ନୂଆଦିଲ୍ଲୀ୦୨/୧୧ : ୨୦୨୫ ମସିହା ମାର୍ଚ୍ଚ ସୁଦ୍ଧା ବର୍ଜ୍ୟମୁକ୍ତ ରାଜ୍ୟ ହେବ କେରଳ । ଏହି ମାନ୍ୟତା ପାଇବାକୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଲୋକଙ୍କ ସକ୍ରିୟ ଯୋଗଦାନ ସହିତ ପ୍ରତ୍ୟେକ ଅଞ୍ଚଳର ଅତିକମ୍ରେ ଗୋଟିଏ ସହରକୁ ବର୍ଜ୍ୟ ପ୍ରବନ୍ଧନ ମଡେଲରେ ରୂପାନ୍ତର କରିବାର ଅଭିଯାନ ଆରମ୍ଭ ହୋଇଛି । ଟାଉନ୍ଗୁଡ଼ିକୁ ସବୁଜ ନଗରୀର ଟ୍ୟାଗ୍ ଦେବା ଲାଗି, ପଞ୍ଚାୟତ ନିର୍ଦ୍ଦେଶାବଳୀଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି । ଏଥିରେ ୧୦୦ ପ୍ରତିଶତ ବର୍ଜ୍ୟକୁ ଅଲଗା ଅଲଗା କରିବା, ବର୍ଜ୍ୟକୁ ନ ଜଳାଇବା, ସୈନ୍ଦର୍ଯ୍ୟକରଣ ପ୍ରୟାସ, ସମୁଦାୟ ପରିଷ୍କାର କାର୍ଯ୍ୟ, ତରଳ ବର୍ଜ୍ୟ ପ୍ରବନ୍ଧନ ଓ ଡଷ୍ଟ୍ବିନ୍ ପ୍ରବନ୍ଧନ ଆଦି ସାମିଲ ।
ହରିତା କେରଲମ୍ (ସବୁଜ କେରଳ) ମିଶନ୍ର ଉପାଧ୍ୟକ୍ଷ ଟି.ଏନ୍ ସୀମା କହିଛନ୍ତି, ରାଜ୍ୟର ପ୍ରାୟ ପ୍ରତ୍ୟେକ ଲୋକ ଏହି ଅଭିଯାନରେ ସମର୍ଥନର ହାତ ବଢ଼ାଇଛନ୍ତି । ସର୍ବପ୍ରଥମେ ମାର୍ଗଦର୍ଶିକା ଜାରି କରାଗଲା । ଏହା ପରେ ବର୍ଜ୍ୟ-ମୁକ୍ତ ମାନ୍ୟତା ଦେବା ପ୍ରୟାସର ମୂଲ୍ୟାଙ୍କନ ଲାଗି ଏକ ଟିମ୍ ଗଠନ କରାଗଲା । ଏହି ମୂଲ୍ୟାଙ୍କନ ଏକ ନିରନ୍ତର ପ୍ରକ୍ରିୟା ହେବ । ବର୍ଜ୍ୟ ପରିଚାଳନାର ଉଚିତ୍ ପଦ୍ଧତି ପାଳନ କରାଯିବ । ସବୁଜ କେରଳ ସେନାକୁ ନିୟମିତ ବ୍ୟବଧାନରେ ବର୍ଜ୍ୟକୁ ଅଲଗା କରି ହଟାଇବାକୁ ହେବ । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା କେରଳର ହାରାହାରି ସବୁ ସହର ସବୁଜ ସହରରେ ରୂପାନ୍ତରିତ ହୋଇଯିବ । କନ୍ନୁରର ପେରାଲାସେରୀ ଗ୍ରାମ ପଞ୍ଚାୟତର ଛୋଟ ସହର ମୁନ୍ନୁପେରିୟା ‘ଗ୍ରୀନ୍ ଟାଉନ୍’ ଟ୍ୟାଗ୍ ହାସଲ କରିବାକୁ ଯାଉଥିବା ୮୨୦ ପଞ୍ଚାୟତ ମଧ୍ୟରେ ଅନ୍ୟତମ । କନ୍ନୁର-କୁଥୁପରମ୍ବା ଷ୍ଟେଟ୍ ହାଇୱେ ପାଖରେ ଅବସ୍ଥିତ ମୁନ୍ନୁପେରିୟା ସହରକୁ ସୁନ୍ଦର ଓ ସବୁଜ ସହରରେ ରୂପାନ୍ତରିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଛି ।