ନୂଆଦିଲ୍ଲୀ, ୯/୩ : ଟି-୨୦ ବିଶ୍ବକପରେ ଇତିହାସ ରଚିଛି ଭାରତ । ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ୯୬ ରନର ବିଶାଳ ବ୍ୟବଧାନରେ ହରାଇ ତୃତୀୟଥର ଚାମ୍ପିୟନ ହୋଇଛି । ତେବେ ଟି-୨୦ ବିଶ୍ବକପ ସରିବା ମାତ୍ରେ ଭାରତ ସହ ସହଯୋଗୀ ଦଳ ଭାବେ ବିଶ୍ବକପ ଆୟୋଜନ କରିଥିବା ଶ୍ରୀଲଙ୍କା ଦଳର ମୁଖ୍ୟ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଛି । ଲିଗରେ ଦମଦାର ପ୍ରଦର୍ଶନ ପରେ ସୁପର-୮ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ଶ୍ରୀଲଙ୍କା । ପୂର୍ବତନ ସିଂହଳୀ କ୍ରିକେଟର ଜୟସୁରିଆଙ୍କ ସ୍ଥାନ ନେବେ ଗ୍ୟାରି । ଯିଏକି ୨୦୧୧ ଦିନିକିଆ ବିଶ୍ବକପରେ ଭାରତ ବିଜୟ ସମୟରେ କୋଚ ଦାୟିତ୍ବରେ ଥିଲେ ।

୨୦୨୮ ପର୍ଯ୍ୟନ୍ତ ଶ୍ରୀଲଙ୍କାର କୋଚ ଭାବେ କାର୍ଯ୍ୟ କରିବେ । ସେ ଦୁଇବର୍ଷ ପାଇଁ ଚୁକ୍ତି କରିଛନ୍ତି । ଏହାର ଅର୍ଥ ହେଉଛି ୨୦୨୭ ଦିନିକିଆ ବିଶ୍ବକପ ସମୟରେ ଗୁରୁ ଦାୟିତ୍ବ ବହନ କରିବେ । ସେପଟେ ଗ୍ୟାରିଙ୍କ ସମ୍ପର୍କରେ ଯଦି କହିବା ତାହେଲେ ୨୦୨୬ ଟି-୨୦ ବିଶ୍ବକପ ସମୟରେ ସେ ନାମିବିୟା ଦଳ ସହ ରହିଥିଲେ । ସେ ନାମିବିୟା ଦଳର ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଇଥିଲେ । ପୂର୍ବରୁ ଭାରତର ମୁଖ୍ୟ ପ୍ରଶିକ୍ଷକ ଦାୟିତବ ନେଇଛନ୍ତି । ଏହାପରେ ପାକିସ୍ତାନର ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ । ମାତ୍ର ପିସିବିରେ ମତଭେଦ ପାଇଁ ସେ ଦାୟିତ୍ବ ଛାଡ଼ିଥିଲେ ।

ଗ୍ୟାରି କର୍ଷ୍ଟେନଙ୍କ କ୍ରିକେଟ କ୍ୟାରିୟର ବିଷୟରେ କହିବାକୁ ଗଲେ, ସେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ ସମେତ ୫୦୦ ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୬୪ ଶତକ ସହିତ ୨୬୦୦୦ ରୁ ଅଧିକ ରନ୍ କରିଛନ୍ତି। ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ, ଗ୍ୟାରି କର୍ଷ୍ଟେନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଦଳକୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା 2027 ODI ବିଶ୍ୱକପରେ ସିଧାସଳଖ ସ୍ଥାନ ପାଇବା।

ଏହାସହ ପଢ଼ନ୍ତୁ : ପଞ୍ଜାବୀ ଗୀତର ମଜାକ୍ ଉଡ଼ାଇ ଟ୍ରୋଲ ହେଉଛନ୍ତି ଶ୍ରେୟା ଘୋଷାଲ