିତ କରାଯିବ । ଭାରତ ଓ କାନାଡ଼ା ଗଣତନ୍ତ୍ର ଓ ଆଇନ୍‌ର ଶାସନ ବିଶ୍ୱାସରେ ଯୋଡି଼ ହୋଇଛନ୍ତି । ଉଭୟ ରାଷ୍ଟ୍ର ମଧ୍ୟରେ ଘନିଷ୍ଠ ହେବାକୁ ଆମେ କାମ କରୁଛି ।ବାଣିଜ୍ୟ, ଶକ୍ତି, ମହାକାଶ ବିଜ୍ଞାନ, ଖଣିଜ ପଦାର୍ଥ ଆଦି ଅନେକ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅପାର ସମ୍ଭାବନା ରହିଛି । ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ଆଗେଇ ନିଆଯିବ ।''

ଜି ୭ ଶିଖର ସମ୍ମିଳନୀରେ ଆତଙ୍କବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଆତଙ୍କବାଦ ମାନବତାର ଶତ୍ରୁ । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖୁଥିବା ସମସ୍ତ ଦେଶ ବିରୋଧରେ । ବିଶ୍ୱ ଶାନ୍ତି ଏବଂ ସମୃଦ୍ଧ ପାଇଁ ଆମର ଚିନ୍ତାଧାରା ଏବଂ ନୀତି ସ୍ଫଷ୍ଚ ହେବା ଆବଶ୍ୟକ । ଯଦି କୌଣସି ଦେଶ ଆତଙ୍କବାଦକୁ ସମର୍ଥନ କରେ ତେବେ ତାକୁ ଏହାର ମୂଲ୍ୟ ଦେବାକୁ ପଡିବ ।

ସେପଟେ କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆତିଥ୍ୟ ଦେବା ଏକ ମହାନ୍ ସମ୍ମାନ । ଆମେ ମିଳିତ ଭାବେ ଶକ୍ତି, ଆର୍ଟିଫିସିଆଲ ଇଣ୍ଡେଲିଜେନ୍ସ କ୍ଷେତ୍ରରେ କାମ କରିବା ସହ ଆତଙ୍କବାଦ ବିରୋଧରେ ଲଢେଇ କରିବୁ ।''

ଅଧିକ ପଢନ୍ତୁ...ଆମେରିକାକୁ ବଙ୍କର ବଷ୍ଟର ମାଗିଲା ଇସ୍ରାଏଲ, ଇରାନର ଆଣବିକ କେନ୍ଦ୍ର ଧ୍ୱଂସ କରିବା ଲକ୍ଷ୍ୟ

କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କରିଥିବା ଭୁଲକୁ କ୍ଷମା କରି ଆଗକୁ ବଢିଛି ଭାରତ । ନୂଆ ପିଏମ୍ ମାର୍କ କାର୍ନିଙ୍କୁ ଭେଟି ଦୁଇ ଦେଶ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ଆଲୋଚନା କରିଛନ୍ତି । କାନାଡ଼ା ଗସ୍ତ ସାରି ପ୍ରଧାନମନ୍ତ୍ରୀ ଆଜି (ବୁଧବାର) କ୍ରୋଏସିଆ ଗସ୍ତ କରିଛନ୍ତି । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କ୍ରୋଏସିଆ ଗସ୍ତ । ରାଜଧାନୀ ଜାଗ୍ରେବରେ ମୋଦି କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଜ ପ୍ଲେଙ୍କୋଭିଚ୍‌ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ । ରାଷ୍ଟ୍ରପତି ଜୋରାନ ମଲେନୋଭିଚଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।