କଟକ,୨୫/୦୭: ଅଗଷ୍ଟ ୨୭ ତାରିଖରେ ଗଣେଶ ପୂଜା । ପରକୁ ପର ତିନି ରବିବାର ଭସାଣି ଉତ୍ସବ । କଟକ ସହରରେ ପ୍ରାୟ ୧୫ଶହ ଗଣେଶ କ୍ଲବ୍ ଏହି ଭସାଣି ଯାତ୍ରାରେ ସାମିଲ୍ ହେବେ । ଗତ ୧୨ବର୍ଷ ଧରି ଏମିତି ଗଣେଶ ପୂଜାର ପରବର୍ତ୍ତୀ ତିନି ରବିବାର ଗଣେଶ ଭସାଣି ହେଉଛି । କିନ୍ତୁ ଏଥର ଦ୍ୱନ୍ଦ୍ୱ ଉପୁଜିଛି । ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ଏବଂ ୧୪ ତାରିଖ ରବିବାର ଦ୍ୱିତୀୟା ଓଷା ପଡୁଥିବାରୁ ଗଣେଶଙ୍କ ବିସର୍ଜନ ପର୍ବ ନେଇ ସମସ୍ୟା ସୃଷ୍ଟି ହୋଇଛି । ଚନ୍ଦ୍ରଗ୍ରହଣରେ ଦେବଦେବୀଙ୍କ ବିସର୍ଜନ ହେବ ନାହିଁ ଏବଂ ୧୪ ତାରିଖ ଦିନ ଦ୍ୱିତୀୟା ଓଷା ପରେ ୧୫ ତାରିଖ ସୋମବାର ଘାଣ୍ଟ ହେବ । ତେଣୁ ଘାଣ୍ଟ ଖାଇ ବିସର୍ଜନ ହେଉଥିବା ଗଣେଶଙ୍କ ପାଇଁ ଦିନ ଧାର୍ଯ୍ୟ କରିବା ମୁସ୍କିଲ୍ ହୋଇଛି ।
ଗଣେଶ ପୂଜା ପରେ ଏଥର ୩୧, ୭ ଓ ୧୪ ତାରିଖ ତିନି ରବିବାର ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ପ୍ରଚଳିତ ନିୟମ ଓ ବ୍ୟବସ୍ଥା କହୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଅନ୍ୟ କୌଣସି ବାରରେ ଗଣେଶ ଶୋଭାଯାତ୍ରାକୁ ଅନୁମତି ମିଳୁନାହିଁ । ତେଣୁ ତିନି ପର୍ଯ୍ୟାୟରେ ତିନି ରବିବାର ଭସାଣି କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ଆୟୋଜକ ମାନଙ୍କୁ ଅନୁମତି ପ୍ରଦାନ କରାଯାଉଛି । ଏ ପ୍ରକ୍ରିୟା ଗତ ୧୨ବର୍ଷ ଧରି ଚାଲିଆସିଛି । କଟକ ସହରରେ ଏବେ ପ୍ରାୟ ୧୫ଶହ ଗଣେଶ କ୍ଲବ୍ ଭସାଣି ଉତ୍ସବରେ ସାମିଲ୍ ହେଉଛନ୍ତି । ସେଥିରୁ ଘାଣ୍ଟ ଖାଇ ବିସର୍ଜନ ହେଉଥିବା ଗଣେଶ କ୍ଲବ୍ଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିଚାଲିଛି ।
ଏବେ ଏହି ସଂଖ୍ୟା ପ୍ରାୟ ୨୫୦ ହେବ, ଯେଉଁମାନେ କେବଳ ଦ୍ୱିତୀୟାଓଷା ପରେ ଗଣେଶଙ୍କ ପାଖରେ ଘାଣ୍ଟ ଭୋଗ ଲଗାଇବା ପରେ ଭସାଣି କରନ୍ତି । ଚଳିତବର୍ଷ ପ୍ରଥମ ପାଳି ଭସାଣି ଉତ୍ସବ ୩୧ ତାରିଖ ରହିଛି, ଏହାକୁ ନେଇ କାହାର କିଛି ଆପତ୍ତି ନାହିଁ । କିନ୍ତୁ ଦ୍ୱିତୀୟ ପାଳି ଅର୍ଥାତ୍ ୭ତାରିଖ ରବିବାର ଦିନ ଚନ୍ଦ୍ରଗ୍ରହଣ ରହିଛି । ତେଣୁ ଏହି ଦିନ ବିସର୍ଜନ ହୋଇପାରିବ ନାହିଁ । ସେହିପରି ୧୪ତାରିଖକୁ ନେଇ କିଛି ନିର୍ଦ୍ଦିଷ୍ଟ ବୁଢ଼ା ଗଣେଶ ପୂଜା କମିଟି ମାନଙ୍କର ଆପତ୍ତି ରହିଛି। ୧୫ ତାରିଖ ଘାଣ୍ଟ ହେଉଥିବା ବେଳେ ଏହା ପୂର୍ବରୁ କେମିତି ଗଣେଶ ବିସର୍ଜିତ ହେବେ ସେ ଦ୍ୱନ୍ଦ୍ୱରୁ ଆୟୋଜକ ମୁକୁଳିପାରୁନାହାନ୍ତି । ଏ ସବୁ ବାବଦରେ କଟକ ମହାନଗର ଶାନ୍ତି କମିଟି ଓ କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସହିତ କଟକ ଡିସିପି ଦୁଇଥର ଆଲୋଚନା କରିସାରିଛନ୍ତି । କିନ୍ତୁ ଏ ବାବଦରେ ଏବେ ଯାଏ କୌଣସି ନିଷ୍କର୍ସ ବାହାରିନାହିଁ । ତେବେ ଏ ବାବଦରେ ଗଣେଶ ପୂଜା କରୁଥିବା କିଛି ଆୟୋଜକ ପ୍ରଶାସନକୁ ଭେଟି ପ୍ରସ୍ତାବ ଦେଇଛନ୍ତି । ୭ ତାରିଖ ଚନ୍ଦ୍ରଗ୍ରହଣ ଦିନ ଅନୁମତି ପ୍ରଦାନ ନକରି ତା’ ବଦଳରେ ୨୧ ତାରିଖରେ ଅନୁମତି ଦେବାକୁ ଅନୁରୋଧ କରାଯାଇଛି । ଫଳରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇପାରିବ ।
ଅନ୍ୟପକ୍ଷରେ ଶେଷ ଦୁଇ ଭସାଣି ପାଳିର ତାରିଖ ଧାର୍ଯ୍ୟ ହୋଇପାରୁ ନଥିବାରୁ ଶୋଭାଯାତ୍ରା ପାଇଁ ବ୍ୟାଣ୍ଡ ବାଜା ବୁକିଂ କରିବାକୁ ଆୟୋଜକମାନେ ସମସ୍ୟାରେ ପଡ଼ିଛନ୍ତି । ଗଣେଶ ପୂଜା ଆଉ ମାସେ ସମୟ ଥିବା ବେଳେ ଏତେବେଳକୁ ଭସାଣି ଶୋଭାଯାତ୍ରା ପାଇଁ ବାଜା, ବ୍ୟାଣ୍ଡ୍ ବୁକିଂ ହୋଇଯିବା କଥା । କିନ୍ତୁ ପ୍ରଶାସନର ନିଷ୍ପତ୍ତିକୁ ୧୫ ଶହ ଗଣେଶ କ୍ଲବ୍ ଅପେକ୍ଷା କରି ବସିଛନ୍ତି । ଏ ସମ୍ପର୍କରେ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବ୍ୟବସ୍ଥା ଅନୁସାରେ ପ୍ରଥମ ତିନି ରବିବାର ଅର୍ଥାତ୍ ୩୧, ୭ ଓ ୧୪ତାରିଖରେ ଭସାଣି କରିବାକୁ ଆମେ ଏବେ ସୁଦ୍ଧା ନିଶ୍ଚିତ ରହିଛୁ । କିନ୍ତୁ ଯଦି ଏ ନେଇ ଆଗକୁ ଆଲୋଚନା ହୁଏ ଏବଂ ହାଇକୋର୍ଟଙ୍କ କିଛି ପରିବର୍ତ୍ତିତ ନିର୍ଦ୍ଦେଶ ଆସେ ତଦନୁଯାୟୀ ପଦକ୍ଷେପ ନେବୁ । ଖୁବ୍ ଶୀଘ୍ର ଏହାର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।