ଆଠମଲ୍ଲିକ,୯।୭(ଆପ୍ର) : ଆଠମଲ୍ଲିକ ସହର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଠମଲ୍ଲିକ ଅବକାରୀ ପୁଲିସ ଚଢାଉ କରି ଇଣ୍ଡିଗୋ କାର ସହିତ ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ୍ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଝାରଖଣ୍ଡର ପଶ୍ଚିମ ସିଂହ ଭୂମି ଜିଲ୍ଲା  ଅନ୍ତର୍ଗତ କୁମାର୍ ଡୁଙ୍ଗୀ ଗ୍ରାମର କମଳ ଲୋଚନ ବାରିକ (୨୫)।

ବୁଧବାର ସକାଳେ କମଳ ଏକ ଇଣ୍ଡିଗୋ କାରରେ ୨ ବସ୍ତା ଗଞ୍ଜେଇ ଧରି ଆଠମଲ୍ଲିକ ସହର ଦେଇ ଯାଉଥିଲେ। ଆଠମଲ୍ଲିକ ଅବକାରୀ ପୁଲିସ ଲିପ୍ତିଙ୍ଗା ଛକ ଠାରେ କାର ଅଟକାଇ ଯାଞ୍ଚ କରି ୩୦ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏଥିସହ ଅବକାରୀ ପୁଲିସ କମଳଙ୍କୁ ଗିରଫ କରିଛି। ଜବତ୍ ଗଞ୍ଜେଇର ମୂଲ୍ୟ   ୩ ଲକ୍ଷ ଟଙ୍କା ରୁ ଊର୍ଦ୍ଧ୍ବ ହେବ । ଏହି ଚଢାଉରେ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝି,ଉପ ନିରୀକ୍ଷକ ନିରଞ୍ଜନ ସାହୁ ଓ କର୍ମଚାରୀ ଅଜୟ ବେହେରା, ଅମରଦୀପ କୁଜୁର ସାମିଲ ଥିଲେ।