କଟକ,୨୫/୦୭: ଅଗଷ୍ଟ ୨୭ ତାରିଖରେ ଗଣେଶ ପୂଜା । ପରକୁ ପର ତିନି ରବିବାର ଭସାଣି  ଉତ୍ସବ । କଟକ ସହରରେ ପ୍ରାୟ ୧୫ଶହ ଗଣେଶ କ୍ଲବ୍‌ ଏହି ଭସାଣି ଯାତ୍ରାରେ ସାମିଲ୍‌ ହେବେ । ଗତ ୧୨ବର୍ଷ  ଧରି ଏମିତି ଗଣେଶ ପୂଜାର ପରବର୍ତ୍ତୀ ତିନି ରବିବାର  ଗଣେଶ ଭସାଣି ହେଉଛି । କିନ୍ତୁ ଏଥର ଦ୍ୱନ୍ଦ୍ୱ ଉପୁଜିଛି ।  ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ଏବଂ ୧୪ ତାରିଖ  ରବିବାର ଦ୍ୱିତୀୟା ଓଷା ପଡୁଥିବାରୁ ଗଣେଶଙ୍କ ବିସର୍ଜନ ପର୍ବ ନେଇ ସମସ୍ୟା ସୃଷ୍ଟି ହୋଇଛି । ଚନ୍ଦ୍ରଗ୍ରହଣରେ  ଦେବଦେବୀଙ୍କ ବିସର୍ଜନ ହେବ ନାହିଁ ଏବଂ ୧୪ ତାରିଖ  ଦିନ ଦ୍ୱିତୀୟା ଓଷା ପରେ ୧୫ ତାରିଖ ସୋମବାର ଘାଣ୍ଟ ହେବ । ତେଣୁ ଘାଣ୍ଟ ଖାଇ ବିସର୍ଜନ ହେଉଥିବା ଗଣେଶଙ୍କ ପାଇଁ ଦିନ ଧାର୍ଯ୍ୟ କରିବା ମୁସ୍କିଲ୍‌ ହୋଇଛି । 

ଗଣେଶ ପୂଜା ପରେ ଏଥର ୩୧, ୭ ଓ ୧୪ ତାରିଖ  ତିନି ରବିବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି  ପ୍ରଚଳିତ ନିୟମ ଓ ବ୍ୟବସ୍ଥା କହୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ  ମୁତାବକ, ଅନ୍ୟ କୌଣସି ବାରରେ ଗଣେଶ ଶୋଭାଯାତ୍ରାକୁ  ଅନୁମତି ମିଳୁନାହିଁ । ତେଣୁ ତିନି ପର୍ଯ୍ୟାୟରେ ତିନି ରବିବାର  ଭସାଣି କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ଆୟୋଜକ  ମାନଙ୍କୁ ଅନୁମତି ପ୍ରଦାନ କରାଯାଉଛି । ଏ ପ୍ରକ୍ରିୟା ଗତ  ୧୨ବର୍ଷ ଧରି ଚାଲିଆସିଛି । କଟକ ସହରରେ ଏବେ  ପ୍ରାୟ ୧୫ଶହ ଗଣେଶ କ୍ଲବ୍‌ ଭସାଣି ଉତ୍ସବରେ ସାମିଲ୍‌  ହେଉଛନ୍ତି । ସେଥିରୁ ଘାଣ୍ଟ ଖାଇ ବିସର୍ଜନ ହେଉଥିବା  ଗଣେଶ କ୍ଲବ୍‌ଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିଚାଲିଛି ।

ଏବେ  ଏହି ସଂଖ୍ୟା ପ୍ରାୟ ୨୫୦ ହେବ, ଯେଉଁମାନେ କେବଳ  ଦ୍ୱିତୀୟାଓଷା ପରେ ଗଣେଶଙ୍କ ପାଖରେ ଘାଣ୍ଟ ଭୋଗ  ଲଗାଇବା ପରେ ଭସାଣି କରନ୍ତି । ଚଳିତବର୍ଷ ପ୍ରଥମ ପାଳି  ଭସାଣି ଉତ୍ସବ ୩୧ ତାରିଖ ରହିଛି, ଏହାକୁ ନେଇ କାହାର  କିଛି ଆପତ୍ତି ନାହିଁ । କିନ୍ତୁ ଦ୍ୱିତୀୟ ପାଳି ଅର୍ଥାତ୍‌ ୭ତାରିଖ  ରବିବାର ଦିନ ଚନ୍ଦ୍ରଗ୍ରହଣ ରହିଛି । ତେଣୁ ଏହି ଦିନ ବିସର୍ଜନ  ହୋଇପାରିବ ନାହିଁ । ସେହିପରି ୧୪ତାରିଖକୁ ନେଇ କିଛି  ନିର୍ଦ୍ଦିଷ୍ଟ ବୁଢ଼ା ଗଣେଶ ପୂଜା କମିଟି ମାନଙ୍କର ଆପତ୍ତି  ରହିଛି। ୧୫ ତାରିଖ ଘାଣ୍ଟ ହେଉଥିବା ବେଳେ ଏହା ପୂର୍ବରୁ  କେମିତି ଗଣେଶ ବିସର୍ଜିତ ହେବେ ସେ ଦ୍ୱନ୍ଦ୍ୱରୁ ଆୟୋଜକ  ମୁକୁଳିପାରୁନାହାନ୍ତି । ଏ ସବୁ ବାବଦରେ କଟକ  ମହାନଗର ଶାନ୍ତି କମିଟି ଓ କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସହିତ କଟକ ଡିସିପି ଦୁଇଥର  ଆଲୋଚନା କରିସାରିଛନ୍ତି । କିନ୍ତୁ ଏ ବାବଦରେ  ଏବେ ଯାଏ କୌଣସି ନିଷ୍କର୍ସ ବାହାରିନାହିଁ । ତେବେ ଏ ବାବଦରେ ଗଣେଶ ପୂଜା  କରୁଥିବା କିଛି ଆୟୋଜକ ପ୍ରଶାସନକୁ ଭେଟି  ପ୍ରସ୍ତାବ ଦେଇଛନ୍ତି । ୭ ତାରିଖ ଚନ୍ଦ୍ରଗ୍ରହଣ  ଦିନ ଅନୁମତି ପ୍ରଦାନ ନକରି ତା’ ବଦଳରେ ୨୧  ତାରିଖରେ ଅନୁମତି ଦେବାକୁ ଅନୁରୋଧ କରାଯାଇଛି ।  ଫଳରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇପାରିବ ।  

ଅନ୍ୟପକ୍ଷରେ ଶେଷ ଦୁଇ ଭସାଣି ପାଳିର ତାରିଖ ଧାର୍ଯ୍ୟ  ହୋଇପାରୁ ନଥିବାରୁ ଶୋଭାଯାତ୍ରା ପାଇଁ ବ୍ୟାଣ୍ଡ ବାଜା ବୁକିଂ  କରିବାକୁ ଆୟୋଜକମାନେ ସମସ୍ୟାରେ ପଡ଼ିଛନ୍ତି । ଗଣେଶ  ପୂଜା ଆଉ ମାସେ ସମୟ ଥିବା ବେଳେ ଏତେବେଳକୁ  ଭସାଣି ଶୋଭାଯାତ୍ରା ପାଇଁ ବାଜା, ବ୍ୟାଣ୍ଡ୍‌ ବୁକିଂ ହୋଇଯିବା  କଥା । କିନ୍ତୁ ପ୍ରଶାସନର ନିଷ୍ପତ୍ତିକୁ ୧୫ ଶହ ଗଣେଶ  କ୍ଲବ୍‌ ଅପେକ୍ଷା କରି ବସିଛନ୍ତି । ଏ ସମ୍ପର୍କରେ ଅତିରିକ୍ତ  ଡିସିପି ଅମରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି  ଯେ ବ୍ୟବସ୍ଥା ଅନୁସାରେ ପ୍ରଥମ ତିନି ରବିବାର ଅର୍ଥାତ୍‌  ୩୧, ୭ ଓ ୧୪ତାରିଖରେ ଭସାଣି କରିବାକୁ ଆମେ  ଏବେ ସୁଦ୍ଧା ନିଶ୍ଚିତ ରହିଛୁ । କିନ୍ତୁ ଯଦି ଏ ନେଇ ଆଗକୁ  ଆଲୋଚନା ହୁଏ ଏବଂ ହାଇକୋର୍ଟଙ୍କ କିଛି ପରିବର୍ତ୍ତିତ  ନିର୍ଦ୍ଦେଶ ଆସେ ତଦନୁଯାୟୀ ପଦକ୍ଷେପ ନେବୁ ।  ଖୁବ୍‌ ଶୀଘ୍ର ଏହାର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।