ପ୍ରମୂଖ ଖବର
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦୀଘା ‘ଜଗନ୍ନାଥ ଧାମ’ ନାମକରଣ ବିବାଦ, ଇସ୍କନ ମାୟାପୁରୀର ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

Published By : Suraj Kumar | May 7, 2025 4:18 PM

ପୁରୀ, ୭।୫ :ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ। ଦୀଘା ଜଗନ୍ନାଥ ମନ୍ଦିର ପରିଚାଳନା ଦାୟିତ୍ଵ ବା ଟ୍ରଷ୍ଟି ହେଉଛି ଇସ୍କନ। ଇସ୍କନକୁ ଚିଠି ଲେଖିଛନ୍ତି ଗଜପତି ମହାରାଜା। ଇସ୍କନ ମାୟାପୁରୀର ପରିଚାଳନା ମୁଖ୍ୟ ଗୋବର୍ଦ୍ଧନ ଦାସଙ୍କୁ ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ।‌ 

‌ଚିଠିରେ ଗଜପତି ମହାରାଜ ଜଣାଇଛନ୍ତି ଯେ, ଶ୍ରୀକ୍ଷେତ୍ର ବ୍ୟତୀତ ଆଉ କୌଣସି ସ୍ଥାନ କିମ୍ବା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଉଚିତ୍ ନୁହେଁ। ସନାତନ ବୈଦିକ ଧର୍ମର ସର୍ବୋଚ୍ଚ ଧାର୍ମିକ ଅଧିକାରୀ ହେଉଛନ୍ତି ପରମ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ସେହିପରି ଜଗତଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରା ଓ ସଂସ୍କୃତିର ଆଦି ଗୁରୁ ଏବଂ ପରମଗୁରୁ। ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛନ୍ତି ଦୀଘାର ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ଭାବରେ ନାମିତ କରାଯାଇପାରିବ ନାହିଁ। ଶ୍ରୀଜଗନ୍ନାଥ ଧାମ୍, ଶ୍ରୀ ପୁରୁଷୋତ୍ତମ ଧାମ ବା କ୍ଷେତ୍ର , ଶ୍ରୀକ୍ଷେତ୍ର ଏବଂ ଶ୍ରୀ ନୀଳାଚଳ ଧାମ ପରି ନାମକରଣ କେବଳ ପୁରୀରେ ଥିବା ମହାପ୍ରଭୁ ପ୍ରଭୁ ଜଗନ୍ନାଥଙ୍କର ମୂଳ ପୀଠକୁ ବୁଝାଏ। ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ପାଇଁ ଏହା ବ୍ୟବହାର ହୋଇପାରିବ ନାହିଁ ବୋଲି ଚିଠିରେ ଦର୍ଶାଇଛନ୍ତି। 

ସେହିପରି ଦୀଘାକୁ ‘ଜଗନ୍ନାଥ ଧାମ’ ନାମକରଣ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଚିଠିରେ  ଉଲ୍ଲେଖ କରିଛନ୍ତି ଯେ ‘ଜଗନ୍ନାଥ ଧାମ’ର ନାମ ପବିତ୍ର ଓ ସ୍ୱତନ୍ତ୍ର । ଏହି ନାମ ପୁରୀ ସହିତ ଜଡିତ ରହିଛି । ଏହି ନାମକୁ ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡିବା ଠିକ ନୁହେଁ । ଏଭଳି କଲେ କୋଟି କୋଟି ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ପାଇବ । ଚାରି ଧାମରୁ ଶ୍ରେଷ୍ଠ ଧାମ ପୁରୀ । ସେଥିପାଇଁ  ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହା ନ ଯାଉ ବୋଲି ଚିଠିରେ ଦର୍ଶାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.