ପୁରୀ,୦୭/୦୭:  ଦ୍ୱାଦଶୀରେ ଶ୍ରୀମନ୍ଦିରରେ ଶ୍ରୀଗରୁଡ଼ ଶୟନ ନୀତି  ହେବ । ଗରୁଡ଼ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା  କରାଯିବ । ପର୍ବଯାତ୍ରା ଯୋଗାଣିଆ ଦେବେ  ମହାସ୍ନାନ ସାମଗ୍ରୀ । ଶୁଦ୍ଧସୁଆର ପୂଜା  ଠା କରିବା ପରେ ପୂଜାପଣ୍ଡା ସାମନ୍ତ  ଗରୁଡ଼ଙ୍କ ମହାସ୍ନାନ ନୀତି ବଢ଼ାଇବେ । ଶୀତଳ ଭୋଗ ସହ ଆଳତି ଓ ବନ୍ଦାପନା  କରାଯିବ । ନୀତିରେ ପ୍ରମୁଖ ଭୂମିକା  ନେବେ ଚୂନରା ସେବକ । ପୂର୍ବ ଦିନରୁ  ‘ହରିଙ୍କ ଶୟନ’ ନୀତି ହୋଇଥିଲା । ଆଜି ପ୍ରଭୁଙ୍କ ପଲଙ୍କ ନିମ୍ନରେ ଶୋଇବା ପାଇଁ  ଗରୁଡ଼ଙ୍କୁ ପ୍ରାର୍ଥନା କରାଯିବ ।

ଶ୍ରୀମନ୍ଦିରରେ ରବିବାର ବିଳମ୍ବିତ ରାତିରେ ରଥ ଉପରେ ଓ ଶ୍ରୀମନ୍ଦିରରେ ହରିଶୟନ ନୀତି  ଅନୁଷ୍ଠିତ ହୋଇଥିଲା । ପରମ୍ପରା ଅନୁସାରେ ଠାକୁରଙ୍କ ଶୟନ ସମୟରେ ମାଙ୍ଗଳିକ କାର୍ଯ୍ୟ ନିଷେଧ ।  କାର୍ତ୍ତିକ ବଡ଼ ଏକାଦଶୀରେ ଶୟନ ଠାକୁର ଉଠିବେ । ଶୟନ ଠାକୁର ଉଠିଲେ ସମସ୍ତ ସାମାଜିକ ଶୁଭ କାର୍ଯ୍ୟ ହେବାରବିଧି ରହିଛି । 

ଶ୍ରୀବିଗ୍ରହଙ୍କ ସୁନାବେଶ  ଉଲାଗି ପରେ ବଡ଼ସିଂହାର ଭୋଗ ବଢ଼ି  ମହାସ୍ନାନ ପୂଜାଠା ହେଲା । ଏହି ସମୟରେ ତିନି ଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନି ମୂର୍ତ୍ତି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ ଉପରକୁ  ଆଣିଥିଲେ । ଶ୍ରୀବଳଭଦ୍ରଙ୍କ ରଥରେ  ବାସୁଦେବ, ଦେବୀ ସୁଭଦ୍ରାଙ୍କ ରଥରେ ଭୁବନେଶ୍ୱରୀ ଓ ଶ୍ରୀଜଗନ୍ନାଥଙ୍କ ରଥରେ  ଶ୍ରୀନାରାୟଣ(ଶୟନଠାକୁର)ଙ୍କୁ ବିଜେ ହୋଇଥିଲେ । ଶୟନ ଠାକୁର ରଥାରୂଢ  ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ହେଲା ପରେ ମହାସ୍ନାନ ନୀତି ବଢ଼ିଲା । ସର୍ବାଙ୍ଗ ଲାଗି,  ନୂଆ ପତନି ଲୁଗା ଲାଗି ଓ ମାଳଫୁଲ ଲାଗି ହେଲା । ପୂଜାପଣ୍ଡା ସାମନ୍ତ ଷୋଡ଼ଶ  ଉପଚାରେ ବଲ୍ଲଭ ବଡ଼ସିଂହାର ଭୋଗ ପୂଜା ସାରି କର୍ପୂର ଆଳତି କଲେ । ଏହାପରେ  ଶୟନ ଠାକୁରଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତମାନେ ଭଣ୍ଡାର ଦୁଆରେ  ପହଞ୍ଚିଥିଲେ । ସେଠାରେ ବିଧି ମୁତାବକ ହରିଶୟନ ନୀତି ଅନୁଷ୍ଠିତ ହୋଇଥିଲା ।