ପୁରୀ: ଶାସ୍ତ୍ରୀୟ ତିଥି ଅନୁଯାୟୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ ପାଇଁ ଇସ୍କନକୁ ଗଜପତିଙ୍କ ଚିଠି । ବିଶ୍ୱବ୍ୟାପୀ ଇସ୍କନ ମନ୍ଦିରଗୁଡ଼ିକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ଉତ୍ସବକୁ ଶାସ୍ତ୍ରୀୟ ବିଧି ଏବଂ ପ୍ରାଚୀନ ସନାତନ ପରମ୍ପରା ଅନୁଯାୟୀ ପାଳନ କରିବା ପାଇଁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନ ଗଭର୍ଣ୍ଣିଂ ବଡି କମିଶନଙ୍କୁ ଏକ ଜରୁରୀ ପତ୍ର ଲେଖିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ନିଜ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ପବିତ୍ର ଶାସ୍ତ୍ର ଓ ପୁରାଣ ଅନୁସାରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା କେବଳ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଏବଂ ନବଦିନାତ୍ମକ ରଥଯାତ୍ରା ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ହିଁ ଅନୁଷ୍ଠିତ ହେବା ଆବଶ୍ୟକ।

ଦେଶ ବା କାଳ ପରିସ୍ଥିତି ଅନୁଯାୟୀ ପାଳନ ଶୈଳୀରେ କିଛି ପରିବର୍ତ୍ତନ କରାଯାଇପାରେ, ମାତ୍ର ମହାପ୍ରଭୁଙ୍କ ମୁଖ୍ୟ ତିଥିରେ କୌଣସି ପରିବର୍ତ୍ତନ ଗ୍ରହଣୀୟ ନୁହେଁ। ଶ୍ରୀମନ୍ଦିର ପ୍ରଶାସନର ବିଦ୍ୱାନ କମିଟି ଏବଂ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଥାପିତ ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ଏହି ଶାସ୍ତ୍ରୀୟ ନିୟମକୁ ସମ୍ପୂର୍ଣ୍ଣ ଅନୁମୋଦନ କରିଛନ୍ତି। ଭାରତ ବାହାରେ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଇସ୍କନ ପକ୍ଷରୁ ବର୍ଷର ଭିନ୍ନ ଭିନ୍ନ ସମୟରେ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯାଉଛି, ଯାହା ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଆଦେଶର ଉଲ୍ଲଂଘନ କରୁଛି ।

ଏହି କାର୍ଯ୍ୟ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ପହଞ୍ଚାଉଥିବା ଗଜପତି କ୍ଷୋଭ ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଅପୂର୍ବ ମହିମା ଓ ଶାସ୍ତ୍ରର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରଖିବା ପାଇଁ ସାରା ବିଶ୍ୱର ସମସ୍ତ ଇସ୍କନ ମନ୍ଦିର ନିର୍ଦ୍ଧାରିତ ପାରମ୍ପରିକ ତିଥିରେ ହିଁ ଏହି ଦିବ୍ୟ ଉତ୍ସବ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହାକୁ ମୁକ୍ତି ମଣ୍ଡପ ମଣ୍ଡିତ ସଭା ସମର୍ଥନ ଜଣାଇଛନ୍ତି ।

ଏହାସହ ପଢ଼ନ୍ତୁ : ମଥୁରାରେ ବଡ଼ ସେକ୍ସ ରାକେଟ୍ ଠାବ: ଦୌଡ଼ି ପଳାଉଥିଲେ, ମାଡ଼ି ବସିଲା ପୁଲିସ