ନୂଆଦିଲ୍ଲୀ: ବିଜନେସ୍‌ ଟାଇକୁନ୍ ଗୌତମ ଆଦାନୀଙ୍କ ସାନ ପୁଅ ଜିତୁଙ୍କ ବିବାହ ସଂପନ୍ନ ହୋଇଛି । ଅହମଦାବାଦରେ କେବଳ ପରିବାର ଲୋକ ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଣରେ ଦିଭା ଶାହଙ୍କ ହାତ ଧରିଛନ୍ତି ଜିତ ଆଦାନୀ । ଗୌତମ ଆଦାନୀ ନିଜ ସାନ ପୁଅଙ୍କ ବିବାହରେ ୧୦ ହଜାର କୋଟି ଟଙ୍କା ଦାନ କରିବାକୁ ପ୍ରତିଶ୍ରୁତି କରିଛନ୍ତି । 

ଏହି ଦାନ ଅର୍ଥ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରକୁ ଯିବ । ଗୌତମ ଆଦାନୀ ଏକ୍ସରେ ବିବାହ ସମୟର ଫଟୋ ସେୟାର କରିଛନ୍ତି । ଏହାସହ ବିବାହ ପାଇଁ ଆମନ୍ତ୍ରଣ କରିପାରନଥିବା ବ୍ୟକ୍ତିଙ୍କୁ କ୍ଷମା ମାଗିଛନ୍ତି । ଗୌତମ ଆଦାନୀ ଲେଖିଛନ୍ତି, 'ପରମପିତା ପରମେଶ୍ୱରଙ୍କ ଆଶୀର୍ବାଦରୁ ଜିତ୍ ଏବଂ ଦୀବା ଆଜି ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ଆଜି ଅହମଦାବାଦରେ ପାରମ୍ପାରିକ ରୀତିନୀତି ଓ ଶୁଭ ମଙ୍ଗଳ ଭାବନା ସହ ସମ୍ପନ୍ନ ହୋଇଛି ।' 




ଗୌତମ ଆଦାନୀ ଆହୁରି ଲେଖିଛନ୍ତି, 'ଏହା ଏକ ଛୋଟ ଏବଂ ଅତ୍ୟନ୍ତ ପାରିବାରିକ ସମାରୋହ ଥିଲା, ଏଥିପାଇଁ ଆମେ ଚାହିଁକି ବି ସମସ୍ତ ଶୁଭକାଂକ୍ଷୀଙ୍କୁ ଆମନ୍ତ୍ରଣ କରିପାରି ନାହିଁ, ଏଥିପାଇଁ ମୁଁ କ୍ଷମାପ୍ରାର୍ଥୀ । ମୁଁ ଆପଣ ସମସ୍ତଙ୍କଠାରୁ ଦିଭା ଓ ଜିତ୍‌ ପାଇଁ ସ୍ନେହ ଏବଂ ଆଶୀଷ କାମନା କରୁଛି ।' ଏହି ବିବାହର ଶୁଭ ଅବସରରେ ଆଦାନୀ ଗ୍ରୁପ ସାମାଜିକ କଲ୍ୟାଣ ପାଇଁ ୧୦ ହଜାର କୋଟି ଟଙ୍କାନ ଦାନ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଦାନର ବଡ଼ ଅଂଶ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ । ଏହାଦ୍ୱାରା ସବୁ ବର୍ଗର ଲୋକଙ୍କୁ ଶସ୍ତା ଏବଂ ବିଶ୍ୱସ୍ତରୀୟ ହସ୍ପିଟାଲ, ମେଡିକାଲ କଲେଜ, କେ-୧୨ ସ୍କୁଲ ଏବଂ ଦକ୍ଷତା ଏକାଡେମୀ ଉପଲବ୍ଧ ହୋଇପାରିବ ।